ଦେଶ ସେବାକୁ ଜୀବନର ଶ୍ରେଷ୍ଠ ସେବା ବୋଲି ମାନି ସେ ହସି ହସି ଦେଇଥିଲେ ପ୍ରାଣର ଆହୁତୀ । କମ ବୟସରେ ତାଙ୍କର ବୀରତ୍ବର ଗାଥା ଆଜି ବି ଶୁଣିଲେ ଦେହରେ ଖେଳିଯାଏ ସିଂହରଣ । ତାଙ୍କ ବୀରତ୍ବ ଗାଥା ଶୁଣିଲେ ଗର୍ବରେ ଫୁଲି ଉଠେ ଛାତି ଓ ପ୍ରେରିତ ହୁଏ ଯୁବପିଢି । ସେ ହେଉଛନ୍ତି ବୀର ଭଗତ ସିଂହ । ବିପ୍ଲବବାଦ ଓ ସାମ୍ୟବାଦକୁ ସମର୍ଥନ କରୁଥିବା ଭଗତ ସିଂହଙ୍କ ବୀରତ୍ବ ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ଉଜ୍ଜିବୀତ ରଖିଛି ବିପ୍ଳବର ବହ୍ନି । ଆଜି ତାଙ୍କର 113ତମ ଜନ୍ମଜୟନ୍ତୀରେ ସାରା ଦେଶ ମନେ ପକାଇଛି ତାଙ୍କ ବୀରତ୍ବ ଓ ବଳିଦାନର ଗାଥା ।
1907 ମସିହା ସେପ୍ଟେମ୍ବର 28ରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂହ । ତତ୍କାଳୀନ (ବର୍ତ୍ତମାନ ପାକିସ୍ତାନ ସ୍ଥିତ) ଲ୍ୟାଲପୁର ଜିଲ୍ଲାର ବଙ୍ଗା ଗାଁରେ ତାଙ୍କର ଜନ୍ମ । ଖୁବ କମ ବୟସରେ ସେ ସାମାଜିକ କର୍ମୀ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଦେଶ ସ୍ବାଧୀନତାର ନିଆଁ ତାଙ୍କୁ ଯେପରି ଆନ୍ଦୋଳିତ କରୁଥିଲା, ଠିକ୍ ସେହିଭଳି ଭାବେ ସେ ଥିଲେ ଜଣେ ଜଣାଶୁଣା ନାଟ୍ୟ କଳାକାର ।
ତେବେ ପଢନ୍ତୁ ଭଗତ ସିଂହଙ୍କୁ ନେଇ କିଛି ଅଜଣା କଥା...
- ସ୍କୁଲ ଓ କଲେଜରେ ସେ ଥିଲେ ଜଣେ ପ୍ରତିଭାବାନ ନାଟ୍ୟ କଳାକାର ।
- ଜାଲିଆନୱାଲାବାଗ୍ ଗୁଳିକାଣ୍ଡ ସମୟରେ ଭଗତ ସିଂହ ସ୍କୁଲରେ ପଢୁଥିଲେ । ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ସେ ତୁରନ୍ତ ସ୍କୁଲ ଛାଡି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ସେ ପ୍ରାଣ ହରାଇଥିବା ଭାରତୀୟଙ୍କ ରକ୍ତ ମିଶା ମାଟିକୁ ସଂଗ୍ରହ କରି ଏକ ବୋତଲରେ ସାଇତି ରଖିଥିଲେ । ଯାହାକୁ ସେ ପ୍ରତିଦିନ ପୂଜା କରୁଥିଲେ । ସେହିଠାରୁ ହିଁ ତାଙ୍କ ମନରେ ସ୍ବାଧୀନତା ସଂଗ୍ରାମୀର ଚିନ୍ତା ଧାରା ବିକାଶ ହୋଇଥିବା ବିଶ୍ବାସ କରାଯାଏ ।
- ଛୁଆ ବେଳୁ ତାଙ୍କର ଇଚ୍ଛା ଥିଲା ସେ ଗୁଳି ଚାଳନା ଶିଖିବେ ଓ ଗୋରା ସରକାରକୁ ଗୁଳିରେ ଆକ୍ରମଣ କରିବେ ।
- ସାଧାରଣ ପିଲାଙ୍କ ପରି ତାଙ୍କ ଖେଳନା ଓ କଣ୍ଢେଇ ପ୍ରତି କେବେ ରୁଚି ରହିନଥିଲା ।
- ଯୁବାବସ୍ଥାରେ ଯେବେ ପିତା ମାତା ତାଙ୍କର ବିବାହ କରିବା ପାଇଁ ସ୍ଥିର କଲେ ସେ ସମୟରେ କାନପୁରସ୍ଥିତ ନିଜ ଘର ଛାଡି ଚାଲିଯାଇଥିଲେ ଭଗତ ସିଂହ । ସେ କହିଥିଲେ କି ପରାଧୀନ ଭାରତରେ ଯଦି ସେ ବିବାହ କରନ୍ତି, ତେବେ ତାଙ୍କ ଅର୍ଦ୍ଧାଙ୍ଗିନୀ ଭାବେ ସେ ମୃତ୍ୟୁକୁ ବାଛିବେ । ଏହାପରେ ସେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନରେ ସାମିଲ ହୋଇଥିଲେ ।
- ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିବାଦରେ ସାଥୀ ସୁଖଦେବଙ୍କ ସହ ମିଶି ଭଗତ ଗୋରା ସରକାରର ଏସପି ଜେମ୍ସ ସ୍କଟର ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ଭୁଲ ବୁଝାମଣା ଓ ଚିହ୍ନିବାରେ ଭୁଲ ହେବାରୁ ସେମାନେ ଅତିରିକ୍ତ ଏସପି ଜନ ସୌନ୍ଦର୍ସଙ୍କ ଉପରକୁ ଗୁଳି ଚଳାଇଥିଲେ ।
- ଜଣେ ଶିଖ ହେବା ସତ୍ତ୍ବେ ଏହି ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ସେ ନିଜ ଦାଢି ଓ କେଶ କାଟିଥିଲେ । ଏହି ପରିବର୍ତ୍ତିତ ପରିଚୟ ନେଇ ସେ ଲାହୋରରୁ କୋଲକାତା ଖସି ପଳାଇବାରେ ସଫଳ ହୋଇଥିଲେ ।
- ଏହି ହତ୍ୟାକାଣ୍ଡ ଘଟଣାର ବର୍ଷେ ପରେ ଭଗତ ବଟୁକେଶ୍ବର ଦତ୍ତଙ୍କ ସହ ମିଶି ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ବିଧାନସଭା ଗୃହରେ ବୋମା ପକାଇ ଗୃହ ବାହାରେ ‘ଇନକଲାବ ଜିନ୍ଦାବାଦ’ର ନାରା ଦେଇଥିଲେ । ତେବେ ଏହି ଘଟଣାରେ ଗିରଫ ହେବାରୁ ସେ ନିଜକୁ ରକ୍ଷା କରିପାରି ନଥିଲେ ।
- ଗିରଫ ହେବା ପରେ ଗୋରା ସରକାର ତାଙ୍କୁ ପରଚା ଉଚୁରା କରିବା ପରେ ସେ ଜାଣି ପାରିଥିଲେ କି ସେ ଗତବର୍ଷ ହୋଇଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ।
- ଗିରଫ ପରେ ଭଗତଙ୍କୁ କୋର୍ଟ ଚାଲାଣ କରାଯାଇଥିଲେ । ସେଠାରେ ଟ୍ରାଏଲ ସମୟରେ ଭଗତ ସିଂହ ନିଜ ସୁରକ୍ଷା ପାଇଁ ଥରେ ହେଲେ ବି କହିନଥିଲେ । ବରଂ ପ୍ରତିଥର ଏପରି ସୁଯୋଗର ଲାଭ ଉଠାଇ ସେ ଭାରତର ସ୍ବାଧୀନତା ପ୍ରସଙ୍ଗ ଉଠାଇଥିଲେ ।
- 1930 ମସିହା ଅକ୍ଟୋବର 7 ତାରିଖତରେ ତାଙ୍କ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିଲା । ଯାହାକୁ ଅତି ଦମ୍ଭ ଓ ବୀରତ୍ବର ସହ ଶୁଣିଥିଲେ ଭଗତ ।
- ଜେଲରେ ବନ୍ଦୀ ଥିବା ସମୟରେ ମଧ୍ୟ ସେ ନିଜ ଅଧିକାର ପାଇଁ ଲଢେଇ ବନ୍ଦ କରିନଥିଲେ । ବରଂ ସେ ଏହି ସମୟରେ ଅନଶନରେ ବସି ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଜେଲରେ ସମସ୍ତ କଏଦୀଙ୍କ ପ୍ରତି ସମାନ ଓ ଶାଳୀନ ବ୍ୟବହାର ।
- 1931 ମସିହା ମାର୍ଚ୍ଚ 24 ତାରିଖରେ ତାଙ୍କୁ ଫାଶୀ ଦିଆଯିବା ନେଇ ଆଦେଶ ରହିଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହାକୁ 11 ଘଣ୍ଟା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ 23 ସନ୍ଧ୍ୟା 7ଟା 30 ମିନିଟକୁ ଘୁଞ୍ଚାଇ ଦିଆଯାଇଥିଲା ।
- କୁହାଯାଏ କି ଭଗତ ସିଂହଙ୍କୁ ଫାଶୀ ଦଣ୍ଡାଦେଶର ଦେଖାଶୁଣା ପାଇଁ କୌଣସି ମାଜିଷ୍ଟ୍ରେଟ ପ୍ରସ୍ତୁତ ନଥିଲେ । ଦୀର୍ଘ ସମୟର ତର୍କ ପରେ ଶେଷରେ ଜଣେ ଅଭିଜ୍ଞ ବିଚାରପତି ଏହି ଦାୟିତ୍ବ ନେଇଥିଲେ ।
- ଇତିହାସ କୁହେ, ଫାଶୀ ଖୁଣ୍ଟ ପାଖକୁ ଯିବା ସମୟରେ ମୁହଁରେ ହସ ନେଇ ଯାଇଥିଲେ ଭଗତ ସିଂହ । କେବଳ ସେତିକି ନୁହେଁ, ତାଙ୍କୁ ଫାଶୀ ଦିଆଯିବା ସମୟରେ ବ୍ରିଟିଶ ସାମ୍ରାଜ୍ୟବାଦର ବିନାଶ ପାଇଁ ନାରା ମଧ୍ୟ ଦେଇଥିଲେ ।
- ଫାଶୀ ବେଳକୁ ଏହି ଲୋକପ୍ରିୟ ସ୍ବାଧୀନତା ସଂଗ୍ରାମୀଙ୍କୁ ମାତ୍ର 23 ବର୍ଷ ହୋଇଥିଲା । ଆଜି ବି ତାଙ୍କ ପ୍ରାଣର ଆହୁତୀ ଦେଶପ୍ରେମର ପ୍ରତୀକ ଭାବେ ଅନେକ ଯୁବପିଢିଙ୍କ ମନରେ ଉଜ୍ଜିବୀତ ରହିଛି ।