ଭୋପାଳ: ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ କମଲନାଥ ସରକାରଙ୍କୁ ସୋମବାର ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଲାଲଜୀ ଟଣ୍ଡନ । ଅନ୍ୟପକ୍ଷେ ମଧ୍ୟପ୍ରଦେଶରେ ପୁଣି ଥରେ ସରକାର ଗଢିବାକୁ ଆଶା ରଖିଥିବା ଭାରତୀୟ ଜନତା ପାର୍ଟି ନିଜର ସମସ୍ତ ବିଧାୟକଙ୍କୁ ବହୁମତ ପରୀକ୍ଷଣ ସମୟରେ ବିଧାନସଭାରେ ଉପସ୍ଥିତ ରହିବାକୁ ହ୍ବିପ ଜାରି କରିଛି ।
ମଧ୍ୟପ୍ରଦେଶରେ ସରକାର ଗଢିବାକୁ ବିଜେପି ଓ କଂଗ୍ରେସ ମଧ୍ୟରେ ଟଣା ଓଟରା ଜାରି ରହିଛି । ଗୋଟିଏ ପକ୍ଷେ କଂଗ୍ରେସ ନିଜ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପକ୍ଷେ ବିଜେପି ନିଜର ସଂଖ୍ୟା ଗରିଷ୍ଠତା ବଳରେ ମଧ୍ୟ ପ୍ରଦେଶର ଗାଦି ଅକ୍ତିଆର କରିବାକୁ ପ୍ରୟାସ ଜାରି ରଖିଛି । ବହୁମତ ସାବ୍ୟସ୍ତ ପାଇଁ ଅଙ୍କ କଷିବାକୁ ବିଜେପି ନେତା ନରେନ୍ଦ୍ର ସିଂହ ତୋମାରଙ୍କ ବାସଭବନରେ ଦଳୀୟ ନେତାଙ୍କ ବୈଠକ ହୋଇଥିଲା । ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ ।
କଂଗ୍ରେସରୁ 22 ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାରଙ୍କ ଉପରେ ସଙ୍କଟର କଳାବାଦଲ ଛାଇରହିଛି । ଏପରି ସ୍ଥିତିରେ ଯଦି କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଶକ୍ତି ପରୀକ୍ଷଣ ସମୟରେ ବିଧାନସଭାରେ ଅନୁପସ୍ଥିତ ରୁହନ୍ତି, ତାହାଲେ ସରକାର ଅଳ୍ପମତକୁ ଚାଲିଆସିବ । ଫଳରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ବଳରେ ସରକାର ଗଠନ ପାଇଁ ଦାବି ଜଣାଇବାକୁ ସହଜ ହେବ ।
@ANI