ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କୋରୋନା ସଂକ୍ରମଣ ମାମଲା 7 ଲକ୍ଷ ପାର କରିଛି । ତେବେ ଏସବୁ ସତ୍ବେ ଦେଶରେ ଗୋଷ୍ଠୀ ସଂକ୍ରମଣ ହେଇନଥିବା ଲଗାତାର ଦାବି କରୁଛନ୍ତି ସରକାର। ଗୁରୁବାର ପୁଣିଥରେ ଏଭଳି ଦାବି କରିଛନ୍ତି କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ।
ଶୁକ୍ରବାର ଆମେ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲୁ । ଦେଶରେ ଗୋଷ୍ଠୀ ସଂକ୍ରମଣ ହେଇନଥିବା ସେମାନେ କହିଛନ୍ତି । କିଛି ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ । କିନ୍ତୁ ସମଗ୍ର ଦେଶରେ ଦେଖିବାକୁ ଗଲେ ଗୋଷ୍ଠୀ ସଂକ୍ରମଣ ନଥିବା ହର୍ଷବର୍ଦ୍ଧନ କହିଛନ୍ତି । ସେ କହିଛନ୍ତି, ଦେଶରେ ସୁସ୍ଥ ହାର 62.08 ପ୍ରତିଶତ ରହିଛି । ଦେଶର ମୃତ୍ୟୁହାର ବିଶ୍ବରେ ସବୁଠାରୁ କମ ରହିଛି । ଦେଶରେ ମୃତ୍ୟୁହାର କେବଳ 2.72 ପ୍ରତିଶତ ରହିଛି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମେ ଟିଭିରେ ଦେଖୁଛୁ ଭାରତ ତୃତୀୟ ସର୍ବାଧିକ କୋରୋନା ପ୍ରଭାବିତ ଦେଶ ହୋଇଛି । କିନ୍ତୁ ଏହାକୁ ସଠିକ୍ ଦୃଷ୍ଟିକୋଣରେ ଦେଖିବା ଆବଶ୍ୟକ । ଆମେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ପ୍ରତି ମିଲିୟନରେ ଦେଶର କୋରୋନା ସଂକ୍ରମଣ ମାମଲା 538 ରହିଥିବାବେଳେ ବିଶ୍ୱରେ ହାରାହାରି 1,453 ରହିଛି ବୋଲି ସେ କହିଛନ୍ତି ।