ହାଇଦ୍ରାବାଦ: ମହାତ୍ମା ଗାନ୍ଧୀ, ଏମିତି ଜଣେ ବ୍ୟକ୍ତିଙ୍କ ନାମ । ଯିଏ ପରାଧିନ ପଞ୍ଜୁରୀରୁ ଭାରତକୁ ମୁକୁଳାଇବାରେ ସାଜିଥିଲେ ମହାନାୟକ । ଯାହାଙ୍କ ଗୋଟିଏ ଡ଼ାକରେ ଏକଜୁଟ ହେଉଥିଲେ କୋଟି କୋଟି ଦେଶବାସୀ । ପଛରେ ଲାଗୁଥିଲା ଲକ୍ଷ ଲକ୍ଷ ଲୋକଙ୍କ ଲମ୍ବା ଲାଇନ । ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସ୍ବାଧିନତାର ସ୍ବାଦ ଚଖାଇଛନ୍ତି । ସେଥି ପାଇଁ ତ ମୃତ୍ୟୁ ପରେ ବି ସେ କୋଟି ଭାରତୀଙ୍କ ହୃଦୟରେ ଆଜି ବି ଅମର ।
1929 ମସିହା । ଦେଶରେ ସ୍ବାଧିନତାର ବୀଜ ବୁଣୁଥାନ୍ତି ରାଷ୍ଟ୍ର ନାୟକ ବାପୁ । ସେହି ସମୟରେ ଦେବଭୂମି ଉତ୍ତରାଖଣ୍ଡ ଗସ୍ତ କରିଥାନ୍ତି ଗାନ୍ଧୀ । ଆଉ ନୈନୀତାଲରୁ ବାଗେଶ୍ବର ପର୍ଯ୍ୟନ୍ତ କରିଥିଲେ ପଦଯାତ୍ରା । ଏହି ସମୟରେ ଲୋକଙ୍କ ମନରେ ସ୍ବାଧୀନତା ହେବା ନେଇ କୁହୁଳିବା ଆରମ୍ଭ କରିଥିଲା ସ୍ବାଧୀନତା ସଂଗ୍ରାମର ନିଆଁ । ଦେଶ ପ୍ରେମରେ ଆହୂତ ଦେବାକୁ ଆଗେଇ ଆସିଥିଲେ ସେଠାକାର ଶହ ଶହ ଯୁବକ ।
ଜାଣିବା ପାଇଁ କହି ରଖୁଛୁ । ଏହି ଯାତ୍ରା ସମୟରେ ଏଠାରେ ଅନେକ ଭୂମିକାରେ ନଜରକୁ ଆସିଥିଲେ ପୂଜ୍ୟ ବାପୁ । କେବେ ସମାଜସେବୀ ହୋଇ ସେବା କରୁଥିଲେ ତ, ଆଉ କେତେବେଳେ ଆଧ୍ୟାତ୍ମିକ ସନ୍ଥ ସାଜି ଲୋକଙ୍କୁ ଦେଉଥିଲେ ଦିବ୍ୟ ବାଣୀ । ପୁଣି କେତେବେଳେ ପ୍ରଖର ରାଜନିତୀଜ୍ଞ ହୋଇ ଲୋକଙ୍କୁ ଶୁଣାଉଥିଲେ ରାଷ୍ଟ୍ରନୀତି । ନୈନୀତାଲରୁ ବାଗେଶ୍ବର ଯାତ୍ରା ସମୟରେ ବହୁ ଲୋକଙ୍କୁ ଭେଟୁଥିଲେ ମହାତ୍ମା ଗାନ୍ଧୀ । ଆଉ ଦେଉଥିଲେ ସ୍ବାଧିନତାର ଲଢାଇରେ ଲଢିବା ପାଇଁ ପ୍ରେରଣା । କିନ୍ତୁ ବାପୁଙ୍କ କୁମାଓଁ ଗସ୍ତ ସମୟର ଅନେକ କିର୍ତ୍ତୀ, ଆଜି ଦେଖାରଖା ଅଭାବରୁ ଭଗ୍ନ ଅବସ୍ଥାରେ ପଡ଼ିରହିଛି । ଯାହା ମଧ୍ୟରୁ ତାକୁଲା ସ୍ଥିତ ଗାନ୍ଧୀ ମନ୍ଦିର ମଧ୍ୟ ସାମିଲ ।
ଜୁନ 14 ତାରିଖ 1929 ସମିହା । ତାକୁଲାରେ ପହଞ୍ଚିଥିଲେ ବାପୁ । ଏହାର ପରଦିନ ଥାଏ ସ୍ଥାନୀୟ ମହିଳାମାନଙ୍କୁ ଭାଷଣ ଦେବାର କାର୍ଯ୍ୟକ୍ରମ । ଗାନ୍ଧିଜୀଙ୍କ ସେହି ମର୍ମସ୍ପର୍ଶୀ ଅଭିବାଦନର ଏପରି ପ୍ରଭାବ ପଡ଼ିଥିଲା ଯେ । ନିଜେ ପିନ୍ଧିଥିବା ଅଳଙ୍କାରକୁ ଶେଷରେ ସ୍ବତନ୍ତ୍ରତା ଆନ୍ଦୋଳନ ପାଇଁ ଦାନ କରିଦେଇଥିଲେ ଉପସ୍ଥିତ ମହିଳା । ମା- ଭଉଣୀଙ୍କର ଏପରି ପଦକ୍ଷେପରେ ବହୁତ ପ୍ରଭାବିତ ହୋଇଥିଲେ ଗାନ୍ଧୀ । ଯାହାର ଫଳ ସ୍ବରୁପ କୁମାଓଁ ବାସୀନ୍ଦା ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ନିଭାଇଥିଲେ ମୁଖ୍ୟ ଭୂମିକା । ଗାନ୍ଧୀ ରହୁଥିବା ସେହି ସ୍ଥାନକୁ ତାକୁଲାର ଲୋକେ ‘ଗାନ୍ଧୀ ମନ୍ଦିର’ ର ନାମ ଦେଇଛନ୍ତି । ଖୋଦ ବାପୁ ନିଜେ ଥିଲେ ଏହି ଆଶ୍ରମର ପ୍ରତିଷ୍ଠାତା ।
ହେଲେ ବିଡ଼ମ୍ବନା ଏହା କି । ଗାନ୍ଧୀଙ୍କ ଏହି ଐତିହାସିକ ସ୍ଥଳୀକୁ ଭୁଲିଯାଇଛନ୍ତି ସରକାର । ନିଜର ସେଇ ପୁରୁଣା ସ୍ମୃତିକୁ ମନେ ପକାଇ ଆଜି ଝୁରୁଛି ଏହି ଆଶ୍ରମ । ଗାନ୍ଧୀ ମନ୍ଦିର ଭାବରେ ନାମିତ ଏହି ସ୍ଥାନକୁ ରାଷ୍ଟ୍ରୀୟ ସ୍ମାରକ ଭାବେ ଘୋଷଣା କରିବାକୁ ଦାବି ଜଣାଇ ଆସୁଛନ୍ତି ସ୍ଥାନୀୟ ଲୋକେ । ଗାନ୍ଧୀଙ୍କ ଏହି ଐତିହାସିକ ସ୍ଥଳୀକୁ ସାଇତି କରି ରଖିବା ଜୁରୁରୀ । ଯାହାକି ଆଗାମୀ ପୀଢିକୁ ଜାଣିବା ପାଇଁ ସହଜ ହେବ । ପ୍ରଥମଥର ପାଇଁ ମହାତ୍ମା ଗାନ୍ଧୀ 14 ଜୁନ 1929 ମସିହାରେ କୁମାଓଁ ଗସ୍ତ କରିଥିଲେ । ଏବଂ 15 ଜୁନରେ ନୈନୀତୀଲ ବାସୀ ଗାନ୍ଧୀଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ପାଇଥିଲେ । ଜୁନ 14ରେ ବାପୁ ହଲ୍ଦାନୀ ପହଞ୍ଚିବା ପରେ ସେହି ଦିନ ହିଁ କାଠଗୋଦାମ-ନୈଲୀତାଲ ମାର୍ଗରେ ଥିବା ତାକୁଲା ଗାଁରେ ପହଞ୍ଚିଥିଲେ । ସେହି ସମସୟରେ ଆଶ୍ରୟ ନେଉଥିବା ଆଶ୍ରମର ନାମ ରଖିଥିଲେ ଗାନ୍ଧୀ ଆଶ୍ରମ । ଏହା ପରେ ଗାନ୍ଧୀ ଯାଇଥିଲେ ଭବାଲି, ରାନୀଖେତ, ଅଲ୍ମୋଡ଼ା ଏବଂ ବାଗେସ୍ବର । 1931 ମସିହାରେ ପୁନର୍ବାର କୁମାଓଁ ଗସ୍ତ କରିଥିଲେ ଗାନ୍ଧୀ । ଆଉ ଗାନ୍ଧୀ ଆଶ୍ରମରେ ହିଁ ବିତାଇଥିଲେ କିଛି ଦିନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ