ନୂଆଦିଲ୍ଲୀ: ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ଯେତେବେଳେ କଂଗ୍ରେସ ନିଜର ରାଜନୀତି ଶିଖରରେ ଥିଲା, ସେ ସମୟରେ ଏପରି ଜଣେ ବ୍ୟକ୍ତିଙ୍କ ରାଜନୀତିରେ ଆବିର୍ଭାବ ଘଟିଥିଲା, ଯିଏ ନିଜ କାର୍ଯ୍ୟଶୈଳୀ, ଜ୍ଞାନ ଓ ଦକ୍ଷତା ବଳରେ କେବଳ ଇନ୍ଦିରା ଗାନ୍ଧୀଙ୍କ ପ୍ରିୟ ହୋଇଯାଇନଥିଲେ ବରଂ କଂଗ୍ରେସ ଦଳରେ ନିଜର ଦୃଢ ସ୍ଥିତି ମଧ୍ୟ ଜାହିର କରିବାରେ ସକ୍ଷମ ହୋଇଥିଲେ । ସେ ହେଉଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଯାହାଙ୍କ ଅନେକ ସଂଘର୍ଷ ତାଙ୍କୁ ଦଳୀୟ ରାଜନୀତିରୁ ଦେଶର ରାଷ୍ଟ୍ରପତି ଆସନରେ ଅଭିଶିକ୍ତ କରାଇପାରିଥିଲା ।
ପ୍ରଣବ କେବଳ ଗୋଟିଏ କାର୍ଯ୍ୟକୁ ସାରା ଜୀବନ ଗୁରୁତ୍ବ ଦେଇଆସିଥିଲେ, ଆଉ ତାହା ହେଉଛି ଦେଶର ସେବା । ସେ ନିଜ ଜୀବନର ଦୀର୍ଘ 60 ବର୍ଷ ରାଜନୀତିକୁ ସମର୍ପଣ କରିଦେଇଥିଲେ । ଜୀବନର ଏହି ପାହାଚରେ ପାଦ ରଖି ଯେତେବେଳେ ଜଣେ ମଣିଷ ଥକିପଡେ ଓ ଅବସର ନେବାକୁ ଚାହିଁଥାଏ, ସେତେବେଳେ ପ୍ରଣବ ଧୈର୍ଯ୍ୟ ଓ ସଂଯମତା ବଳରେ ନିଜ ରାଜନୈତିକ ଜୀବନକୁ ଏକ ଦିଗ ପ୍ରଦାନ କରିଥିଲେ । ସେ କଂଗ୍ରେସ ପାଇଁ ଏକ ଦୃଢ ସ୍ତମ୍ଭ ସଦୃଶ ଥିଲେ, ଯାହାଙ୍କୁ କେବଳ ଦଳ ନୁହେଁ ସମଗ୍ର ଦେଶ କେବେ ବି ହରାଇବାକୁ ଚାହିଁନଥିଲା । ଅନେକ ସଂଘର୍ଷ ପରେ ବି ଅଟଳ ରହିଥିଲେ ପ୍ରଣବ । ରାଜନୀତିର କଳା ସମୁଦ୍ର ଭିତରେ ଅଣନିଶ୍ବାସୀ ନହୋଇ ବରଂ ଏହାକୁ ଏକ ନୂଆଦିଗଦର୍ଶନ ଦେଇଥିଲେ । ଆଜି କିନ୍ତୁ ପର ପାରିରେ ପ୍ରଣବ । ଅପାସୋରା ଏବଂ ଅଫେରା ରାସ୍ତାର ପଥିକ ସେ ।
କୌଣସି ବି ସଙ୍କଟର ସମାଧାନ ପାଇଁ କୌଶଳ ହେଉ କି ଶାନ୍ତ ବ୍ୟବହାର, ପ୍ରଶାସନିକ ଦକ୍ଷତା ହେଉ କି ବାକ୍କଳା, ସବୁକ୍ଷେତ୍ରରେ ନିଜର ନିଷ୍ଠାପରତା ପାଇଁ ପ୍ରଣବ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ସରକାର, ସଂସଦ ଓ ସମାଜରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଯୋଗୁଁ ସେ ବନିଯାଇଥିଲେ ଭାରତରତ୍ନ ।
ପ୍ରଣବଙ୍କ ପ୍ରାରମ୍ଭିକ ଜୀବନ
11 ଡିସେମ୍ବର 1935ରେ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ମିରତି ଅଞ୍ଚଳରେ ଏକ ବଙ୍ଗୀୟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ପ୍ରଣବ । ତାଙ୍କ ମା ରାଜଲକ୍ଷ୍ମୀ ଓ ପିତା କାମଦା କିଙ୍କର ମୁଖାର୍ଜୀ ଉଭୟ ଥିଲେ ସ୍ବାଧୀନତା ସଂଗ୍ରାମୀ । ରାଜନୀତି ପ୍ରଣବଙ୍କୁ ଉତ୍ତରାଧିକାର ରୂପେ ପ୍ରାପ୍ତ ହୋଇଥିଲା । ଜନ୍ମସ୍ଥାନର ପରିବେଶ ଏବଂ ଅନେକ ବାଧାବିଘ୍ନ ପ୍ରଣବଙ୍କ ଭବିଷ୍ୟତର ରାଜନୈତିକ ଚିନ୍ତାଧାରାକୁ କେବେହେଲେ ପ୍ରଭାବିତ କରିପାରି ନଥିଲା । ସାମ୍ୟ ଓ ସହନଶୀଳତା ପ୍ରଭୃତି ମାନବିକ ଗୁଣାବଳୀ ଦ୍ବାରା ସେ ଯେଉଁ ତତ୍ବଲାଭ କରିଥିଲେ, ତାହା ତାଙ୍କ ମନରେ ରାଜନୀତି କ୍ଷେତ୍ର ଆଡକୁ ଅଗ୍ରସର ହେବା ପାଇଁ ପ୍ରେରଣାର ଉନ୍ମେଷ ଘଟାଇଥିଲା ।
ଦେଶ ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ପ୍ରଣବଙ୍କ ପିତା ସ୍ବାଧୀନତା ସଂଗ୍ରାମୀ କାମଦା କିଙ୍କର ମୁଖାର୍ଜୀ 1952ରୁ 1964 ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ବିଧାନ ପରିଷଦର ସଦସ୍ୟ ଥିଲେ। ସେ ଅଖୀଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ମଧ୍ୟ ଥିଲେ।
ବୀରଭୂମିରୁ ପ୍ରାଥମିକ ଶିକ୍ଷା ପୁରା କରିବା ପରେ ପ୍ରଣବ ମୁଖାର୍ଜୀ କୋଲକାତା ବିଶ୍ବବିଦ୍ୟାଳୟରୁ ଇତିହାସ ଓ ରାଜନୀତି ଶାସ୍ତ୍ରରେ ସ୍ନାତୋକୋତ୍ତର ହାସଲ କରିଥିଲେ । ଏହି ବିଶ୍ବବିଦ୍ୟାଳୟରୁ ସେ ଆଇନ ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।
ପ୍ରଣବ ସୁରୀ ବିଦ୍ୟାସାଗର କଲେଜ(କୋଲକାତା ବିଶ୍ବବିଦ୍ୟାଳୟ ସହ ଜଡିତ)ରେ ଅଧ୍ୟପକ ମଧ୍ୟ ରହିଥିଲେ । ଏହା ପରେ ସେ ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ (ପୋଷ୍ଟ ଏବଂ ଟେଲିଗ୍ରାଫ୍)ର କୋଲକାତା କାର୍ଯ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ। 1963 ମସିହାରେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ବିଦାନଗର କଲେଜରେ ରାଜନୀତି ଶାସ୍ତ୍ରରେ ଶିକ୍ଷା ଆରମ୍ଭ କରିବା ସହ 'ଦେଶେର୍ ଡାକ' ନାମକ ଏକ ସମ୍ବାଦପତ୍ରିକାରେ ଯୋଗ ଦେଇ ସାମ୍ବାଦିକ ମଧ୍ୟ ବନିଯାଇଥିଲେ ପ୍ରଣବ ।
ରାଷ୍ଟ୍ରପତି ଭାବେ ପ୍ରଣବଙ୍କ ଯାତ୍ରା
ରାଜନୀତିରେ ଲମ୍ବା ଇନିଂସ ଖେଳିବା ପରେ ସେ ଭାରତର ପ୍ରଥମ ନାଗରିକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଭାରତର 13 ତମ ରାଷ୍ଟ୍ରପତି ଥିଲେ ପ୍ରଣବ ମୁଖାର୍ଜୀ। ନିଜର 60 ବର୍ଷର ରାଜନୈତିକ କ୍ୟାରିଅରରେ ବିଭିନ୍ନ ସମୟରେ ଭାରତ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ଏବଂ ପଦବୀରେ ରହିଆସିଛନ୍ତି। ରାଷ୍ଟ୍ରପତି ହେବା ପୂର୍ବରୁ ସେ ୟୁପିଏ ମେଣ୍ଟ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ବାଧିନ ୟୁପିଏରୁ ପ୍ରାର୍ଥୀ ହୋଇଥିଲେ ପ୍ରଣବ । ତେବେ ସେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ପି. ସାଙ୍ଗମାଙ୍କୁ ହରାଇ 25 ଜୁଲାଇ 2012ରେ ଭାରତର 13 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ।
ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହାୟତାରେ 1969 ମସିହାରେ ପ୍ରଣବ ରାଜନୀତିରେ ପାଦ ଥାପିବା ସହ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଧୀରେ ଧୀରେ ସେ ଇନ୍ଦିରା ଗାନ୍ଧୀଙ୍କ ନିକଟତର ହେବା ସହ 1973ରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିଲେ। ଅନେକ ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ ପରେ ପ୍ରଣବ 1982ରୁ 1984 ଯାଏଁ ଦେଶର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟଭାର ତୁଲାଇଥିଲେ। 1980ରୁ 1985 ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ଗୃହର ନେତା ମଧ୍ୟ ଥିଲେ ।
ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତ ପରେ ଯେବେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଧୂମିଳ ହୋଇପଡିଥିଲା ପ୍ରଣବ ମୁଖାର୍ଜୀଙ୍କ ରାଜନୈତୀକ କ୍ୟାରିୟର । କାରଣ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଦକ୍ଷ ପ୍ରାର୍ଥୀ ଭାବରେ ବିବେଚନା କରାଯାଉଥିଲା। 1991ରେ ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ ଏବଂ 1995ରେ ଦେଶର ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ ହେବାପରେ ନରସିଂହ ରାଓ ସରକାରରେ ପ୍ରଣବଙ୍କ ରାଜନୈତିକ କ୍ୟାରିୟର ପୁନର୍ଜୀବିତ ହୋଇଥିଲା। ସେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳର ସଭାପତି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 2004ରୁ 2012 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରରେ ପ୍ରଣବ ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଷ୍ଠାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି ।
ପ୍ରଣବଙ୍କ ରାଜନୈତିକ ଜୀବନ
ପ୍ରଣବ ଦା' ରହସ୍ୟକୁ ନିଜ ପେଟରେ ଲୁଚାଇ ରଖିବାରେ ବେଶ ସିଦ୍ଧହସ୍ତ ଥିଲେ । ବାସ୍ତବରେ ଏଥିପାଇଁ ଥରେ ଇନ୍ଦିରା ଗାନ୍ଧୀ କହିଥିଲେ ଯେ, ପ୍ରଣବ ଯେତେବେଳେ ଗୋପନୀୟ କଥା କୁହନ୍ତି, ସେତେବେଳେ ତାହା ତାଙ୍କ ପେଟରୁ ନୁହେଁ ବରଂ ତାଙ୍କ ଚିଲମର ଧୂଆଁ ଦେଇ ବାହାରିଥାଏ ।
ପ୍ରଣବ ମୁଖାର୍ଜୀଙ୍କ ରାଜନୈତିକ କ୍ୟାରିୟର 1969 ମସିହାରେ ଆରମ୍ଭ ହୋଇଥିଲା । ସେତେବେଳେ ସେ ଭି.କେ କୃଷ୍ଣ ମେନନଙ୍କ ନିର୍ବାଚନ ପ୍ରଚାର (ମେଦିନାପୁର ଲୋକସଭା ଆସନ ପାଇଁ ଉପନିର୍ବାଚନ) ସଫଳତାର ସହିତ ପରିଚାଳନା କରିଥିଲେ | ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ପ୍ରତିଭାକୁ ଚିହ୍ନିବା ସହ ଜୁଲାଇ 1969ରେ ଭାରତୀୟ ଜାତୀୟ କଂଗ୍ରେସରେ ସାମିଲ କରାଇ ତାଙ୍କୁ ରାଜ୍ୟସଭାର ସଦସ୍ୟ କରିଥିଲେ। ଏହା ପରେ ମୁଖାର୍ଜୀ ଅନେକ ଥର (1975, 1981, 1993 ଏବଂ 1999) ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
ପ୍ରଥମ ନିର୍ବାଚନରେ ବିଜୟ ପରେ ପ୍ରଣବଙ୍କ ବୟାନ
2004 ରେ ଯେତେବେଳେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ ସରକାର କ୍ଷମତାକୁ ଆସିଲା, ସେବେ ମୁଖାର୍ଜୀ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଜିତି 2012 ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅନେକ ପ୍ରମୁଖ କ୍ୟାବିନେଟ ବିଭାଗ ଯେପରିକି ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଏବଂ ଅର୍ଥ ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ ।
2004 ପର୍ଯ୍ୟନ୍ତ ସେ କେବେ ବି ଲୋକସଭା ନିର୍ବାଚନରେ ବିଜୟୀ ହୋଇ ନ ଥିବାରୁ ମୁଖାର୍ଜୀଙ୍କୁ ତାଙ୍କ ଦଳର କିଛି ସହକର୍ମୀ ଉପହାସ କରିଥିଲେ ବୋଲି କୁହାଯାଏ। ତେବେ ସାଂସଦ ଭାବରେ ପ୍ରଥମ ଥର ବିଜୟ ହାସଲ ପରେ ଜୀବନର ଏକ ସ୍ବପ୍ନ ପୂରଣ ହେଲା ବୋଲି କହିଥିଲେ ପ୍ରଣବ ।
2017 ଜୁଲାଇ 25ରେ କାର୍ଯ୍ୟକାଳ ସମାପ୍ତ ପରେ ମୁଖାର୍ଜୀ ପୁନର୍ବାର ନିର୍ବାଚନ ଲଢିବେ ନାହିଁ ଏବଂ ବୃଦ୍ଧାବସ୍ଥା ସମ୍ବନ୍ଧୀୟ ଅସୁସ୍ଥତା କାରଣରୁ ରାଷ୍ଟ୍ରପତି ପଦ ଛାଡିବା ପରେ ରାଜନୀତିରୁ ଅବସର ନେବେ ବୋଲି ନିଷ୍ପତ୍ତି ନେଇଥିଲେ।
ନିଜର ନିଷ୍ଠା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଧିରେ ଧିରେ ପ୍ରଣବ ଇନ୍ଦିରା ଗାନ୍ଧୀଙ୍କ ପ୍ରିୟ ହୋଇଗଲେ । ଏହାପରେ 1973 ମସିହାରେ ସେ କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ସାମିଲ ହୋଇଥିଲେ। 1975ର ଜରୁରୀକାଳୀନ ସମୟରେ ସେ ଅଣ-ସାମ୍ବିଧାନିକ ପଦ୍ଧତି ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ଏବଂ ଜନତା ପାର୍ଟି ଦ୍ବାରା ଗଠିତ 'ଶାହା କମିଶନ' ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ପ୍ରଣବ ଏହି ସମସ୍ତ ଅଭିଯୋଗରୁ କ୍ଲିନଚିଟ ପାଇ 1982ରେ ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ସରକାରଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ଅନେକ ସଫଳତା ହାସଲ କରିଛନ୍ତି।
1980 ମସିହାରେ ପ୍ରଣବଙ୍କୁ ରାଜ୍ୟସଭାରେ କଂଗ୍ରେସ ଦଳର ନେତା ରୂପେ ଚୟନ କରାଯାଇଥିଲା। ଏହି ସମୟ ମଧ୍ୟରେ ମୁଖାର୍ଜୀଙ୍କୁ ସବୁଠାରୁ ଶକ୍ତିଶାଳୀ କ୍ୟାବିନେଟ ମନ୍ତ୍ରୀ ଭାବେ ବିବେଚନା କରାଯାଉଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା ମଧ୍ୟ କରିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ମତଭେଦ
ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ପ୍ରଣବ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ବନ୍ଦୀ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୈତିକ କ୍ୟାରିୟର ପ୍ରଣବଙ୍କ ଅଗ୍ରଗତିର ଢେଉରେ ଭଟ୍ଟା ପଡିଯାଇଥିଲା। କୁହାଯାଏ ଯେ ରାଜୀବ ଗାନ୍ଧୀଙ୍କ ସମର୍ଥକଙ୍କ ଷଡଯନ୍ତ୍ର ଯୋଗୁଁ ପ୍ରଣବଙ୍କୁ କ୍ୟାବିନେଟରେ ଆଉ ସ୍ଥାନ ମିଳିନଥିଲା ।
ଏହା ପରେ ସେ କଂଗ୍ରେସ ଛାଡି ନିଜର ରାଜନୈତିକ ଦଳ 'ଜାତୀୟ ସମାଜବାଦୀ କଂଗ୍ରେସ' ଗଠନ କରିଥିଲେ, କିନ୍ତୁ 1989ରେ ସେ ତାଙ୍କ ଦଳକୁ କଂଗ୍ରେସ ଦଳରେ ମିଶ୍ରଣ କରିଥିଲେ। ପିଭି ନରସିଂହ ରାଓ ସରକାରରେ ତାଙ୍କର ରାଜନୈତିକ କ୍ୟାରିୟର ପୂନର୍ଜୀବୀତ ହେବା ସହ ସେ ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ ହୋଇଥିଲେ ଏବଂ 1995ରେ ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ସେ 1995ରୁ 1996 ପର୍ଯ୍ୟନ୍ତ ନରସିଂହ ରାଓ କ୍ୟାବିନେଟରେ ପ୍ରଥମ ଥର ପାଇଁ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। 1997ରେ ପ୍ରଣବଙ୍କୁ ଉତ୍କୃଷ୍ଠ ସାଂସଦଭାବେ ଚୟନ କରାଯାଇଥିଲା ।
ପ୍ରଣବ ମୁଖାର୍ଜୀ ଗାନ୍ଧୀ ପରିବାର ପ୍ରତି ସବୁଠୁ ଅଧିକ ବିଶ୍ବସ୍ତ ଥିଲେ ଏବଂ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳର ସଭାପତି କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 1998-99 ମସିହାରେ ଯେତେବେଳେ ସୋନିଆ ଗାନ୍ଧୀ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ପ୍ରଣବଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଥିଲା।
2004ରେ ପ୍ରଣବ ପ୍ରଥମ ଥର ପାଇଁ ଲୋକସଭା ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରି ପଶ୍ଚିମବଙ୍ଗର ଜଙ୍ଗିପୁର ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଥିଲେ। ଲୋକସଭାରେ କଂଗ୍ରେସ ଦଳର ନେତା ଭାବରେ ତାଙ୍କୁ ଚୟନ କରାଯାଇଥିଲା । ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାକୁ ମନାକରିବା ପରେ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ କରାଯିବ ବୋଲି ବିଶ୍ବାସ କରାଯାଉଥିଲା, କିନ୍ତୁ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।
ମନମୋହନ ସିଂହଙ୍କ କ୍ୟାବିନେଟରେ ପ୍ରଣବଙ୍କ ଭୂମିକା
ମନମୋହନ ସିଂହଙ୍କ କ୍ୟାବିନେଟରେ ପ୍ରଣବ ଦା 95ରୁ ଅଧିକ ସଶକ୍ତକରଣ ଗ୍ରୃଫ୍ର ଅଧ୍ୟକ୍ଷ ରହିଥିଲେ । ଏନରନ, ସ୍ପେକ୍ଟ୍ରମ, ଡବ୍ଲୁଟିଓ ଏବଂ ଭୋପାଳ ବିପର୍ଯ୍ୟୟ ଏବଂ ବିନିଯୋଗ ସହ ସେ କାର୍ଯ୍ୟ କରିଛନ୍ତି ।
ପ୍ରଣବଦା ତିନି ତିନୋଟି ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିଥିଲେ - ଇନ୍ଦିରା ଗାନ୍ଧୀ, ନରସିଂହ ରାଓ ଏବଂ ମନମୋହନ ସିଂ। ସେ ହେଉଛନ୍ତି ଏକମାତ୍ର ଅର୍ଥମନ୍ତ୍ରୀ ଯିଏକି ଉଭୟ1991 ସଂସ୍କାର ପୂର୍ବରୁ ଏବଂ 1991 ଅର୍ଥନନୈତିକ ସଂସ୍କାର ପରେ ବଜେଟ ଉପସ୍ଥାପନ କରିଥିଲେ।
ପ୍ରଣବଙ୍କ କେତୋଟି ଗୁରୁତ୍ବପୂର୍ଣ୍ଣ ଯୋଗଦାନ
2008 ର ବିଶ୍ବ ଅର୍ଥନୈତିକ ସଙ୍କଟ ପରେ ସେ ସାହସିକ ନିଷ୍ପତ୍ତି ନେଇଥିଲେ ଯାହା ଭାରତୀୟ ଅର୍ଥନୀତିକୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା | 1993 ରେ ବାଣିଜ୍ୟ ମନ୍ତ୍ରୀ ଭାବରେ ପ୍ରଣବଦା ବାଣିଜ୍ୟ ଉଦାରୀକରଣର କାରଣକୁ ସମର୍ଥନ କରିଥିଲେ।
2005ରୁ 2008 ମଧ୍ୟରେ ଭାରତ-ଆମେରିକା ଆଣବିକ ଚୁକ୍ତି ମନମୋହନ ସିଂ ସରକାରଙ୍କ ଏକ ଉଲ୍ଲେଖନୀୟ ସଫଳତା ଥିଲା। ଉଭୟ ଦେଶ ଭାରତକୁ ଭେଦଭାବକାରୀ ଆଣବିକ ବିଶ୍ବ ଆଦେଶରୁ ବାହାର କରିବାକୁ, ଆଣବିକ ବାଣିଜ୍ୟରେ ଭାରତର ଅଂଶଗ୍ରହଣକୁ ସୁଗମ କରିବାକୁ ଏବଂ ଏହାକୁ ସ୍ବଚ୍ଛ ଆଣବିକ ଶକ୍ତିର ଲାଭ କରିବା ନେଇ ଅନୁମତି ଦେବାକୁ ଚାହୁଁଥିଲେ। କିନ୍ତୁ ବାମପନ୍ଥୀମାନେ କ୍ଷମତାରେ ଥିବା ୟୁପିଏ ସରକାରକୁ ସମର୍ଥନ କରିଥିଲେ ଏବଂ ସେମାନେ ଆମେରିକା ସହ ହାତ ମିଳାଇବା ବିରୁଦ୍ଧରେ ଥିଲେ। ହେଲେ ପ୍ରଣବଦାଙ୍କ ଅଧ୍ୟକ୍ଷତାରେ ୟୁପିଏ ଏବଂ ବାମ ଦଳ ମଧ୍ୟରେ ଏକ ସମନ୍ବୟ କମିଟି ଗଠନ କରାଯାଇଥିଲା । ଯାହାର ଫଳ ସ୍ବରୂପ ବାମଦଳ ମଧ୍ୟ ଏଥିରେ ରାଜି ହୋଇଥିଲେ ।
ଇଂରାଜୀ ଭାଷା ଉପରେ ପ୍ରଣବଙ୍କ ବାକଶକ୍ତି, ଡ୍ରାଫ୍ଟିଙ୍ଗ୍ କୌଶଳ, ତୀକ୍ଷ୍ଣ ସ୍ମୃତି, ଜାତୀୟ ତଥା ଆନ୍ତର୍ଜାତୀୟ ବ୍ୟାପାର ବିଷୟରେ ବିସ୍ତୃତ ଜ୍ଞାନ ଏବଂ ସଂସଦୀୟ ବ୍ୟାପାରରେ ଦକ୍ଷତା ପ୍ରଣବଙ୍କୁ ଉଭୟ କ୍ୟାବିନେଟ ଏବଂ ଦଳରେ ସର୍ବୋଚ୍ଚରେ ରଖିଥିଲା ।
ଯେତେବେଳେ କ୍ୟାବିନେଟରେ କୌଣସି ଜଟିଳ ଏବଂ ବିବାଦୀୟ ପ୍ରସଙ୍ଗ ଉପୁଜେ, ସେତେବେଳେ ଏହାର ସମାଧାନ ପାଇଁ ପ୍ରଣବଙ୍କୁ ହିଁ ଖୋଜାଯାଉଥିଲା।
ପ୍ରଣବଙ୍କ ବ୍ୟକ୍ତିଗତ ଜୀବନ
ଶୁଭ୍ରା ମୁଖାର୍ଜୀଙ୍କୁ 13 ଜୁଲାଇ 1957ରେ 22 ବର୍ଷ ବୟସରେ ବିବାହ କରିଥିଲେ ପ୍ରଣବ ମୁଖାର୍ଜୀ। ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି | ଅସୁସ୍ଥତା ହେତୁ 18 ଅଗଷ୍ଟ 2015ରେ ପତ୍ନୀ ଶୁଭ୍ରା ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା।
ପ୍ରଣବ ମୁଖାର୍ଜୀ ନିଜ କ୍ୟାରିୟର ମଧ୍ୟରେ ଅନେକ ପୁସ୍ତକ ରଚନା କରିଛନ୍ତି । ମିଡର୍ଟମ ପୋଲ, ବିୟଣ୍ଡ ସର୍ଭାଇଭାଲ, ଅଫ୍ ଦ ଟ୍ରାକ- ସାଗା ଅଫ ଷ୍ଟଙ୍ଗଲ ଆଣ୍ଡ୍ ସେକ୍ରିଫାଇସ, ଇମର୍ଜିଙ୍ଗ୍ ଡାଇମେନସନ, ଭାରତୀୟ ଅର୍ଥନୀତିର ଉଦୀୟମାନ ପରିମାଣ ଏବଂ ଚ୍ୟାଲେଞ୍ଜ ବିଫୋର ଦ ନେଶନ ଭଳି ପୁସ୍ତକ ସେ ଲେଖିଛନ୍ତି ।
ପ୍ରଣବଙ୍କ ପରିବାର ପ୍ରତିବର୍ଷ ନିଜ ଜନ୍ମ ମାଟି ମିରତି (ପଶ୍ଚିମବଙ୍ଗ)ରେ ଦୁର୍ଗା ପୂଜା ପର୍ବ ବେଶ ଧୂମିଧାମରେ ପାଳନ କରନ୍ତି | ଅନେକ ଜାତୀୟ ତଥା ଅନ୍ତରାଷ୍ଟ୍ରୀୟ ସମ୍ମାନ ଓ ପୁରଷ୍କାର ମଧ୍ୟ ଅର୍ଜନ କରିଛନ୍ତି ପ୍ରଣବ । ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ ପ୍ରଣବ । ଏହାସହ ତାଙ୍କୁ ପଦ୍ମବିଭୂଷଣରେ ମଧ୍ୟ ଅଳଙ୍କୃତ କରାଯାଇଥିଲା । ତାଙ୍କୁ ବଲ୍ଭରହେମ୍ପଟନ୍ ଏବଂ ଆସାମ ବିଶ୍ୱବିଦ୍ୟାଳୟ ଦ୍ବାରା ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ କରାଯାଇଛି।
ପ୍ରଣବଙ୍କ ଦେହାନ୍ତରେ ଆଜି ସମଗ୍ର ଦେଶ ମ୍ରିୟମାଣ । ଦଳିୟ ରାଜନେତାରୁ ଦକ୍ଷ ପ୍ରଶାସକ ଦେଇ ଦେଶର ରାଷ୍ଟ୍ରପତି ହେବା ଯାଏଁ ପ୍ରଣବଙ୍କ କାର୍ଯ୍ୟ ଦକ୍ଷତାର ପରାକାଷ୍ଠା ଚୀର ଦିନ ଯାଏଁ ସମସ୍ତଙ୍କ ସ୍ମୁତିରେ ସ୍ମରଣୀୟ ହୋଇ ରହିବ ।