ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ଆକ୍ରୋଶର ନିଆଁ ଥମିବାକୁ ନାଁ ନେଉନାହିଁ । ଗୋଟିଏ ପକ୍ଷେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାର ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷେ ସମ୍ପୂର୍ଣ୍ଣ ମାମଲାରେ ଉତ୍ତରପ୍ରଦେଶର ପୋଲିସ ପ୍ରଶାସନ କାର୍ଯ୍ୟପ୍ରଣାଳୀ ଏବେ ପ୍ରଶ୍ନ ଘେରରେ । ଏପରିସ୍ଥିତିରେ ଘଟଣାକୁ ନେଇ ଉତ୍ତରପ୍ରଦେଶ ପୋଲିସ ଉପରେ ଆଙ୍ଗୁଳି ଉଠାଇଛନ୍ତି ବିଜେପି ନେତ୍ରୀ ଉମା ଭାରତୀ ।
ଉମା ଭାରତୀ କହିଛନ୍ତି, ସେ ଜଣେ ଦଲିତ ପରିବାରର ଝିଅ ଥିଲେ। ପୋଲିସ ତରବରିଆ ଭାବେ ତାଙ୍କ ଅନ୍ତିମ ସଂସ୍କାର କରିଛି । ବର୍ତ୍ତମାନ ପରିବାର ଓ ଗ୍ରାମବାସୀଙ୍କୁ ବନ୍ଦୀ କରିଛି ପୋଲିସ । ଏପରି କୌଣସି ନିୟମ ନାହିଁ ଯେ ଏସଆଇଟି ଯାଞ୍ଚ ସମୟରେ ପରିବାର କାହାକୁ ଭେଟି ପାରିବେ ନାହିଁ | ଏହି କାରଣରୁ ଏସଆଇଟିର ଅନୁସନ୍ଧାନ ସନ୍ଦେହ ଘେରକୁ ଆସିବ।
ଉମା ଭାରତୀ କହିଛନ୍ତି ଯେ ଆମେ ରାମ ମନ୍ଦିରର ମୂଳଦୁଆ ପକାଇଛୁ ଏବଂ ଦେଶରେ ରାମ ରାଜ୍ୟ ପ୍ରତିଷ୍ଠା ପାଇଁ ଦାବି କରିଛୁ, କିନ୍ତୁ ଏହି ଘଟଣାରେ ପୋଲିସର ସନ୍ଦେହଜନକ କାର୍ଯ୍ୟ ଉତ୍ତରପ୍ରଦେଶ ସରକାର ଏବଂ ବିଜେପିର ଭାବମୂର୍ତ୍ତିକୁ ନଷ୍ଟ କରିଛି । ତେବେ ଗଣମାଧ୍ୟମ କର୍ମୀ ଏବଂ ଅନ୍ୟ ରାଜନୈତିକ ଦଳଗୁଡିକୁ ପୀଡିତାଙ୍କ ପରିବାର ସହ ଭେଟିବାକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି ଉମା ।