ଚେନ୍ନାଇ: ଏକ ଟଙ୍କାରେ ଇଡଲୀ ଓ ଚଟଣୀ ବିକ୍ରି ସମଗ୍ର ଦେଶରେ ବେଶ ଚର୍ଚ୍ଚିତ ହୋଇଥିବା 85 ବର୍ଷୀୟ ବୃଦ୍ଧା କମଲାତଲଙ୍କୁ ସରକାର ଯୋଗାଇ ଦେଇଛନ୍ତି ଗ୍ୟାସ । କମଲାତଲଙ୍କୁ ଆଉ ଚୁଲି ଧୁଆଁରେ ରୁନ୍ଧି ହେବାକୁ ପଡ଼ିବ ନାହିଁ ।

ଦୀର୍ଘଦିନ ଧରି ସେ କାଠ ଚୁଲିରେ ଇଡଲୀ ପ୍ରସ୍ତୁତ କରି 1 ଟଙ୍କାରେ ବିକ୍ରି କରିଥାନ୍ତି । ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆରେ କିଛି ଦିନ ତଳେ ବେଶ ଭାଇରାଲ ହୋଇଥିଲେ ସେ । ତାଙ୍କ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ମଧ୍ୟ ପଡ଼ିଥିଲା । ଏବେ ତାଙ୍କୁ ସରକାରଙ୍କ ପକ୍ଷରୁ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ତାଙ୍କୁ ଗ୍ୟାସ ଓ ଚୁଲା ଯୋଗାଇ ଦିଆଯାଇଛି ।
ସେପଟେ କମଲାତାଲଙ୍କ ଏହି କାର୍ଯ୍ୟ ପାଇଁ ସବୁସ୍ତରରୁ ପ୍ରଶଂସା ଛୁଟୁଛି । ଯେଉଁଠାରେ ଗୋଟିଏ ଇଡଲୀ 10 ରୁ 50 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି, ସେଠାରେ ସେ ଇଡଲୀ ଗୋଟିକୁ 1 ଟଙ୍କାରେ ବିକ୍ରି କରୁଛନ୍ତି । ଲୋକମାନେ କହିଛନ୍ତି ଏଠାରେ ବ୍ୟବସାୟ ଅପେକ୍ଷା ସମାଜସେବାର ଉଦ୍ଦେଶ୍ୟ ପରିଲକ୍ଷିତ ହେଉଛି ।
ଏଠାରେ କହି ରଖୁକି କମଲାତାଲ ଇଡଲୀ ଗୋଟିକୁ ପୂର୍ବରୁ ମାତ୍ର 25 ପଇସାରେ ବିକ୍ରି କରୁଥିଲେ। ମାତ୍ର ଚାଉଳ, ହରଡ଼ ଡାଲି, ନଡ଼ିଆ ଆଦିର ବଜାର ଦର ବୃଦ୍ଧି ପାଇଥିବାରୁ ସେ ଇଡଲୀର ଦର 25 ପଇସାରୁ ବଢ଼ାଇ 1 ଟଙ୍କା କରିଛନ୍ତି । ଦୈନିକ ସେ ପ୍ରାୟ 600 ଇଟିଲି ବିକ୍ରି କରିଥାନ୍ତି ।
ଭୋର ପ୍ରାୟ 4ଟାରୁ ଉଠି ସମସ୍ତ କାର୍ଯ୍ୟରେ ଲାଗି ଯାଇଥାନ୍ତି । ସକାଳ 6ଟା ସୁଦ୍ଧା ସେ ସମସ୍ତ ପ୍ରସ୍ତୁତି କରି ଦେଇଥାନ୍ତି । ତେବେ ତାଙ୍କ ଦୋକାନକୁ ସବୁ ବର୍ଗର ଲୋକମାନେ ଆସିଥାନ୍ତି । ସକାଳୁ ସକାଳୁ ସରକାରୀ କର୍ମଚାରୀ, ସ୍କୁଲ କଲେଜ ଛାତ୍ର, ଯାତାୟତ କରୁଥିବା ଗାଡ଼ିର ଡ୍ରାଇଭରମାନେ ଭିଡ଼ ଜମାଇଥାନ୍ତି । ତେବେ ତାଙ୍କର ଏହି ସେବା ମନୋଭାବକୁ ଦେଖି ତାଙ୍କର ଏକ ଭିଡ଼ିଓ କେହି ଏହାକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲା । ପରେ ଏହା ବ୍ୟାପକ ଭାବେ ଭାଇରାଲ ହୋଇଥିଲା ।
ପରେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର ହୋଇଥିଲା । ଏହି ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କ ନିକଟକୁ ଅନେକ ସରକାରୀ କର୍ମଚାରୀ, ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଅନେକ ଶିଳ୍ପପତୀଙ୍କ ଲମ୍ବା ଲାଇନ ଲାଗିଛି । ନିକଟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କୁ ଭେଟିବାକୁ ଯାଇଥିଲା । ସେହିଭଳି କୋଏମ୍ବାଟୁର ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଘର, ଗ୍ୟାସ ଆଦି ଦେବାକୁ ପ୍ରତିଶ୍ରୁତି ଦେଇଛି ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଏକ ଗ୍ୟାସ ଓ ଚୁଲା ଯୋଗାଇ ଦେଇଛନ୍ତି । ଆନନ୍ଦ ମହିନ୍ଦ୍ରା ଟ୍ବିଟ କରି କହିଛନ୍ତି କି, ମୁଁ ତାଙ୍କର ଗ୍ୟାସ ଖର୍ଚ୍ଚ ସାରା ଜୀବନ ପାଇଁ ଉଠାଇବାକୁ ପ୍ରସ୍ତୁତ ଅଛି । ଏବଂ ତାଙ୍କ ବ୍ୟବସାୟରେ ମୁଁ ନିବେଶ କରିବାକୁ ଚାହୁଁଛି ବୋଲି ସେ ଟ୍ବିଟ ମାଧ୍ୟମରେ କହିଛନ୍ତି । ଏହା ସହିତ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି କି କମଲାତଲଙ୍କ ନିଷ୍ଠା ଓ କାର୍ଯ୍ୟ ପାଇଁ ତାଙ୍କୁ ସଲାମ । ତାଙ୍କୁ ସ୍ଥାନୀୟ କର୍ମକର୍ତ୍ତାଙ୍କ ମାଧ୍ୟମରେ ଗ୍ୟାସ ସଂଯୋଗ ଦେଇପାରିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରିବା ସହିତ ଖୁସି ଅନୁଭବ କରୁଛି ।