ହାଇଦ୍ରାବାଦ: ମହାତ୍ମା ଗାନ୍ଧୀଙ୍କ ଅହିଂସା ତଥା ଶାନ୍ତିର ବାର୍ତ୍ତା ଭାରତୀୟଙ୍କ ଦୈନଦିନ ଜୀବନରେ ପ୍ରଭାବ ପକାଇଥିଲା । ଏହାକୁ ଅନେକ ଆଗଧାଡିର ନେତା ନିଜର ଧର୍ମ ଭଳି ମାନୁଥିଲେ । ଅହିଂସାକୁ ଯେ କେବଳ ହିନ୍ଦୁ ଧର୍ମାବଲମ୍ବୀ ମାନୁଥିଲେ ତାହା ନୁହେଁ ମୁସଲିମ୍ ଧର୍ମାବଲମ୍ବୀ ମାନେ ମଧ୍ୟ ଏହାକୁ ପାଳନ କରୁଥିଲେ । ଯାହାର ଉଦାହରଣ ହେଉଛନ୍ତି ଦୁଇ ମୁସଲିମ୍ ନେତା ଖାନ୍ ଅବଦୁଲ ଗଫର ଖାନ୍ ଓ ମୌଲାନା ଆଜାଦ୍ । ସେମାନେ ଶାନ୍ତି, ସହିଷ୍ଣୁତା, ଅହିଂସା ଆଦିକୁ ନେଇ ଗାନ୍ଧୀଙ୍କ ପଥ ଅନୁସରଣ କରୁଥିଲେ ।
ଯେତେବେଳେ ମହାତ୍ମା ଦେଶ ଭିତରେ ବ୍ରିଟିଶ୍ ଶାସନ ବିରୋଧରେ ଅହିଂସା ରୂପୀ ଅସ୍ତ୍ର ଧରି ଯୁଦ୍ଧ କରୁଥିଲେ ସେତେବେଳେ ଉତ୍ତର-ପଶ୍ଚିମ ଅଞ୍ଚଳରେ ଆଉ ଏକ ଗାନ୍ଧୀ ଖାନ୍ ଅବଦୁଲ ଗଫର ଖାନ୍ ନାମରେ ଉଭା ହୋଇଥିଲେ । ଖାନ୍ ଅବଦୁଲ ଗଫର ଖାନ୍, ବାଦଶାହ ଖାନ୍ ଓ ବଚ୍ଚନ ଖାନ୍ ନାମରେ ଲୋକପ୍ରିୟ ଥିଲେ । ତାଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା । ସେ ଗାନ୍ଧୀଙ୍କ ଅହିଂସା ନୀତିର ଜଣେ ବଡ ପ୍ରଶଂସକ ଥିଲେ । ସେଥିଲାଗି ତାଙ୍କର ଆଉ ଏକ ନାମ ମଧ୍ୟ ଥିଲା, ସୀମାନ୍ତ ଗାନ୍ଧୀ ।
ବାପୁଙ୍କ ଅହିଂସା ଓ ସତ୍ୟାଗ୍ରହରେ ଅନୁପ୍ରାଣିତ ହୋଇ ସେ ନିଜର ହଜ୍ ଯାତ୍ରା ସାରି ଫେରିବା ପରେ ଖୁଦାଇ ଖିଦମତଗାର ଅର୍ଥାତ ଭଗବାନଙ୍କ ସେବକ ନାମକ ଏକ ଆନ୍ଦୋଳନ କରିଥିଲେ । ବାପୁଙ୍କୁ ସେ 1928 ମସିହାରେ ପ୍ରଥମ ଥର ଲାଗି ଭେଟିଥିଲେ । ଏହାସହ ଭାରତୀୟ ଜାତୀୟ କଂଗ୍ରେସରେ ନିଜକୁ ସାମିଲ କରିଥିଲେ । ଅତି କମ ସମୟରେ ସେ ଗାନ୍ଧୀଙ୍କ ନିକଟତର ହୋଇପାରିଥିଲେ ।
ବାପୁଙ୍କୁ ସୀମାନ୍ତ ଗାନ୍ଧୀଙ୍କର ସରଳତା ଓ ସଚ୍ଚୋଟତା ପ୍ରଭାବିତ କରିଥିଲା । ତେବେ ଖାନ୍ ଅବଦୁଲ ଗଫର ଖାନ୍ ଆରମ୍ଭ କରିଥିବା ଭଗବାନଙ୍କ ସେବକ ନାମକ ଏକ ଆନ୍ଦୋଳନରେ ତିନୋଟି କଥାକୁ ଗୁରୁତ୍ବ ଦେୁଥିଲେ । ସେଗୁଡିକ ହେଲା ସଠିକ୍ ଆଚରଣ, ବିଶ୍ବାସ ଓ ଭଲପାଇବା ।
ତେବେ ଗାନ୍ଧୀ ଓ ଖାନ୍ ଉଭୟଙ୍କ ଚିନ୍ତାଧାରା ସମାନ ଥିଲା । ଦୁହେଁ ଭାରତକୁ ସ୍ବାଧୀନ କରିବା ସହ ବିଭାଜନ ଚାହୁଁନଥିବାବେଳେ ଧର୍ମନିରପେକ୍ଷ ଭାରତ ଗଠନ କରିବାକୁ ଚାହୁଁଥିଲେ । ଯେଉଁଠି ଉଭୟ ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ ଲୋକ ଶାନ୍ତିରେ ରହିପାରିବେ ।
ତେବେ ତାଙ୍କ ମତରେ, ‘ଅହିଂସା ଦ୍ବାରା ପ୍ରେମ ଓ ଲୋକଙ୍କ ମଧ୍ୟରେ ଶାନ୍ତି ଆସିପାରିବ । ଶାନ୍ତି ସେତେବେଳ ପର୍ଯ୍ୟନ୍ତ ସମ୍ଭବ ନୁହେଁ ଯେତେବେଳ ପର୍ଯ୍ୟନ୍ତ ଅହିଂସାର ପ୍ରୟୋଗ ହୋଇନାହିଁ । ଖାନ୍ ଅବଦୁଲ ଗଫର ଖାନ୍ ଏପରି ଜଣେ ବ୍ୟକ୍ତି ଥିଲେ ଯେକି ମାନବ ସେବା ହିଁ ମାଧବ ସେବା ବୋଲି ମାନୁଥିଲେ ।
ଅବଦୁଲ ଗଫର ଖାନ୍ ମତରେ କୁରାନରେ ମଧ୍ୟ ଅହିଂସା ବାବଦରେ ଉଲ୍ଲେଖ ରହିଛି । ସେ କହୁଥିଲେ,‘ ଅହିଂସା ଏପରି ଅମୋଘ ଅସ୍ତ୍ର ଯାହା ଆଗରେ କେହି ଠିଆ ହୋଇ ପାରିବେ ନାହିଁ ।’
ସେହିପରି ଆଉ ଜଣେ ମୁସଲିମ୍ ନେତା ଥିଲେ ମୌଲାନା ଅବଦୁଲ କାଲାମ ଆଜାଦ । ଯେ,କି ଭାରତକୁ ସ୍ବାଧୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ମଧ୍ୟ ଜଣେ ଭଲ ଲେଖକ, କବି ଓ ସାମ୍ବାଦିକ ଥିଲେ । ଏଥିସହ ସେ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । 1923 ଓ 1940 ଦୁଇ ଥର ସେ କଂଗ୍ରେସର ସଭାପତି ରହିଛନ୍ତି । ସେ ମୁସଲିମ ହୋଇଥିଲେ ମଧ୍ୟ ଦେଶ ବିଭାଜନକୁ ଘୋର ବିରୋଧ କରୁଥିଲେ ।
ସେ ମୁସଲିମର ସେହି ନେତାଙ୍କୁ ବିରୋଧ କରୁଥିଲେ ଯେଉଁ ନେତା ଜାତୀୟ ସ୍ବାର୍ଥକୁ ନ ଦେଖି ଧର୍ମ ନାମରେ ରାଜନୀତି କରିବାକୁ ପସନ୍ଦ କରୁଥିଲେ । ସେ ଅଲ ଇଣ୍ଡିଆ ମୁସଲିମ୍ ଲିଗ୍ ଦ୍ବାରା ହେଉଥିବା ଧର୍ମ ଭିତ୍ତିରେ ବିଭାଜନକୁ ବିରୋଧ କରୁଥିଲେ ।
ସେ ବାପୁଙ୍କ ପ୍ରତି ସମର୍ଥନ ଜଣାଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ତେବେ ସେ 1920 ମସିହାରେ କଂଗ୍ରେସରେ ସାମିଲ ହୋଇଥିଲେ । ସେ କଂଗ୍ରେସର ଶେଷ ପର୍ଯ୍ୟନ୍ତ ଧର୍ମ ଭିତ୍ତିରେ ଦେଶ ବିଭାଜନକୁ ବିରୋଧ କରୁଥିଲେ । ଏଥିସହ ଦେଶ ଗୋଟିଏ ରହିଲେ ଏହା ଧର୍ମନିରପେକ୍ଷ ରହିବ ବୋଲି କହୁଥିଲେ । ତାଙ୍କର ମଧ୍ୟ ସ୍ବପ୍ନ ଥିଲା ଯେ, ଭାରତରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକେ ଶାନ୍ତିପୂର୍ଣ୍ଣ ଭାବେ ସହବସ୍ଥାନ କରନ୍ତୁ । ସେ ମଧ୍ୟ ସହନଶୀଳତାକୁ ଗୁରୁତ୍ବ ଦେଉଥିଲେ । ସେ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିଲେ । ସେଥିଲାଗି ଦିଲ୍ଲୀରେ ଜାମିଆ ମିଲିଆ ଇସଲାମିଆ ନାମକ ଏକ ଅନୁଷ୍ଠାନ କରିଥିଲେ ।
ତେବେ ଏପରି ଥିଲା ଗାନ୍ଧୀ, ଅବଦୁଲ ଗଫର ଖାନ୍ ଓ ମୌଲାନା ଆଜାଦଙ୍କ ମଧ୍ୟରେ ସାମଞ୍ଜସ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ