ନୂଆଦିଲ୍ଲୀ: ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର ବୁଧବାର ଦିନ ତିନି ବର୍ଷ ପାଇଁ ପବ୍ଲିକ୍ ଏଣ୍ଟରପ୍ରାଇଜେସ ସିଲେକସନ ବୋର୍ଡ (PESB)ର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । 1984 ବ୍ୟାଚ ଝାଡଖଣ୍ଡ କ୍ୟାଡର ଆଇଏଏସ ଅଫିସର ରାଜୀବ କୁମାର ଗତ ବର୍ଷ ଜୁଲାଇରେ ଅର୍ଥ ସଚିବ ଭାବରେ ନିଯୁକ୍ତ ହୋଇଥିଲେ ଓ ଚଳିତ ବର୍ଷ ଫେବୃଆରୀରେ ଅବସର ନେଇଥିଲେ । ସେ 1980 ମସିହାରେ ଅବସରପ୍ରାପ୍ତ ଆସାମ-ମେଘାଳୟ କ୍ୟାଡର ଆଇଏଏସ ଅଧିକାରୀ କପିଲ ଦେବ ତ୍ରିପାଠୀଙ୍କ ଉତ୍ତରାଧିକାରୀ ହେବେ । କପିଲ ଦେବ ତ୍ରିପାଠୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ଭାବରେ ଦାୟିତ୍ବ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କ୍ୟାବିନେଟ ନିଯୁକ୍ତି କମିଟି(ଏସିସି) ଦ୍ବାରା ରାଜୀବ କୁମାରଙ୍କୁ ଏହି ନିଯୁକ୍ତି ମିଳିଛି । ସେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ମନ୍ତ୍ରଣାଳୟ କହିଛି । 60 ବର୍ଷୀୟ କୁମାରଙ୍କୁ ଗତବର୍ଷ ଜୁଲାଇ 24ରେ ଶକ୍ତି ମନ୍ତ୍ରଣାଳୟକୁ ବଦଳି କରାଯାଇଥିଲା । ସେପ୍ଟେମ୍ବର 2017ରେ ଅର୍ଥ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ଓ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ସଂସ୍କାର ଆରମ୍ଭ କରିଥିଲେ । ବ୍ୟାଡ ଲୋନ ବିଶୃଙ୍ଖଳା ଦୂର କରିଥିଲେ ଓ ସରକାରୀ ବ୍ୟାଙ୍କଗୁଡିକ(PSBs)କୁ ଅଧିକ ଶକ୍ତିଶାଳୀ କରିଥିଲେ ।
ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କ ସହିତ ମିଶ୍ରଣ ଠାରୁ ଆରମ୍ଭ କରି ଏହାକୁ ଦେଶର ତୃତୀୟ ବୃହତ୍ତମ PSB ରେ ପରିଣତ କରିବା ପାଇଁ କୁମାର ସରକାରଙ୍କ ବୃହତ ଯୋଜନାକୁ ଆଗେଇ ନେଇଥିଲେ । ବ୍ୟାଙ୍କଗୁଡିକର ଋଣ ଦେବା କ୍ଷମତାକୁ ବୃଦ୍ଧି କରିବା ପାଇଁ ସେ PSBରେ ରେକର୍ଡ ପରିମାଣର ପୁଞ୍ଜି ବିନିଯୋଗ ମଧ୍ୟ ଆରମ୍ଭ କରିଥିଲେ |
ଏସବୁ ବ୍ୟତୀତ କୁମାର ତିନିଥର ବଜେଟ୍ ପ୍ରସ୍ତୁତ କମିଟିର ଅଂଶ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଥିକ ଯୋଜନାକୁ ଆଗକୁ ନେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯାହାକି ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ମୁଦ୍ରାଲୋନ ଭଳି ଫ୍ଲାଗସିପ ସ୍କିମ ମାଧ୍ୟମରେ ଋଣ ତଥା ନିଯୁକ୍ତି ସୃଷ୍ଟିରେ ତାଙ୍କର ପ୍ରମୁଖ ହାତ ରହିଥିଲା । ସେହିପରି ସେ ଏମଏସଏମଇ କ୍ଷେତ୍ର ପାଇଁ 59 ମିନିଟ ମଧ୍ୟରେ ଋଣ ଯୋଜନା ଆରମ୍ଭ ଏବଂ କାର୍ଯ୍ୟକାରୀ କରିଥିବା ଜଣାପଡିଛି ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଭଲପାଉଥିବା ରାଜୀବ କୁମାରଙ୍କର ସାଧାରଣ ନୀତି ଓ ପ୍ରଶାସନରେ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି |
@IANS