ହାଇଦ୍ରାବାଦ: ଦିଲ୍ଲୀର ପ୍ରଚଣ୍ଡ ବାୟୁ ପ୍ରଦୂଷଣ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି । ଏହି ବାୟୁ ପ୍ରଦୂଷଣ ବର୍ତ୍ତମାନ ସମାଜ ଉପରେ ଗୁରୁତର ଭାବେ ପ୍ରଭାବ ପକାଉଛି । ଏହି ପ୍ରଦୂଷଣ ପାଇଁ ମାନବ ସମାଜ ଯେତିକି ପରିମାଣରେ ଦାୟୀ ସେତିକି ପରିମାଣରେ ବାୟୁ ମଣ୍ଡଳର ଅସନ୍ତୁଳନତା ମଧ୍ୟ ଦାୟୀ । ମଣିଷର ଅବହେଳା ଓ ମନମୁଖୀ କାର୍ଯ୍ୟ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । 153ଟି ରାଷ୍ଟ୍ରର ପ୍ରାୟ 11 ହଜାର 258 ଜଣ ବୈଜ୍ଞାନିକଙ୍କୁ ନେଇ ଗଠିତ ଅନ୍ତରାଷ୍ଟ୍ରୀୟ ସ୍ତରର ଏକ କମିଟି ଜଳବାୟୁର ଏଭଳି ଅବସ୍ଥା ପାଇଁ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
ଅଦିନିଆ ବର୍ଷା, ବନ୍ୟା, ମରୁଡ଼ି, ଭୂ-କମ୍ପ, ସୁନାମୀ, ବାୟୁମଣ୍ଡଳର ତାପମାତ୍ରାରେ ବୃଦ୍ଧି, ଗ୍ଲାସିୟର ତରଳିବା, ସମୁଦ୍ର ପତନରେ ବୃଦ୍ଧି ଭଳି ଗୁରୁତର ସମସ୍ୟାମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ପରିବେଶ ଉପରେ ଗୁରୁତର ଭାବେ ପ୍ରଭାବ ପକାଇବ । ତେବେ ଏହା ପାଇଁ ବିଶେଷ ଭାବେ ଜଙ୍ଗଲ କ୍ଷୟକୁ ମୂଳ କାରଣ ଭାବେ ଉପସ୍ଥାପିତ କରିପାରିବା । ସହର ବୃଦ୍ଧି, ଶିଳ୍ପ ଆଦିର ବୃଦ୍ଧି ପାଇଁ ବ୍ୟାପକ ଭାବେ ଜଙ୍ଗଲ କଟାଯାଉଛି । ତେବେ ସଭ୍ୟତା ଆରମ୍ଭରୁ ମଣିଷ ଏକ ଶିକାରୀ ଭାବେ ଜନ୍ମ ନେଇଥିଲା । ପରବର୍ତ୍ତୀ କାଳରେ ସମୟ ବଦଳିବା ସହିତ ନିଜର ଆବଶ୍ୟକତା ପାଇଁ ପ୍ରକୃତି ଦତ୍ତ ସମ୍ପତ୍ତିକୁ ନଷ୍ଟ କରିବା ଆରମ୍ଭ କରିଥିଲା । ଫଳରେ ଗ୍ରୀନହାଉସ ଗ୍ୟାସର ବ୍ୟାପକ ଭାବେ ପ୍ରଭାବ ପରିବେଶ ଉପରେ ପଡ଼ିଥିଲା । ଏପରି ହେବା ଦ୍ବାରା ପ୍ରକୃତିରୁ ମିଳୁଥିବା ପାନୀୟ ଜଳ ହେଉ ଅବା ନିଶ୍ବାସ ପ୍ରଶ୍ବାସ ପାଇଁ ଆବଶ୍ୟକ ହେଉଥିବା ବାୟୁ ମଣ୍ଡଳ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି ।
ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ ଦିଲ୍ଲୀର ବାୟୁମଣ୍ଡଳ ଦିନକୁ ଦିନ ଅଧିକରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଏହା ଏଭଳି ସ୍ତରକୁ ଯାଇଛି ଯେ, କ୍ରମାଗତ ଭାବେ ତାହା ଅତି ଘାତକ ସ୍ତରରେ ରହୁଛି । ତେବେ ଏହି ପ୍ରଦୂଷଣ ପାଇଁ କେତେକ କ୍ଷେତ୍ରରେ ଭୌଗୋଳିକ ସ୍ଥିତିକୁ ମଧ୍ୟ ଦାୟୀ କରାଯାଇପାରେ । ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଞ୍ଜାବ ଏବଂ ହରିଆଣା ରହିଛି । ଏହି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଚାଷ କରାଯାଇଥାଏ । ଚାଷର ଅବଶେଷକୁ ନିଆଁ ଲଗାଇବା ଦ୍ବାରା ବ୍ୟାପକ ଭାବେ ପ୍ରଦୂଷଣ ହୋଇଥାଏ । ତେବେ ଏହି ପ୍ରଦୂଷଣ କାରଣରୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଏକ୍ୟୁଆଇ ଅନୁଯାୟୀ ଏହା 500 ପଏଣ୍ଟରୁ ଊର୍ଦ୍ଧ୍ବ ହୋଇଥିଲା । ଯଦି ଏକ୍ୟୁଆଇ ଅନୁଯାୟୀ ବାୟୁମଣ୍ଡଳର ମାତ୍ରା 400 ରୁ 500 ମଧ୍ୟରେ ରହିଥାଏ, ତେବେ ତାହାକୁ ଘାତକ ଭାବେ ପରିଗଣିତ କରାଯାଇଥାଏ । ତେବେ ଏହା ଯଦି 500 ଠାରୁ ଉପରକୁ ଯାଇଥାଏ ତେବେ ଏହାକୁ ସବୁଠାରୁ ଘାତକ ଭାବେ ପରିଗଣିତ କରାଯାଇଥାଏ ।
ତେବେ ବାୟୁମଣ୍ଡଳର ଗୁଣବତା ବିଗିଡ଼ିବା ସହିତ ଦିଲ୍ଲୀରେ ପ୍ରତିଦିନ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି । ଦିଲ୍ଲୀର ପରିବେଶ ବେଶ ଗମ୍ଭୀର ହୋଇ ପଡ଼ିଛି । ଲୋକମାନେ ବାହାରକୁ ବାହାରିଲେ ମାସ୍କ ଲଗାଇ ବାହାରୁଛନ୍ତି । କେବଳ ଦିଲ୍ଲୀ ନୁହେଁ, ଗୁରୁଗ୍ରାମ, ଗାଜିଆବାଦ, ନୋଏଡ଼ା, ଫରିଦାବାଦର ବାୟୁ ମଣ୍ଡଳର ମଧ୍ୟ ପ୍ରଦୂଷଣର ସୀମା ଅତିକ୍ରମ କରିସାରିଛି ।
ସେହିଭଳି ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ଼ ଭଳି ରାଜ୍ୟର ମଧ୍ୟ ବାୟୁମଣ୍ଡଳ ଧିରେଧିରେ ପ୍ରଦୂଷିତ ହେବାରେ ଲାଗିଛି । ଗାଡ଼ି, କଳକାରଖାନାରୁ ନିର୍ଗତ ବିଷାକ୍ତ ଧୁଆଁ ସହିତ ଚାଷଜମିରେ ଜଳୁଥିବା ଧୁଆଁ କାରଣରୁ ଏହି ପ୍ରଦୂଷିତ ବାୟୁମଣ୍ଡଳ ଆହୁରି ବିଷାକ୍ତ ହେବାରେ ଲାଗିଛି । ଶୀତ କାକର ସହିତ ଗାଡି, ଶିଳ୍ପ ଏବଂ ଚାଷ ଜମିରେ ଜଳାଯାଉଥିବା ନଡ଼ାରୁ ନିର୍ଗତ ହେଉଥିବା ଗ୍ୟାସ କାରଣରୁ ଅଣନିଶ୍ବାସୀ ହୋଇପଡ଼ୁଛି ମାନବ ସମାଜ । ଦିଲ୍ଲୀର ଦୁଇ ପଡ଼ୋଶୀ ରାଜ୍ୟ ପଞ୍ଜାବ ଏବଂ ହରିଆଣାର ସଂସ୍କୃତି ଏବଂ ପରମ୍ପରା ଦୃଷ୍ଟିରୁ ବେଶ ସମୃଦ୍ଧିଶାଳୀ । ଏହି ଦୁଇ ରାଜ୍ୟରେ ଫସଲ ମଧ୍ୟ ବେଶ ଭଲ ହୋଇଥାଏ । ଫଳରେ ସେଠାରେ ବ୍ୟାପକ ଭାବେ ଫସଲର ଅବଶେଷକୁ ଜଳା ଯାଇଥାଏ । ସାଧାରଣତଃ ଗୋଟିଏ ଟନ ନଡ଼ା ଜଳାଇଲେ 60 କିଲୋ କାର୍ବନ ମନୋକସାଇଡ଼ ଗ୍ୟାସ ଏବଂ 1400 କିଲୋଗ୍ରାମ କାର୍ବନ ଡାଇଅକସାଇଡ଼ ନିର୍ଗତ ହୋଇଥାଏ । ଏହା ସହିତ 3 କିଲୋଗ୍ରାମର ସୂକ୍ଷ୍ମ ଧୁଳିକଣା ଏବଂ ସଲଫର ଡାଇଅକସାଇଡ ନିର୍ଗତ ହୋଇଥାଏ ।
ସେପଟେ କେବଳ ବାୟୁ ମଣ୍ଡଳ ନୁହେଁ, ଏହି ନିଆଁ ଜାଳିବା ଦ୍ବାରା ମାଟିର ଉର୍ବରତା ଉପରେ ମଧ୍ୟ ବେଶ ପ୍ରଭାବ ପକାଇଥାଏ । ଏହି ନିଆଁ ଜଳିବା ଦ୍ବାରା ମାଟିରେ ଥିବା ସୁକ୍ଷ୍ମ ଜୀବ ନଷ୍ଟ ହୋଇଥାନ୍ତି । ଫଳରେ ମାଟିର ନମ୍ରତା କମିଥାଏ । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ଚାରି ବର୍ଷ ପୂର୍ବରୁ ଏହି ନଡ଼ା ଜଳାଇବାକୁ ବିରୋଧ କରିଥିଲେ । ମାତ୍ରା ଏହା ଉପରେ କେହି ଧ୍ୟାନ ଦେଇନଥିଲେ । ପରିବେଶ ନଷ୍ଟ ହେବା ସହିତ ବିଶ୍ବ ବାୟୁମଣ୍ଡଳର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିଥାଏ । ଏହା ସହିତ ଏହି ପ୍ରଦୁଷଣ ମଧ୍ୟ ବ୍ୟାପକ ଭାବେ ବଢିଥାଏ । ସେହିଭଳି ଏହି ବାୟୁ ପ୍ରଦୁଷଣ କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା 23 ପ୍ରତିଶତ ବଢିଥିବା ଜଣାପଡ଼ିଛି ।