ଚେନ୍ନାଇ: ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଓ ଦୁର୍ନୀତି ମୁକ୍ତ କରିବା ପାଇଁ ଦେଶସାରା ଚଢାଉ ଜାରି ରଖିଛନ୍ତି ନିର୍ବାଚନ ଆୟୋଗ ଓ ଆୟକର ବିଭାଗ । କେବଳ ତାମିଲନାଡୁରୁ ୫ ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ କରାଯାଇଛି । ରାଜ୍ୟସାରା ନିର୍ବାଚନ ଆୟୋଗ ଓ ଆୟକର ବିଭାଗ ତରଫରୁ ମାରାଥନ ଚଢାଉ ଚାଲିଛି । ପ୍ରଥମେ ଡିଏମକେ ଓ ଏଏମଏମକେର ନେତା ଓ ଅଫିସରେ ଚଢାଉ କରାଯାଇଥିଲା । ରାଜ୍ୟର ଶାସକ ଦଳ ଏଆଇଡିଏମକେ ଅଫିସରେ କରାଯାଇଛି ଚଢାଉ ।
ମଦୁରାଇର ୱାର୍ଡ ନମ୍ବର ୮୨ ସ୍ଥିତ ଏଆଇଏଡିଏମକେ କାର୍ଯ୍ୟାଳୟରେ ଚଢାଉ କରିଛି ଫ୍ଲାଇଂସ୍କ୍ବାର୍ଡ । ଏହି ଚଢାଉରେ ବିପୁଳ ମାତ୍ରାର ଟଙ୍କା ଓ ଭୋଟର ତାଲିକା ଜବତ କରାଯାଇଛି । ଅଜଣା ବ୍ୟକ୍ତିଙ୍କ ସୂଚନା ଆଧାରରେ ନିର୍ବାଚନ ଆୟୋଗ ତରଫରୁ ଏହି ଚଢାଉ କରାଯାଇଛି ।
ଏହାପୂର୍ବରୁ ମଙ୍ଗଳବାର ଆୟକର ବିଭାଗ ତରଫରୁ ଡିଏମକେ ନେତା କାନିମୋଝିଙ୍କ ଘରେ ଚଢାଉ କରାଯାଇଥିଲା । ସେହିପରି ଏଏମଏମକେ ନେତାଙ୍କ ଅଫିସରେ ମଧ୍ୟ ଚଢାଉ କରାଯାଇଥିଲା । ଥେନୀ ଜିଲ୍ଲା ସ୍ଥିତ ଅଣ୍ଡିପଟ୍ଟି ସ୍ଥିତ ଏଏମଏମକେ ଅଫିସରେ ଆୟୋଗ ଚଢାଉ କରି ୧ କୋଟି ୪୮ ଲକ୍ଷ ଟଙ୍କା ଜବତ କରିଥିଲା ।