ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ 4ଜି ସେବା ପୁଣି ଥରେ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଆବେଦନକାରୀ ସଂଗଠନ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ହୁଜେଫା ଅହମ୍ମଦ ଶୁଣାଣି ସମୟରେ କହିଛନ୍ତି ଯେ ଅନେକ ଅଞ୍ଚଳରେ ଜୁମ୍ ମାଧ୍ୟମରେ ଭିଡିଓ କ୍ଲାସ୍ ନିଆଯାଉଛି । କିନ୍ତୁ ଜମ୍ମୁ-କାଶ୍ମୀରର ପିଲାମାନେ ଏହି ସୁବିଧା ପାଇନାହାଁନ୍ତି । ଖରାପ ଇଣ୍ଟରନେଟ୍ ସେବା ଯୋଗୁଁ ଚିକିତ୍ସା ସୁବିଧା ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି । ଏପରିକି ଡାକ୍ତରମାନେ ଏତେ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇ ନାହାଁନ୍ତି ଯାହାକୁ ସେମାନେ ପାଇବା ଉଚିତ୍ ।
ବିନା 4ଜି ରେ ରୋଗୀମାନେ ଭିଡିଓ କଲିଂ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ ନାହିଁ । ଧାରା 21 ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କର ଡାକ୍ତରୀ ସେବା ପାଇବାକୁ ଅଧିକାର ଅଛି । ଧାରା 21 ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କ ଜୀବନ ଏବଂ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା ପାଇବାକୁ ଅଧିକାର ଅଛି । ଧାରା 21-A ଅନୁଯାୟୀ, 6-14 ବର୍ଷର ସମସ୍ତ ପିଲା ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପାଇବେ ।
ହୁଜେଫା ଅହମ୍ମଦ କହିଛନ୍ତି ଯେ କୋରୋନା ମହାମାରୀର ଏହି ସଙ୍କଟ ମଧ୍ୟରେ ଜମ୍ମୁ-କାଶ୍ମୀରର ନାଗରିକଙ୍କଠାରୁ ଏହି ଅଧିକାର ଛଡ଼ାଇ ନିଆଯାଉଛି । ସେପଟେ ସ୍କୁଲ ସଂଗଠନ ପକ୍ଷରୁ ବରିଷ୍ଠ ଆଡଭୋକେଟ ସଲମାନ ଖୁରସିଦ କହିଛନ୍ତି ଯେ ଭିଡିଓ କ୍ଲାସ ମାଧ୍ୟମରେ ସମସ୍ତ ଘରୋଇ ବିଦ୍ୟାଳୟକୁ ଶିକ୍ଷା ଦେବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି । ତେଣୁ ଅଧିକାର ଅଧୀନରେ ଥିବା ସମସ୍ତ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ଆମର କର୍ତ୍ତବ୍ୟ । ରାଜ୍ୟ ସରକାର ଦାଖଲ କରିଥିବା ଆଫିଡେଭିଟ୍ରେ କୁହାଯାଇଛି ଯେ ସେଠାରେ ସ୍ଥିତିର ସାପ୍ତାହିକ ସମୀକ୍ଷା କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମୀକ୍ଷାର ସୂଚନା ସାର୍ବଜନୀନ କରାଯାଇ ନାହିଁ ।
ଗତ ମାସରେ ସୁପ୍ରିମକୋର୍ଟ କୋରୋନା ଭାଇରସ ମହାମାରୀ ପରେ ଜମ୍ମୁ-କାଶ୍ମୀରରେ 4ଜି ଇଣ୍ଟରନେଟ୍ ସେବା ପୁଣିଥରେ ଆରମ୍ଭ କରିବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ଏପ୍ରିଲ 27 ସୁଦ୍ଧା ଜବାବ ଦେବାକୁ କେନ୍ଦ୍ର ଏବଂ ଜାମ୍ମୁ କାଶ୍ମୀର ପ୍ରଶାସନକୁ କହିଥିଲେ । ସୂଚନା ଥାଉକି ଅଗଷ୍ଟ 2019 ରେ ମୋଦି ସରକାରଙ୍କ ଦ୍ବାରା ଧାରା 370 ହଟାଯିବା ପରଠାରୁ ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ଏବଂ ଫୋନ୍ ସେବାକୁ ବନ୍ଦ କରାଯାଇଛି ।