ହାଇଦ୍ରାବାଦ: ହାଇଦ୍ରାବାଦ ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ । ସୁନ୍ଦରନଗରର ପୁରୁଣା ଦୁଗ୍ଧ ଫାର୍ମ ନିକଟ ଏଟିଏମରୁ 9 ଲକ୍ଷ 59 ହଜାର ଟଙ୍କା ଲୁଟର ଦୁଇ ମାଷ୍ଟରମାଇଣ୍ଡ ଏବେ ପୋଲିସ କବଳରେ । ସେମାନେ ହେଲେ ପଞ୍ଜାବର ସମର ଜଟ୍ ସିଂ ଓ ଆଉ ଜଣେ କେରଳର ଜାଫର ସାଦିକ । ଅଭିଯୁକ୍ତଙ୍କ ନିକଟରୁ 32 ଲକ୍ଷ ଟଙ୍କା ସମେତ 9 ଟା 500 ଟଙ୍କିଆ ପୋଡା ନୋଟ ଓ ଦୁଇଟି ଦାମୀ ଫୋନ ଜବତ କରାଯାଇଛି । ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ 3 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଚଳିତ ମାସ 16 ତାରିଖରେ ବିଶାଖାପାଟନମରୁ ବିମାନରେ ହାଇଦ୍ରାବାଦରେ ପହଞ୍ଚିଥିଲେ ଦୁଇ ଦୁର୍ବୃତ୍ତ । ଏହାପରେ ସେମାନେ ଚୋରି କରିବା ପାଇଁ ଅନେକ ସ୍ଥାନ ବୁଲି ଦେଖିଥିଲେ । ଶେଷରେ ସୁନ୍ଦରନଗରରେ ଥିବା ଏସବିଆଇ ଏଟିଏମକୁ ବାଛିଥିଲେ । ଲୁଟ ପାଇଁ ଆବଶ୍ୟକ ପଡୁଥିବା ଗ୍ୟାସ କଟର ମଧ୍ୟ ଚୋରି କରିଥିଲେ ଏବଂ ଚତୁରତାର ସହ 22 ତାରିଖ ମଧ୍ୟରାତିରେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ କାଟି ଟଙ୍କା ଚୋରି କରିଥିଲେ । ପ୍ରମାଣ ଲୁଚାଇବା ପାଇଁ ଏଟିଏମରେ ଲାଗିଥିବା ସିସିଟିଭି ତାର ମଧ୍ୟ ସେମାନେ କାଟି ଦେଇଥିଲେ । ଲୁଟ କରି ସାରିବା ପରେ ସେମାନେ ପୁଣି ବିମାନ ଯୋଗେ ବେଙ୍ଗାଲୁରୁ ପଳାଇଥିଲେ ।
ଏନେଇ ଅକ୍ଟୋବର 23 ତାରିଖରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଶାଖାପଟନମ ପୋଲିସ କମିଶନର ମନୀଷ କୁମାର 6 ଟି ସ୍ବତନ୍ତ୍ର ଟିମ ଗଠନ କରିଥିଲେ । ବେଙ୍ଗାଲୁରୁ ଓ ଅନନ୍ତପୁର ପୋଲିସ ସହାୟତାରେ ଲୁଟର ମାତ୍ର 36 ଘଣ୍ଟା ମଧ୍ୟରେ ପୋଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ