ଚେନ୍ନାଇ: ନଦୀରେ ବୁଡି ଗଲେ ପାଞ୍ଚଜଣ ବାଳକ । ଦୀପାବଳି ପରଦିନ ଅର୍ଥାତ ରବିବାର ତାମିଲନାଡୁରେ ଘଟିଛି ଏପରି ଦୁଃଖଦ ଘଟଣା । ଚେନ୍ନାଇର କାସିମେଡୁ ନିକଟ ସମୁଦ୍ରରେ ଗାଧୋଇବା ବେଳେ ବୁଡି ଯାଇଛନ୍ତି ପାଞ୍ଚଜଣ ବାଳକ। ବୁଡି ଯାଇଥିବା ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ଯୁବକ ହୋଇଥିବା ବେଳେ ଅନ୍ୟ ଚାରି ଜଣ ନାବାଳକ ବୋଲି ଜଣାପଡିଛି ।
ସୂଚନାନୁସାରେ, ଚେନ୍ନାଇ ରସିପୁରମର ଏକ ପରିବାର ଦୀପାବଳି ପାଳିବାକୁ କାସିମେଡୁ ନିକଟ ସମୁଦ୍ର ବେଳାଭୂମିକୁ ଆସିଥିଲେ । ସମସ୍ତେ ସମୁଦ୍ରରେ ଗାଧୋଇବା ସମୟରେ ଘଟିଲା ଅଘଟଣ । ସମୁଦ୍ର ଢେଉରେ ଭାସିଗଲେ ପରିବାରର ପାଞ୍ଚଜଣ ବାଳକ ।
ଘଟଣା ପରେ ସେଠି ଥିବା ମତ୍ସଜିବୀ ବାଳକମାନଙ୍କୁ ଖୋଜିଥିଲେ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ମତ୍ସଜିବୀମାନେ ଜଣେ ବାଳକର ମୃତଦେହ ଉଦ୍ଧାର କରିଥିଲେ । ମୃତ ବାଳକ ଜଣଙ୍କର ବୟସ 19 ବର୍ଷ ବୋଲି ଜଣାପଡିଛି । ସେ ରସିପୁରମ ଅଞ୍ଚଳର ବାସିନ୍ଦା ଅଟନ୍ତି ।
ଘଟଣାର ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ୟ ଚାରିଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ହୋଇଥିବା ଜଣଙ୍କର ମୃତଦେହକୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଘଟଣାରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ