ହାଇଦ୍ରାବାଦ: ସମୟ ସହ ବଦଳିବାରେ ଲାଗିଛି ପରିବେଶର ଅବସ୍ଥା । ପୂର୍ବେ ପ୍ରକୃତିରେ ସବୁଜିମା ଦେଖାଯାଉଥିବା ବେଳେ ଏବେ ଆଧୁନିକତା ଭିତରେ ହଜିବାକୁ ଲାଗିଛି ପ୍ରକୃତିର ଏହି ସବୁଜିମା । ହେଲେ ଏହା ପଛରେ କ’ଣ ହୋଇପାରେ କାରଣ ତାହା ହୁଏତ ଖୁବ କମ୍ ଲୋକେ ହୃଦବୋଧ କରିଥିବେ । ତେବେ ଜଙ୍ଗଲରେ ସ୍ବତଃ ବା ମନୁଷ୍ୟକୃତ ଭାବେ ଲାଗୁଥିବା ନିଆଁ କିପରି ହାନିକାରକ ତାହା ଜାଣିବା ପାଇଁ କରାଯାଇଛି ଅଧ୍ୟୟନ ।
ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ପୃଥିବୀ ତତ୍ତ୍ବ ବୈଜ୍ଞାନିକ ଜିମ୍ ରାଣ୍ଡରସନ୍ ଏନେଇ କରିଥିବା ଅଧ୍ୟୟନରୁ ଜଣା ପଡିଛି କି ପ୍ରକୃତି ନଷ୍ଟ ହେବା ପଛରେ ଏକ ମୁଖ୍ୟ କାରଣ ହେଉଛି ଜଙ୍ଗଲରେ ଲାଗୁଥିବା ନିଆଁ । ସେ ଜାଣତରେ ହେଉ ବା ଅଜାଣତରେ, ଜଙ୍ଗଲରେ ଲାଗୁଥିବା ନିଆଁ ଯୋଗୁଁ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି ପରିବେଶ । ଜିମ୍ ଏନେଇ ତୃଣମୂଳ ସ୍ତରରେ ଅଧ୍ୟୟନ କରିବା ସହ ସାଟେଲାଇଟ ତଥ୍ୟର ସହଯୋଗ ମଧ୍ୟ ନେଇଥିଲେ । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା କି ବର୍ଷର ପ୍ରାୟ ପ୍ରତ୍ୟେକ ସମୟରେ କୌଣସି ନା କୌଣସି ସ୍ଥାନରେ ଜଙ୍ଗଲରେ ମନୁଷ୍ୟ ଦ୍ବାରା ନିଆଁ ଲଗାଯାଇଥାଏ ।
ଏଥିପାଇଁ ମୁଖ୍ୟତଃ ଦୁଇଟି ଜିନିଷ ଦାୟୀ ବୋଲି ଜିମ୍ ଓ ବନ୍ଧୁମାନେ ଟିପ୍ପଣୀ ଦେଇଥିଲେ । ସେ ହେଉଛି ପରିବେଶର ମାତ୍ରାଧିକ ତାପମାତ୍ରା ଓ ଶୁଷ୍କ ପରିବେଶ । ଏହା ଜଙ୍ଗଲରେ ସ୍ବତଃ ନିଆଁ ଲଗାଇବାରେ ସାହାଯ୍ୟ କରିଥାଏ । ଫଳରେ କ୍ଷଣିକରେ ନିଆଁ ଉଗ୍ର ରୂପ ନେଇ ଶହ ଶହ ଏକର ଜମିରେ ନିଆଁ ଲଗାଇଥାଏ । ତେବେ ଏଠାରେ ବୁଝିବାକୁ ହେବ କି ନିଆଁ ଲାଗିବା ପୂର୍ବରୁ ଏହା ଏକ ପ୍ରାକ୍ ପର୍ଯ୍ୟାୟ ଦେଇ ଅତିକ୍ରମ କରିଥାଏ । ଯାହାକୁ ଅଧ୍ୟୟନ କରି ଜିମ୍ଙ୍କୁ ମିଳିଥିଲା କିଛି ଜରୁରୀ ତଥ୍ୟ ।
ଅଧ୍ୟୟନରୁ ଜଣା ପଡିଛି କି 2015 ମସିହାରେ ଆଲାସ୍କାରେ ଲାଗିଥିବା ବଜ୍ରାଘାତ ଜନିତ ନିଆଁ ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ଭୟଙ୍କର ଜଙ୍ଗଲି ନିଆଁ । ସେହି ସମୟରେ ଆଲାସ୍କାରେ ଶୁଷ୍କ ପରିବେଶ ରହିବା ସହ ତାପମାତ୍ରା ମାତ୍ରାଧିକ ରହିଥିବାରୁ ଆଖି ପିଛୁଳାକେ ପ୍ରାୟ 5.1 ମିଲିୟନ ଏକର ଜମିରେ ବ୍ୟାପିଥିଲା ନିଆଁ । ତେବେ ଏହାପଛରେ ଏକାଧିକ ବଜ୍ରପାତ ମଧ୍ୟ ଏକପ୍ରକାର ଦାୟି କହିଲେ ଭୁଲ ହେବ ନାହିଁ ।
ସେହିପରି ସାଟେଲାଇଟ ଦ୍ବାରା ସଂଗ୍ରହ କରାଯାଇଥିବା ତଥ୍ୟରୁ ଜଣା ପଡିଛି କି ପଶ୍ଚିମ ୟୁଏସ୍ ଜଙ୍ଗଲରେ ପ୍ରତିବର୍ଷ ମନୁଷ୍ୟକୃତ ନିଆଁ ଲାଗୁଛି । କାରଣ ମାତ୍ରାଧିକ ତାପମାତ୍ରା, ପ୍ରତିକୂଳ ପରିବେଶ, ଶୁଷ୍କ ପରିବେଶ ଆଦି ପାଇଁ ମଣିଷ ହିଁ ଦାୟୀ । ଏହାଦ୍ବାରା ମଣିଷର ଅଜାଣତରେ ଜଙ୍ଗଲରେ ନିଆଁ ଲାଗୁଛି ଏବଂ ନଷ୍ଟ ହୋଇଛି ଶହ ଶହ ପ୍ରାକୃତିକ ସମ୍ପଦ ଓ ପ୍ରାକୃତିକ ପରିବେଶ ।
ତେବେ ଏହା ଭବିଷ୍ୟତରେ ଏପରି ପରିସ୍ଥିତି ସୃଷ୍ଟି କରିପାରେ ଯାହା ପୃଥିବୀକୁ ଏକ ଉତ୍ତପ୍ତ ପିଣ୍ଡରେ ପରିଣତ କରିବ । ଫଳ ସୂରୂପ ନିଆଁ ଲିଭିବା ବଦଳରେ ଦୀର୍ଘ ଦିନ ଯାଏଁ ଲାଗି ରହିବ ଏବଂ ପରିବେଶକୁ ଅଧିକ ନଷ୍ଟ କରିଚାଲିବ । ଯାହା ରାତି ସମୟରେ ତାପମାତ୍ରା ବଢାଇ ଜନଜୀବନକୁ ଅସ୍ତବ୍ୟସ୍ତ କରାଇବ ବୋଲି ଆକଳନ କରାଯାଇଛି ।
ଅନ୍ୟପଟେ ପ୍ରାକୃତିକ ପ୍ରକ୍ରିୟାରେ ଲାଗିଥିବା ନିଆଁ ଓ ଏହାର ମାନବ ସମାଜ ଉପରେ ପ୍ରଭାବକୁ ଅଧ୍ୟୟନ କରି ଜଣା ପଡିଛି କି ବିଶ୍ବର ଯେକୌଣସି ନା ଯେକୌଣସି ସ୍ଥାନରେ ପ୍ରତି ମୁହୂର୍ତ୍ତରେ ନିଆଁ ଲାଗି ରହିଥାଏ । ଯାହାକି ପ୍ରାକୃତିକ ପ୍ରକ୍ରିୟାରେ ନୁହେଁ ବରଂ ମନୁଷ୍ୟକୃତ ବୋଲି ଜଣା ପଡିଛି । ତେବେ ସେ ଜାଣତରେ ହେଉ ବା ଅଜାଣତରେ ଏହି ନିଆଁ ପଛରେ ମଣିଷ ହିଁ ଦାୟୀ । ଉଦାହରଣ ସ୍ବରୂପ କୀଟ ମାରିବାକୁ ଯାଇ ଜମିରେ ନିଆଁ ଲଗାଇବା ହେଉ ବା ଜମିକୁ ଉର୍ବର କରିବା ପାଇଁ ହେଉ ମଣିଷ ନିଆଁ ଲଗାଇଥାଏ । ଯାହା ସମୟକ୍ରମେ ପ୍ରକୃତିକୁ ନଷ୍ଟ କରିବାକୁ ଯଥେଷ୍ଟ ।
ତେବେ ସମସ୍ତ ନିଆଁର ପ୍ରକୃତି ସମାନ ନୁହେଁ । ଏହା ନିଆଁ ଲାଗିବାର କାରଣ ଉପରେ ନିର୍ଭରଶୀଳ । କିନ୍ତୁ ଅଧ୍ୟୟନରୁ ଏହା ସ୍ପଷ୍ଟ କି ମଣିଷ ଯଦି ଆଗାମୀ ଦିନରେ ନିଜର ପ୍ରକୃତି ନଷ୍ଟ ଗୁଣ ପ୍ରତି ସଜାଗ ନହୁଏ ତେବେ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ଯେ ସୁନିଶ୍ଚିତ, ଏହାକୁ ଏଡାଇ ଦିଆଯାଇ ନପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ