ଜୟପୁର: ରାଜସ୍ଥାନରେ ଗଣଦୁଷ୍କର୍ମ ମାମଲା ଥମିବାର ନାଁ ନେଉନାହିଁ। ରାଜସ୍ଥାନର ଚୁରୁ ଜିଲ୍ଲାରେ ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି।ଏହି ମାମଲାରେ ୯ ଯୁବକ ସାମିଲ ଅଛନ୍ତି ବୋଲି କୁହାଯାଉଛି। ଅଭିଯୁକ୍ତମାନେ ୮ ଦିନ ଯାଏଁ ପୀଡିତାଙ୍କୁ ଚୁରୁର ରାଜଗଡ, ଜୟପୁର ଓ ସିକରରେ ବନ୍ଧକ କରି ଗଣଦୁଷ୍କର୍ମ କରିଥିଲେ। ରାଜ୍ୟରେ ଦିନକୁ ଦିନ ବଢୁଥିବା ଦୁଷ୍କର୍ମ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଗେହଲଟ ସରକାରଙ୍କୁ ଟାର୍ଗେଟ କରି ଟ୍ବିଟ କରିଛନ୍ତି।
ପୀଡିତାଙ୍କ ରିପୋର୍ଟ ଆଧାରରେ ରାଜଗର ପୋଲିସ, ବିକ୍ରମ ପୁନିୟା, ଦେବେନ୍ଦ୍ର ପୁନିଆ, ବଣ୍ଟି, ରାହୁଲ, ଶୁଭମ୍, ହେମନ୍ତ, ମୁକେଶ ଗୁରୁଜାର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଆଇପିସି ସଂଗୀନ ଧାରାରେ ମାମଲା ରୁଜୁ କରିଛି। ପୋଲିସ ପୀଡିତାଙ୍କୁ ରାଜଗଡର ସରକାରୀ ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା କରାଇଛି। ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ସେପ୍ଟେମ୍ବର ୨୪ ତାରିଖରେ ସେ ନିଜ ଗାଁରୁ ରାଜଗଡ଼ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ ତାକୁ ବିକ୍ରମ ମିଳିଥିଲା। ବିକ୍ରମକୁ ସେ ଆଗରୁ ଚିହ୍ନିଥିଲେ। ବିକ୍ରମ ଏସଏସସି ଫର୍ମ ଭରିବା ବାହାନାରେ ଏକ କାରରେ ବସାଇଥିଲା। କାରରେ ଦେବେନ୍ଦ୍ର ଓ ଆଉ ଦୁଇଜଣ ଥିଲେ। ବିକ୍ରମ ପୀଡିତାଙ୍କୁ ରାଜଗଡ଼ରେ ହିଁ ଏକ ଘରକୁ ନେଇଯାଇଥିଲା। ସେଠାରେ ୪ଜଣ ପୀଡିତାଙ୍କୁ ନିଶା ଦ୍ରବ୍ୟ ଖୁଆଇବା ପରେ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ମଧ୍ୟ ନେଇଥିଲେ। ଅଭିଯୁକ୍ତମାନେ ପୀଡିତାଙ୍କୁ ପାଟି କଲେ ଫଟୋ ଭିଡିଓ ସବୁ ଭାଇରାଲ କରିଦେବେ ବୋଲି ଧମକାଇ ସପ୍ତାହେ ଯାଏଁ ଯୁବତୀଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲେ।
ଏହାପରେ ଯୁବତୀଙ୍କୁ ସିକର ନିକଟସ୍ଥ ଏକ ଗାଁକୁ ନେଇଯାଇଥିଲେ। ଅକ୍ଟୋବର ୧ ତାରିଖରେ ପୋଲିସ ସେଠାରୁ ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅଭିଯୁକ୍ତମାନେ ଯୁବତୀଙ୍କୁ ଧମକ ଦେଇଥିଲେ ଯେ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କଲେ ସେମାନେ ଭିଡିଓ ଭାଇରାଲ କରିଦେବେ ଓ ପରିବାର ଲୋକଙ୍କୁ ଜୀବନରେ ମାରିଦେବେ। ବଦନାମ ଭୟରେ ସେ ଚୁପ ଥିବା ପୀଡିତା ରିପୋର୍ଟରେ କହିଛନ୍ତି।