ନୂଆଦିଲ୍ଲୀ: ଗୁଜୁରାଟର ପୂର୍ବ ଗୃହମନ୍ତ୍ରୀ ହରେନ ପାଣ୍ଡ୍ୟାଙ୍କ ହତ୍ୟା ମାମଲାରେ ସୁପ୍ରିମ କୋର୍ଟ 12 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । 2011 ମସିହାରେ ଗୁଜୁରାଟ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଖଲାସ କରିଥିଲେ । ଏହା ବିରୋଧରେ ସିବିଆଇ ଏବଂ ଗୁଜୁରାଟ ସରକାର ସୁପ୍ରିମ କୋର୍ଟରେ ମାମଲା ରୁଜୁ କରାଯାଉ ବୋଲି ଆବେଦନ କରିଥିଲେ ।
2003 ମାର୍ଚ୍ଚ 26 ତାରିଖରେ ହରେନ ପାଣ୍ଡ୍ୟା ସକାଳ ପ୍ରାତଃ ଭ୍ରମଣରେ ବାହାରିଥିଲେ । ସେହି ସମୟରେ ଅହମଦାବାଦର ଲ’ ଉଦ୍ୟାନ ନିକଟରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ସିବିଆଇ ଅନୁସାରେ ରାଜ୍ୟରେ 2002 ସାମ୍ପ୍ରଦାୟିକ ଦଙ୍ଗାର ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ କରାଯାଇଥିଲା । ଏହି ମାମଲାରେ ଜିଲ୍ଲା କୋର୍ଟ ଆତଙ୍କବାଦ ନିରୋଧ ଆଇନ ଅନୁସାରେ 12 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି 5 ବର୍ଷରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ରାୟ ଦେଇଥିଲେ ।
ସେପଟେ ଗୁଜରାଟ ହାଇକୋର୍ଟ 2011 ଅଗଷ୍ଟ 29ରେ ଜିଲ୍ଲା କୋର୍ଟର ରାୟକୁ ବଦଳାଇ ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଦେଇଥିଲେ । ଏହି ରାୟ ବିରୋଧରେ ସିବିଆଇ ଏବଂ ରାଜ୍ୟ ପୋଲିସ 2012ରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ବଦଳାଇ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।