ନୂଆଦିଲ୍ଲୀ: ପ୍ରସ୍ତୁତ ହେଉଛି ତିହାର ଜେଲର ଫାଶୀ କୋଠରୀ ନଂ 3 । ତେବେ ଏଥର ଏହି ଫାଶୀ କୋଠରୀ ନିର୍ଭୟା ଦୋଷୀ ମାନଙ୍କ ପାଇଁ ସଫା ସୁତୁରା କରାଯାଇ ପ୍ରସ୍ତୁତ କରାଯାଉଛି ବୋଲି ଅନୁମାନ କରାଯାଉଛି । କାରଣ ଆସନ୍ତା 16ତାରିଖ ମଧ୍ୟରେ ନିର୍ଭୟା ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇପାରେ ବୋଲି ଆନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ବିନୟ ଶର୍ମା ତରଫରୁ ଜେଲ ପ୍ରଶାସନ ଏବଂ ଦିଲ୍ଲୀ ସରକାରଙ୍କ ପାଖକୁ ଏକ ରାଜକ୍ଷମା ଯାଚିକା ପଠାଯାଇଥିଲା । ଏହାପରେ ଦିଲ୍ଲୀ ସରକାର ଏହାକୁ ଖାରଜ କରିବା ଦାବିରେ ଗୃହ ମନ୍ତ୍ରାଳୟକୁ ପଠାଇଛନ୍ତି । ତେବେ ଗୃହମନ୍ତ୍ରାଳୟ ରାଜକ୍ଷମା ଯାଚିକାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ନେଇ ସୂଚନା ଥିବାବେଳେ ଚଳିତ ମାସ ମଧ୍ୟରେ ଏହାର ଫଇସଲା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହିଭଳି ଜଘନ୍ୟ ଅପରାଧର କ୍ଷମା ଯାଚିକାକୁ ଖାରଜ କରାଯିବା ନେଇ ମଧ୍ୟ ଅନୁମାନ କରାଯାଉଛି ।
ଏପଟେ ଏହାକୁ ଖଣ୍ଡନ କରଛନ୍ତି ବିନୟ ଶର୍ମାଙ୍କ ଓକିଲ ଏପି ସିଂ । ସେ କହିଛନ୍ତି ଦିଲ୍ଲୀ ସରକାର ଯେଉଁ ରାଜକ୍ଷମା ଯାଚିକା ସମ୍ପର୍କରେ କହୁଛନ୍ତି ପ୍ରକୃତରେ ତାହା ବିନୟ ଶର୍ମାଙ୍କର ନୁହେଁ । ଆଗକୁ ନିର୍ବାଚନ ରହିଛି ସେଥିପାଇଁ ସରକାର ବିନୟ ଶର୍ମାଙ୍କୁ ନିର୍ବାଚନ ଜିତିବା ପାଇଁ ବ୍ୟବହାର କରୁଛନ୍ତି ।
ସେପଟେ ଜେଲର ସୂଚନା ଅନୁଯାୟୀ, ତିହାର ଜେଲର ଫାଶୀ ପାଇଁ ନିର୍ମିତ ହୋଇଥିବା 3 ନଂ କୋଠରୀକୁ ସଫା କରାଯାଉଛି । ତେବେ ଏହା ପୂର୍ବରୁ ଏଠାରେ ସଂସଦରେ ଆକ୍ରମଣ କରିବା ଦୋଷରେ ଅଭିଯୁକ୍ତ ଅଫଜଲକୁ ଫାଶୀ ଦଣ୍ଡ ଦିଆଯାଇଥିଲା । ତେବେ ପୁଣି ଥରେ ଏହି କୋଠରୀକୁ ସଫା ସୁତୁରା କରାଯାଇ ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ପ୍ରସ୍ତୁତ କରାଯାଉଛି । ଏଥିସହ ବକ୍ସର ସେଣ୍ଟ୍ରାଲ ଜେଲ୍କୁ 10ଟି ଫାଶୀ ତିଆରି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।