ଚଣ୍ଡିଗଡ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଥମିବାର ନାଁ ନେଉନାହିଁ ଚାଷୀ ଆନ୍ଦୋଳନ । ସରକାର ଆଲୋଚନା ପାଇଁ ବାରମ୍ବାର ଅପିଲ କରୁଥିବା ବେଳେ ନିଜ ଦାବିରେ ଅଟଳ ଚାଷୀ । ଏହାରି ମଧ୍ୟରେ ଚାଷୀଙ୍କ ସମର୍ଥନରେ ଆରମ୍ଭ ହୋଇଯାଇଛି ପୁରସ୍କାର ପ୍ରତ୍ୟାହାର ପ୍ରକ୍ରିୟା ।
ଚାଷୀଙ୍କ ସହ ବିଶ୍ବାସଘାତ ହୋଇଥିବା ଅଭିଯୋଗ ଆଣି ଚାଷୀ ଆନ୍ଦୋଳ ସମର୍ଥନରେ ପଦ୍ମ ବିଭୂଷଣ ସମ୍ମାନ ପୁରସ୍କାର ଫେରାଇ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ । ସେହିପରି ଅକାଳୀଦଳର ନେତା ସୁଖଦେବ ସିଂହ ଢିଣ୍ଢସା ମଧ୍ୟ ନିଜର ପଦ୍ମଭୂଷଣ ସମ୍ମାନ ଫରାଇଥିବା କହିଛନ୍ତି ।
ପ୍ରକାଶ ସିଂହ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରାୟ ତିନି ପୃଷ୍ଠାର ଚିଠି ଲେଖି କୃଷି ଆଇନକୁ ବିରୋଧ ନେଇ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି । ପ୍ରକାଶ ସିଂହ ବାଦଲ ଲେଖିଛନ୍ତି, ମୁଁ ଏତେ ଗରିବ ଯେ ଚାଷୀଙ୍କ ପାଇଁ ତ୍ୟାଗ କରିବାକୁ ମୋ ପାଖରେ ଏହାଠାରୁ ବଡ କଛି ନାହିଁ । ମୁଁ ଆଜି ଯାହା ବି ଅଛି ସବୁକିଛି ଚାଷୀମାନଙ୍କ ପାଇଁ । ଏଭଳି ପରିସ୍ଥିତିରେ ଯଦି ଚାଷୀଙ୍କୁ ଅପମାନ କରାଯାଏ, ତେବେ କୌଣସି ପ୍ରକାରର ସମ୍ମାନର ରଖିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବାଦଲ ।
ବାଦଲ ଆହୁରି ମଧ୍ୟ ଲେଖିଛନ୍ତି, ଚାଷୀମାନଙ୍କ ପ୍ରତି ଯେଉଁ ପ୍ରକାର ପ୍ରତାରଣା ହୋଇଛି, ତାହା ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇଛି । ଚାଷୀଙ୍କ ଆନ୍ଦୋଳନକୁ ଯେଭଳି ଭୁଲ ଦୃଷ୍ଟିକୋଣରୁ ପ୍ରତିପାଦିତ କରାଯାଉଛି, ତାହା ଯନ୍ତ୍ରଣାଦାୟକ ଅଟେ ବୋଲି କହିଛନ୍ତି ବାଦଲ ।
ଏହାପୂର୍ବରୁ ବାଦଲ ପରିବାରର କୃଷି ଆଇନକୁ ବିରୋଧ କରିଥିଲେ । ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ପଦରୁ ହରସିମରତ କୌର ବାଦଲ ଇସ୍ତଫା ଦେଇଛନ୍ତି ଏବଂ କେନ୍ଦ୍ରର ନୂତନ ନିୟମକୁ ଚାଷୀଙ୍କ ସହ ଏକ ବଡ ଠକେଇ ବୋଲି ବର୍ଣ୍ଣନା କରିଛନ୍ତି । କେବଳ ଏତିକି ନୁହେଁ ପଞ୍ଜାବ ନିର୍ବାଚନରେ ସୁଖବୀର ବାଦଲ ଏକାକୀ ଲଢିବାକୁ ଘୋଷଣା କରି ଅକାଳୀଦଳକୁ ଏନଡିଏରୁ ଅଲଗା କରିସାରିଛନ୍ତି ।