ନୂଆଦିଲ୍ଲୀ: କଂଗ୍ରେସ ବିରୁଦ୍ଧରେ ସ୍ବର ଉଠାଇଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବି.ଏସ ହୁଡ୍ଡା । ମୋଦି ସରକାରଙ୍କ ଧାରା 370 ଉଚ୍ଛେଦର ସମର୍ଥନ କରିବା ସହ ଏହାକୁ ନେଇ ନିଜ ଦଳ ବିରୁଦ୍ଧରେ ହିଁ ଗର୍ଜିଛନ୍ତି ହୁଡ୍ଡା । ହରିୟାଣାର ରୋହତକରେ ଆୟୋଜିତ ମାହାପରିବର୍ତ୍ତନ ରାଲିରେ ସେ ବିଦ୍ରୋହ ଆଭିମୁଖ୍ୟ ଜାହିର କରି କଂଗ୍ରେସ ରାସ୍ତା ଭୁଲି ଯାଇଥିବା କହିଛନ୍ତି ।
କଂଗ୍ରେସର ଟାଣୁଆ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଦଳରୁ ଅଲଗା ହେବାର ସଙ୍କେତ ଦେଇ କହିଛନ୍ତି, କଂଗ୍ରେସ ଏବେ ପୂର୍ବଭଳି ରହିନାହିଁ । ତେଣୁ ସେ ଅତିତରୁ ନିଜକୁ ମୁକ୍ତ କରିବାକୁ ଚାହୁଁଛନ୍ତି । ଏହା ସହିତ କାଶ୍ମୀରକୁ ନେଇ ମୋଦି ସରକାର କରିଥିବା ନିଷ୍ପତ୍ତିର ପ୍ରଶଂସା କରି ସେ କହିଛନ୍ତି, ସରକାର ଯଦି କିଛି ଭଲ କରୁଛନ୍ତି, ତାହେଲେ ମୁଁ ତାଙ୍କୁ ସମର୍ଥନ କରିବି । ମୋର ଅନେକ ସାଥୀ ଅନୁଚ୍ଛେଦ 3୭୦ ଉଚ୍ଛେଦକୁ ବିରୋଧ କରିଛନ୍ତି, ମୋର ପାର୍ଟି ରାସ୍ତା ଭୁଲି ଯାଇଛି। ଏହା ସେହି କଂଗ୍ରେସ ନୁହଁ ଯାହା ପୂର୍ବେ ଥିଲା। ଯେବେ ସ୍ଵାଭିମାନ ଓ ଦେଶଭକ୍ତିର କଥା ଉଠେ ତେବେ ମୁଁ କୌଣସି ପରିସ୍ଥିତିରେ ମଧ୍ୟ ବୁଝାମଣା କରିବି ନାହିଁ ବୋଲି ହୁଡ୍ଡା କହିଛନ୍ତି।
ତେବେ କଂଗ୍ରେସକୁ ସମାଲୋଚନା କରିବା ସହ ନିର୍ବାଚନ ଘୋଷଣା ମଧ୍ୟ କରିଛନ୍ତି ସେ । କ୍ଷମତାକୁ ଆସିଲେ ସେ ସମସ୍ତ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଚାଷୀଙ୍କ ଋଣ ଛାଡ଼ ହେବା ସହ ୨ ଏକର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବେ ଏବଂ ଏଥିସହ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ହେବ ବୋଲି କହିଛନ୍ତି। ଏହା ବ୍ୟତିତ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶ ଭଳି 75 ପ୍ରତିସତ ସଂରକ୍ଷଣର ପ୍ରତିଶୃତି ଦେଇଛନ୍ତି ହୁଡ୍ଡା ।
ସୂଚନାଯୋଗ୍ୟ ଯେ, ହରିୟାଣାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ହୁଡ୍ଡାଙ୍କ ଦଳ ପ୍ରତି ଏଭଳି ମନୋଭାବ କଂଗ୍ରେସକୁ ଅଡୁଆରେ ପକାଇବ ବୋଲି ଚର୍ଚ୍ଚା ହେଉଛି ।