ଲକ୍ଷ୍ନୌ: ପଶୁଙ୍କ ସମସ୍ତ ରୋଗରୁ ରକ୍ଷା କରିବା ପାଇଁ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି ଟ୍ୟାଗିଂ ବ୍ୟବସ୍ଥା । ଏହି ଅଧୀନରେ ବର୍ତ୍ତମାନ ଉତ୍ତରପ୍ରଦେଶର ହାଥରସ ଅଞ୍ଚଳରେ ଗୃହପାଳିତ ପଶୁମାନଙ୍କର ଆଧାର କାର୍ଡ ତିଆରି କରାଯିବା ଅଭିଯାନ ଆରମ୍ଭ ହୋଇଛି । ଏଠାରେ ସମସ୍ତ ଗୃହପାଳିତ ପଶୁମାନଙ୍କ କାନରେ ସ୍ବତନ୍ତ୍ର ପରିଚୟ ନମ୍ବରର ଟ୍ୟାଗ୍ ରଖାଯିବ ଏବଂ ଏହି ସଂଖ୍ୟା ସାରା ଦେଶରେ ଗୋଟିଏ ପଶୁକୁ ଦିଆଯିବ । ଏହି ଟ୍ୟାଗ ନମ୍ବର ଉପରେ ଆଧାର କରି ପଶୁମାଲିକଙ୍କ ବିବରଣୀ କମ୍ପ୍ୟୁଟରରେ ରେଜିଷ୍ଟର କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଗତ ବର୍ଷ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟ ଉପ ପଶୁ ଚିକିତ୍ସା ଅଧିକାରୀ ଡକ୍ଟର ବି ଗୋଏଲ ଏହା ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ବିଶେଷ କରି ଗାଈମାନଙ୍କର ଆଧାର କାର୍ଡ ପ୍ରଦାନ କରାଯିବ, ଯେଉଁଥିରେ ଗାଈମାନଙ୍କୁ ସ୍ବତନ୍ତ୍ର ପରିଚୟ ନମ୍ବର ସହିତ ଟ୍ୟାଗ୍ କରାଯିବ । ଏପରି କରିବା ଦ୍ବାରା ବ୍ରୁସେଲୋସିସ୍ ଭଳି ଅନ୍ୟାନ୍ୟ ରୋଗକୁ ରୋକିବା ପାଇଁ ମାଗଣାରେ ଚିକିତ୍ସା ପାଇପାରିବେ ।
ସାଦାବାଦ ବ୍ଲକର 51 ଗ୍ରାମ ପଞ୍ଚାୟତରେ ଗାଈଙ୍କ କାନରେ ପ୍ଲାଷ୍ଟିକ୍ ଟ୍ୟାଗ୍ ଦିଆଯାଇଛି । ଏହି ଟ୍ୟାଗରେ 12 ଅଙ୍କ ବିଶିଷ୍ଟ ପରିଚୟ ନମ୍ବର ଲେଖାଯାଇଛି । ଏହି ସଂଖ୍ୟା ସମଗ୍ର ଦେଶରେ କେବଳ ଗୋଟିଏ ପଶୁକୁ ଦିଆଯାଇଛି । ଏହି କୋଡ୍ ନମ୍ବର ଉପରେ ଆଧାର କରି ଗୃହପାଳିତପଶୁ ଏବଂ ପଶୁ ମାଲିକଙ୍କ ବିବରଣୀ କମ୍ପ୍ୟୁଟରରେ ଆସିଯିବ । ପ୍ରତ୍ୟେକ ଗ୍ରାମପଞ୍ଚାୟତଠାରୁ 2 ଜଣଙ୍କୁ ଟୀକାକରଣକାରୀ ଏବଂ ସହାୟକ ଭାବରେ ମନୋନୀତ କରାଯାଇଛି । ଏହି ମନୋନୀତ ବ୍ୟକ୍ତି ଏହି ଗ୍ରାମପଞ୍ଚାୟତର ସମସ୍ତ ଗୃହପାଳିତପଶୁମାନଙ୍କ ପାଇଁ ପରିଚୟ ନମ୍ବର ବା ଟ୍ୟାଗ୍ ଦେବାର ବ୍ୟବସ୍ଥା କରିବେ । ଏଥିସହିତ ପଶୁ ସମ୍ପଦ ପ୍ରଚାର ଅଧିକାରୀ ନେହା ଶର୍ମା ଇଏନଏଏଫ ପୋର୍ଟାଲ ଅନୁଯାୟୀ ସବିଶେଷ ତଥ୍ୟ ଟ୍ୟାଗ୍ ଏବଂ ଅପଲୋଡ୍ କରିବାକୁ ସମସ୍ତଙ୍କୁ ତାଲିମ ଦେଉଛନ୍ତି ।