ମୁମ୍ବାଇ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିରେ ଅଧିକ ପ୍ରଭାବିତ ହେଉଛି ମହାରାଷ୍ଟ୍ର । ରାଜ୍ୟରେ ପ୍ରତ୍ୟେକ ଦିନ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଚ୍ର ସରକାରରେ ସହଯୋଗୀ ଶରଦ ପାୱାରଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଯାଇଛି। ପାୱାରଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନରେ କାର୍ଯ୍ୟ କରୁଥିବା ୪ ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏଥିରେ ପାୱର ଅଥବ ସେମାନଙ୍କ ପରିବାରର କେହି ସଂକ୍ରମିତ ହୋଇନଥିବା ଜଣାପଡିଛି।
ମନ୍ତ୍ରୀଙ୍କ ଅନୁସାରେ ପାୱାରଙ୍କ ‘ସିଲଭର ଓକ’ ବାସଭବନରେ କାର୍ଯ୍ୟରତ ଜଣେ ରୋଷେୟା ଓ ୨ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୪ ଜଣ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଯଦିଓ ପାୱାର ସଂକ୍ରମିତ ନୁହଁନ୍ତି ବୋଲି ଜଣାପଡିଛି ତଥାପି ତାଙ୍କୁ ଆଗାମୀ କିଛିଦିନ ପର୍ଯ୍ୟନ୍ତ କୌଣସି ଗସ୍ତରେ ନ ଯିବା ଲାଗି ପରାମର୍ଶ ଦିଆଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି । ପୱାରଙ୍କୁ ପରୀକ୍ଷା ପାଇଁ ରବିବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଥିଲା ।