ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଲୋକସଭାରେ ନିଜ ବୟାନ ରଖିଛନ୍ତି । ଭାଇରସ ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ବାରା ଉଠାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ହର୍ଷବର୍ଦ୍ଧନ । ଦେଶରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ 73 ଛୁଇଁଛି ।
କୋରୋନା ଭାଇରସ ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ଯେ ବିଦେଶରୁ ଆସୁଥିବା ଲୋକଙ୍କ ଯାଞ୍ଚ କରାଯାଉଛି । ପ୍ରତିଦିନ ସମସ୍ତ ରାଜ୍ୟରୁ ସ୍ବାସ୍ଥ୍ୟ ରିପୋର୍ଟ ନିଆଯାଉଛି । ସବୁ ରାଜ୍ୟର ରାଜ୍ୟସରକାଙ୍କ ସହ ସମ୍ପର୍କରେ ଅଛୁ । ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଦେଶର 51ଟି ଲ୍ୟାବରେ କୋରୋନା ଆକ୍ରାନ୍ତଙ୍କ ନମୁନାର ପରୀକ୍ଷା ଚାଲିଥିବା ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ କୋରୋନା ଭାଇରସ ସହ ଲଢେଇ ପାଇଁ ବିପକ୍ଷର ସହଯୋଗ ଲୋଡିଛନ୍ତି ହର୍ଷବର୍ଦ୍ଧନ । ସେ କହିଛନ୍ତି ଯେ ଇରାନରେ ଫସିଥିବା ଭାରତୀୟଙ୍କୁ ଏଠାକୁ ନଆଣି ଭାରତର ବୈଜ୍ଞାନିକଙ୍କୁ ପଠାଯାଇ ସେଠାରେ ଲ୍ୟାବ ନିର୍ମାଣର ବ୍ୟବସ୍ଥା କରାଯାଉଛି । ଅନ୍ୟଦେଶରେ ବ୍ୟାପିଥିବା କୋରୋନା ଭାଇରସ କବଳରୁ ଭାରତୀୟଙ୍କୁ ଫେରାଇଆଣିବା ଆମର କର୍ତ୍ତବ୍ୟ ବୋଲି ହର୍ଷବର୍ଦ୍ଧନ ସବୁ ସାଂସଦଙ୍କୁ ଆଶ୍ବାସନ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ