ନୂଆଦିଲ୍ଲୀ: ଜୋତା କାରଖାନାରେ ନିଆଁ । ଏହି ଅଗ୍ନିକାଣ୍ଡଟି ଦିଲ୍ଲୀର ନରେଲା ଅଞ୍ଚଳରେ ରବିବାର ସନ୍ଧ୍ୟା ସମୟରେ ଘଟିଛି । ଖବର ପାଇ 11 ଟି ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ ଲିଭାଇବାକୁ ପହଞ୍ଚିଥିଲେ । ଦୀର୍ଘ 5 ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ ବିଭାଗ ।
ମିଳିଥିବା ସୂଚନା ଅନୁସାରେ,ନିଆଁର ପ୍ରଭାବ ଅତ୍ୟଧକ ଥିବାରୁ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେ ବିଷୟରେ କୌଣସି ସୂଚନା ମିଳିନାହିଁ ।
ତେବେ କେଉଁ କାରଣ ପାଇଁ ଗୋଦାମରେ ନିଆଁ ଲାଗିଲା ସେ ବିଷୟରେ ସଠିକ ତଥ୍ୟ ମିଳିନାହିଁ । ନଷ୍ଟ ହୋଇଥିବା ସମସ୍ତ ଜିନିଷକୁ ଆଜି ଆକଳନ କରାଯିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।
ଗତ କିଛି ମାସ ଧରି ନୂଆଦିଲ୍ଲୀରେ ଘନଘନ ଅଗ୍ନିକାଣ୍ଡ ଘଟୁଛି । ଏହା ପୂର୍ବରୁ ଶନିବାର ଦିନ କାରୋଲ ବାଗର ଗଫାର ବଜାରରେ ମଧ୍ୟ ନିଆଁ ଲାଗିଥିଲା ।