ନୂଆଦିଲ୍ଲୀ: ଉତ୍ତର ଭାରତର ଅନେକ ସ୍ଥାନରେ ଜାରି ରହିଛି ଶୀତ ଲହରୀ । ଫଳରେ ଘରୁ ବାହାରିବା ଲୋକଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି ହୋଇଛି । ତେବେ ରାଜଧାନୀ ଦିଲ୍ଲୀ ସମେତ ବିହାର, ଉତ୍ତରପ୍ରଦେଶ ଓ ଅନେକ ରାଜ୍ୟରେ ଅନୁଭୂତ ହେଉଛି ହାଡଭଙ୍ଗା ଶୀତ । ଏନେଇ ୟୁପିର ଅନେକ ସ୍ଥାନରେ ସରକାରୀ ଓ ଘରୋଇ ସ୍କୁଲ ଗୁଡିକୁ କିଛି ଦିନ ଯାଏଁ ବନ୍ଦ ରଖାଯାଇଛି । ଅନ୍ୟପଟେ ଘନ କୁହୁଡି ପାଇଁ ବିମାନ, ରାସ୍ତା ଓ ରେଳରେ ଚଳାଚଳ ପ୍ରଭାବିତ ହୋଇଛି ।
ଦିଲ୍ଲୀର ସଫରଦଗଞ୍ଜରେ ସର୍ବୋତ୍ତମ ତାପମାତ୍ରା 13 ଡିଗ୍ରୀ ରହିବାକୁ ଥିବାବେଳେ କିନ୍ତୁ ରବିବାର ସକାଳ ସମୟରେ ତାପମାତ୍ରା 3.6 ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଭାଗ ରବିବାର ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ବିହାର ପାଇଁ ରେଡ ଆଲର୍ଟ ଜାରି କରିଛି । ସେହିଭଳି ମଧ୍ୟପ୍ରଦେଶ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ପାଣିପାଗ ବିଭାଗର କହିବାନୁସାରେ, ଦିଲ୍ଲୀର କେତେକ ସ୍ଥାନରେ ଶନିବାର ତାପମାତ୍ରା 2 ଡିଗ୍ରୀ ସେଲସିୟସ ତଳକୁ ରହିଥିଲା । ତେବେ ରବିବାର ଏଥିରେ କିଛି ମାତ୍ରାରେ ପରିବର୍ତ୍ତନ ଆସିଥିବାବେଳେ ମଧ୍ୟ ଥଣ୍ଡା ଓ କୁହୁଡି ପୂର୍ବପରି ଜାରି ରହିଛି । ଏନେଇ ଦିଲ୍ଲୀରେ 4ଟି ବିମାନର ଗତିପଥରେ ପରିବର୍ତ୍ତନ କରାଯାଇଛି । ରନଓ୍ବେରେ ଭିଜିବିଲିଟି 50 ରୁ 175 ମିଟର ମଧ୍ୟରେ ରହିଛି । ଅନ୍ୟପଟେ ରେଳ ବିଭାଗ କର୍ମଚାରୀଙ୍କ କହିବାନୁସାରେ ଖରାପ ଭିଜିବିଲିଟି କାରଣରୁ ହାଓଡା-ନୂଆଦିଲ୍ଲୀ ପୂର୍ବ ଏକ୍ସପ୍ରେସ ସହିତ 24ଟି ଟ୍ରେନ 2 ରୁ 5 ଘଣ୍ଟା ବିଳମ୍ବରେ ଚାଲୁଛି ।