ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୈତିକ ଡ୍ରାମାକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନାଭିସଙ୍କ ଶପଥ ଗ୍ରହଣ ପ୍ରକ୍ରିୟାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସେ । ଫଡନାଭିସଙ୍କ ଶପଥ ଗ୍ରହଣ ପ୍ରକ୍ରିୟା ପାଇଁ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଦାୟୀ କରିଛନ୍ତି ଚିଦାମ୍ବରମ ।
ଚିଦାମ୍ବରମ କହିଛନ୍ତି, ବିଜେପି ଏପରି ଭାବରେ ସମ୍ବିଧାନ ଦିବସ ପାଳନ କରେ । ସେମାନେ ଏଭଳି ଭାବରେ ସମ୍ବିଧାନର ସମ୍ମାନ କରନ୍ତି । ମହାରାଷ୍ଟ୍ରରେ ମଧ୍ୟରାତ୍ରିରେ ହୋଇଥିବା ଏହି ଘଟଣାକ୍ରମ ପାଇଁ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ସମସ୍ତେ ଦାୟୀ ବୋଲି ସେ କହିଛନ୍ତି ।
ତେବେ ଏଥିରେ ରାଷ୍ଟ୍ରପତିଙ୍କ ଭୂମିକାକୁ ନେଇ ସମାଲୋଚନା କରିଛନ୍ତି ସେ । ଚିଦାମ୍ବରମ କହିଛନ୍ତି, ଏହି ଘଟଣାକ୍ରମରେ ରାଷ୍ଟ୍ରପତି ମଧ୍ୟ ସାମିଲ ଅଛନ୍ତି । ରାଷ୍ଟ୍ରପତିଙ୍କୁ ସକାଳ 4 ଟାରେ ନିଦରୁ ଉଠାଗଲା । ଯାହା ଅତ୍ୟନ୍ତ ଦୁଖଃର ବିଷୟ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ଥିବା ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାଜତର ମିଆଦ ବୃଦ୍ଧି କରି ଡିସେମ୍ବର ୧୧ ଯାଏ କରାଯାଇଛି। ଅର୍ଥାତ୍ ସେ ଆଉ ୧୪ ଦିନ ପାଇଁ ଜେଲରେ ରହିବେ। ହାଜତ ମିଆଦ ବୃଦ୍ଧି କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ଆବେଦନ କରିଥିଲା।