ଦେଶର ପିତା ମହାତ୍ମା ଗାନ୍ଧୀ । ବ୍ରିଟିଶଶାସନରେ ଯବନିକା ଟାଣି ସେ ସମଗ୍ର ଭାରତ ବର୍ଷକୁ ଏକତ୍ର କରିଥିଲେ । ଦେଶକୁ ସ୍ବତନ୍ତ୍ର କରିବାକୁ ସେ ନିଜ ଜୀବନକାଳ ମଧ୍ୟରେ ବହୁ ସ୍ଥାନରେ ସତ୍ୟ ଓ ସତ୍ୟାଗ୍ରହର ଆହ୍ବାନ ଦେଇଥିଲେ । ଏହି ଧାରାରେ 2 ଥର ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାର ଇନ୍ଦୁକୁରିପେଟର ପଲ୍ଲିପାଡୁରେ ପାଦ ଦେଇଥିଲେ ବାପୁ। 1921 ଏପ୍ରିଲ 7ରେ ଗାନ୍ଧୀ ଏଠାକାର ପିନାକନୀ ନଦୀ ତଟରେ ଏକ ଆଶ୍ରମ ସ୍ଥାପନା କରିଥିଲେ । ଯାହାକି ଆଜି ଦ୍ବିତୀୟ ସାବରମତି ଆଶ୍ରମ ନାଁରେ ଜଣାଯାଏ ।
ସ୍ବାଧିନତା ସଂଗ୍ରାମର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ବିକାଶ । ଏହି ଲକ୍ଷ୍ୟରେ ପଲ୍ଲୀପାଡୁକୁ କେନ୍ଦ୍ରସ୍ଥଳୀ କରି ଗାନ୍ଧୀଜି ବ୍ରିଟିଶ ବିରୋଧ ଅଭିଯାନର ମୂଳଦୁଆ ପକାଇଥିଲେ । ଏଥିପାଇଁ ଏହି ଆଶ୍ରମଟି ଥିଲା ସମସ୍ତଙ୍କ ଗନ୍ତବ୍ୟସ୍ଥଳୀ ।
ହନିମନ୍ଥ ରାଓ, ଚର୍ତୁବେଦୀ କୃଷ୍ଣୟା ଓ ପାଲ୍ଲୀପାଡୁବାସୀଙ୍କ ସହଯୋଗରେ ଏହି ଆଶ୍ରମଟି ତିଆରି ହୋଇଥିଲା । ଆଉ ଏଥିପାଇଁ 10,000ଟଙ୍କାର ବଡ ଆର୍ଥିକ ସହାୟତା କରିଥିଲେ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ରୁସ୍ତୁମଜୀ । ଯେଉଁଥିପାଇଁ ମୁଖ୍ୟ ଆଶ୍ରମ ଭବନଟି ତାଙ୍କ ନାଁରେ ରହିଥିଲା ।
ଏ ନେଇ ଗାନ୍ଧୀ ଆଶ୍ରମର ପ୍ରବନ୍ଧକ ରାମେୟା କୁହନ୍ତି ଯେ, ଗାନ୍ଧୀଜି ପ୍ରଥମେ ଗୁଜୁରାଟରେ ସାବରମତି ଆଶ୍ରମର ସ୍ଥାପନା କରିଥିଲେ । ସେ ତତକାଳୀନ ମାଡ୍ରାସରେ ଆଉ ଏକ ଆଶ୍ରମ ଖୋଲିବାକୁ ଚାହୁଁଥିଲେ । ତେବେ ସାମାଜିକ କାର୍ଯ୍ୟକର୍ତ୍ତା (ସମାଜସେବୀ) Ponaka Kanakamma ଏଠାରେ ଆଶ୍ରମ ତିଆରି ପାଇଁ 13 ଏକର ଜମି ଦାନ କରିଥିଲେ । ଏଠାରେ ସୂତା ପ୍ରସ୍ତୁତି, ଖଦି ଉତ୍ପାଦନ , ଗୀତା ପାଠ, ସାମାଜିକ କାର୍ଯ୍ୟ ଆଦି କରାଯାଏ । ସମୟ ସହ ଏହି ଆଶ୍ରମଟି ଜରାଜୀର୍ଣ୍ଣ ହୋଇଯାଇଥିଲା । ତେବେ ଇଣ୍ଡିଆନ ରେଡ କ୍ରସ ସୋସାଇଟି ସହଯୋଗରେ ଏହାର ପୁର୍ନନିର୍ମାଣ କାର୍ଯ୍ୟ କରାଗଲା । 1929 ମେ 11 ବାପୁ ଏହି ଆଶ୍ରମର ପରିଦର୍ଶନ କରିବା ସହ ଏଠାରେ ଗୋଟିଏ ରାତି ବିତାଇଥିଲେ ।