ଅମରାବତୀ: ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଆନ୍ଧ୍ରପ୍ରଦେଶରେ ଦେଖା ଦେଇଛି ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ଦୁଇ ଦଳର ଜଣେ ଜଣେ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ତାଡିପତ୍ତି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବୀରାପୁରମ ଗାଁରେ ଘଟିଛି । ମୃତକଙ୍କ ନାମ ହେଉଛି ୱାଇଏସଆର କଂଗ୍ରେସର ପୁଲ୍ଲା ରେଡ୍ଡି ଓ ଟିଡିପିର ସିଦ୍ଧି ଭାସ୍କର ରେଡ୍ଡି ।
ସେହିପରି ରାଜ୍ୟର ପୁଥୁଲାପଟ୍ଟୁ ବିଧାନସଭା ଆସନର ୱାଇଏସଆର କଂଗ୍ରେସ ପ୍ରାର୍ଥୀ ଏମଏସ ବାବୁଙ୍କ ଉପରେ ଆକ୍ରମଣ ହେବାସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରାଯାଇଛି । ଏହି ଘଟଣା ପଛରେ ଟିଡିପି ନେତାଙ୍କ ହାତ ରହିଥିବାର ଅଭିଯୋଗ କରିଛି ୱାଇଏସଆର କଂଗ୍ରେସ ।
ସୂଚନାଯୋଗ୍ୟ ସାଧାରଣ ନିର୍ବାଚନ ପାଇଁ ସମ୍ପନ୍ନ ହୋଇଛି ପ୍ରଥମ ପର୍ଯ୍ୟାୟର ମତଦାନ । ୯୧ଟି ଲୋକସଭା ଆସନ ପାଇଁ ୨୦ଟି ରାଜ୍ୟର ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ଆନ୍ଧ୍ର ପ୍ରଦେଶର ୧୭୫ଟି ବିଧାନସଭା ଆସନ ଓ ୨୫ଟି ଲୋକସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯାଇଛି । କିନ୍ତୁ ଏହି ମତଦାନ ବେଳେ ଅଶାନ୍ତ ହୋଇଛି ଆନ୍ଧ୍ର ପ୍ରଦେଶ । ରାଜ୍ୟର କ୍ଷମତାଧାରୀ ଦଳ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ବିରୋଧୀ ୱାଇଏସଆର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହୋଇଛି ଜୋରଦାର ସଂଘର୍ଷ ।