ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୋଗ ଅନୁଷ୍ଠାନ ଏବଂ ଜିମ୍ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଅଗଷ୍ଟ 5ରେ ଜିମ୍ ଏବଂ ଯୋଗ ଅନୁଷ୍ଠାନ ଖୋଲିବାକୁ ଥିବାବେଳେ କୋରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।
ନୂଆ ଗାଇଡଲାଇନ ଅନୁଯାୟୀ, କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଜିମ ଏବଂ ଯୋଗ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯିବ । 65 ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍ ପିଲାମାନଙ୍କୁ ଜିମ୍ ଏବଂ ଯୋଗ ଅନୁଷ୍ଠାନକୁ ଆସିବାକୁ ଅନୁମତି ଦିଆଯିବ ନାହିଁ । କାର୍ଡିଓ ଏବଂ ଷ୍ଟ୍ରେନ୍ଥ ମେସିନର ସ୍ଥାନ ପରସ୍ପରଠାରୁ ଅତି କମରେ ଛଅ ଫୁଟ ଦୂରରେ ରହିବ ।
ଏହାଛଡା ଭିଡ଼ ପରିଚାଳନା କରିବା ସମୟରେ ସାମାଜିକ ଦୂରତା ଏବଂ ସ୍ବଚ୍ଛତା ନିୟମ ପାଳନ କରାଯିବ । ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ । ସେହିପରି ଯୋଗ ଏବଂ ଅନ୍ୟାନ୍ୟ ବ୍ୟାୟାମ ସମୟରେ ମାସ୍କ ଯାଗାରେ ଭିଜର୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଏନ-95 ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗାଇଡଲାଇନ ଅନୁଯାୟୀ, ସିପିଡବ୍ଲ୍ୟୁଡିର ପରାମର୍ଶ ଅନୁଯାୟୀ ଇନଡୋର ଗୁଡିକରେ 24 ଡିଗ୍ରୀରୁ 30 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ଉଚିତ । ଏହାଛଡା ଗାଇଡଲାଇନରେ କ୍ୟାସଲେସ ପେମେଣ୍ଟ ପଦ୍ଧତିକୁ ପ୍ରୋତ୍ସାହିତ କରାଯିବାକୁ କୁହାଯାଇଛି । ସଂସ୍ଥାଗୁଡ଼ିକର ପରିଚାଳନା ଏବଂ ଲୋକଙ୍କ ପାଇଁ ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।