ଗାନ୍ଧୀନଗର: ଗତ କିଛି ଦିନ ହେବ ଅଚାନକ ଗାଏବ ହୋଇଯାଇଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ । ତାଙ୍କର କୌଣସି ଖୋଜଖବର ମିଳୁନି । ଏହାକୁ ନେଇ ଗୁଜୁରାଟରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି । କୁଆଡେ ଗଲେ ହାର୍ଦ୍ଦିକ ତାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ହାର୍ଦ୍ଦିକଙ୍କ ନିଖୋଜ ଖବରକୁ ବଡ ବୟାନ ଦେଇଛନ୍ତି ତାଙ୍କ ପତ୍ନୀ କିନଜଲ ପଟେଲ ।
ହାର୍ଦ୍ଦିକଙ୍କ ନିଖୋଜ ହେବା ଘଟଣା ପାଇଁ ଗୁଜୁରାଟ ସରକାରଙ୍କୁ ଦାୟୀ କରିଛନ୍ତି ସେ । ଏନେଇ ପୋଲିସ ମହାନିର୍ଦ୍ଦେଶକ କିନଜଲଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ରାଜ୍ୟ ସରକାରଙ୍କ ମେସିନାରୀ ବିଭାଗ ଜାଣିସୁଣି ହାର୍ଦ୍ଦିକଙ୍କୁ ହଇରାଣ କରୁଥିବା କିନଜଲ କହିଛନ୍ତି । ବିନା ଦୋଷରେ ତାଙ୍କୁ ଦେଶଦ୍ରୋହ ମାମଲାରେ ଫସେଇ ଦିଆଯାଇଛି । ଯାହା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ।
ପ୍ରକାଶ ଯେ, ଗତ 2015ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇଛନ୍ତି ହାର୍ଦ୍ଦିକ । ବର୍ତ୍ତମାନ ସୁଦ୍ଧା ତାଙ୍କ ନାଁରେ 20ରୁ ଊର୍ଦ୍ଧ୍ବ ମାମଲା ରହିଛି । ସେଥିରୁ ଅଧିକାଂଶ ଦେଶଦ୍ରୋହ ଓ ବିକ୍ଷୋଭ ପ୍ରଦର୍ଶନ ଭଳି ମାମଲା ରହିଛି । ତେବେ ଗତ 18ରୁ ସେ ନିଖୋଜ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ