ବେଙ୍ଗାଲୁରୁ: ଭାରତୀୟ ରାଜନୀତିରେ ପରିବାରବାଦ କିଛି ନୂଆକଥା ନୁହେଁ । ବାପା ବିଧାୟକ କିମ୍ବା ସାଂସଦ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ହିଁ ମିଳିଥାଏ ଦଳୀୟ ଟିକେଟ । ଜାତୀୟ ଦଳ କଂଗ୍ରେସ ଓ ବିଜେପି ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି । ପରିବାରବାଦ ଭାରତୀୟ ରାଜନୀତିର ସବୁଠାରୁ ବଡ ଦୁର୍ଭାଗ୍ୟର ବିଷୟ । ଅନ୍ୟପକ୍ଷେ ପରିତାପର ବିଷୟ ଏହା ଯେ, ଏହି ପରିବାରବାଦକୁ ନେଇ ରାଜନୈତିକ ଦଳଗୁଡିକ ପରସ୍ପର ଉପରେ କାଦୁଆ ଫିଙ୍ଗାଫିଙ୍ଗି ହୁଅନ୍ତି ।
ଅନ୍ୟପକ୍ଷେ ପରିବାରବାଦର ଅଭିଯୋଗ ଆସିବା ପରେ ଭାବୁକ ହୋଇ କାନ୍ଦି ପକାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା । ତାଙ୍କ ସହ ତାଙ୍କ ବଡ ପୁଅ ଏଚଡି ରେବନ୍ନା ଓ ନାତି ପ୍ରଜ୍ବଳ ରେବନ୍ନା ମଧ୍ୟ କାନ୍ଦି ପକାଇଥିଲେ । ଦେବେଗୌଡା ନିଜ ଦୁଇ ନାତି ନିଖିଲ କୁମାରସ୍ବାମୀଙ୍କୁ ମାଣ୍ଡ୍ୟା ଓ ପ୍ରଜ୍ବଳଙ୍କୁ ହାସନ ଲୋକସଭା ଆସନରୁ ଟିକେଟ ଦେଇଛନ୍ତି । ଏହାପରେ ତାଙ୍କ ଉପରେ ପରିବାରବାଦ ଅଭିଯୋଗ ଆସିଥିଲା ।
ସେ ହାସନରେ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ ଜେନ୍ନକେଶବ ଭଗବାନ ଓ ଆପଣଙ୍କ ଆଶୀର୍ବାଦରୁ ମୁଁ ପ୍ରଜ୍ବଳଙ୍କୁ ହାସନ ଆସନରୁ ମୈଦାନକୁ ଓହ୍ଲାଇଛି । ସେ ଭାବିକୁ ହୋଇ କହିଛନ୍ତି ଯେ ମୁଁ ସମସ୍ତଙ୍କୁ ପ୍ରାଥମିକତା ଦେଇଛି । ଆମେ ସାକଲେଶପୁରରୁ ଲିଙ୍ଗାୟତ ନେତାଙ୍କୁ ଏମଏଲସି କରିଛୁ । କିନ୍ତୁ ଅଭିଯୋଗ ଆସୁଛି ମୁଁ କେବଳ ମୋ ନିଜ ପୁଅ ଓ ନାତିଙ୍କୁ ଆସନ ଦେଇଛି । ମୋ ଶରୀରୀରେ ଜୀବନ ଥିବା ଯାଏ ମୁଁ କାମ କରି ଚାଲିଥିବି ବୋଲି ସେ କହିଛନ୍ତି ।