କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ମଧ୍ୟରେ ଚାଲିଥିବା ବିବାଦ ନାଟକୀୟ ରୂପ ନେଇଛି । ସମ୍ବିଧାନରେ ରାଜ୍ୟପାଳଙ୍କୁ ରାଜ୍ୟର ପ୍ରଥମ ନାଗରିକର ମାନ୍ୟତା ଦିଆଯାଇଥିବା ସତ୍ତ୍ବେ ଗୁରୁବାର ରାଜ୍ୟପାଳଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିନାହିଁ । ଜଗଦୀପ ଆଜି ବିଧାନସଭା ପହଞ୍ଚିଥିବା ବେଳେ ତାଙ୍କ ପାଇଁ ଉଦ୍ଧିଷ୍ଟ ପ୍ରବେଶ ଦ୍ବାର ଖୋଲାଯାଇନଥିଲା । ଫଳରେ ବାଧ୍ୟ ହୋଇ ସେ ଅନ୍ୟ ଗେଟ୍ ଦେଇ ବିଧାନସଭାରେ ପ୍ରବେଶ କରିଛନ୍ତି।
ଗତ ମଙ୍ଗଳବାର ଠାରୁ ମମତା ସରକାର ପଶ୍ଚିମବଙ୍ଗ ବିଧାନସଭା ମୁଲତବୀ ରଖିଛନ୍ତି। ତେବେ ଆଜି ରାଜ୍ୟପାଳ ବିଧାନସଭାର ଐତିହାସିକ ବିଲଡିଂ ଦେଖିବାକୁ ଚାହିଁଥିଲେ। ଏହାପରେ ସେ ଲାଇବ୍ରେରୀ ମଧ୍ୟ ଯାଇଥାନ୍ତେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ସୂଚନା ମଧ୍ୟ ଦେଇଥିଲେ । ପ୍ରଟୋକଲ ହିସାବରେ ରାଜ୍ୟପାଳଙ୍କୁ ଗେଟ ନମ୍ବର 3 ଦେଇ ବିଧାନସଭାରେ ପ୍ରବେଶ କରନ୍ତି । ହେଲେ ସେ ବିଧାନସଭାରେ ପହଞ୍ଚିବା ପରେ ଏହି ଗେଟ୍ରେ ତାଲା ପଡ଼ିଥିଲା। ଏହାପରେ ସେ ଅସନ୍ତୋଷ ପ୍ରକାଶ କରି କିଛି ସମୟ ପର୍ଯ୍ୟନ୍ତ ଗେଟ୍ ସମ୍ମୁଖରେ ହିଁ ଠିଆ ହୋଇଥିଲେ । ପରେ ସେ ଗେଟ୍ ନମ୍ବର 2 ଦେଇ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ ।
ଏନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ଜାଣିଶୁଣି ବିଧାନସଭାରେ ପ୍ରବେଶ କରିବାକୁ ଦିଆଯାଇନାହିଁ । ବିଧାନସଭା ମୁଲତବୀ ହେବାର ଅର୍ଥ ନୁହେଁ, ଏହା ବନ୍ଦ ହୋଇ ଯାଇଛି। ବିଧାନସଭା ମୁଲତବୀ ରହିଲେ ବି ପୂରା ସଚିବାଳୟ ଖୋଲା ରହିବା କଥା। ଏହା ଅତ୍ୟନ୍ତ ଅପମାନର ବିଷୟ । ଏହା ଗଣତନ୍ତ୍ରର ଅପମାନ । ଏଭଳି କରି ମୋତେ ଅପମାନ କରାଯାଇନାହିଁ, ରାଜ୍ୟର ଲୋକଙ୍କୁ ଅପମାନିତ କରାଯାଇଛି ବୋଲି ସେ କହିଛନ୍ତି ।