କୋଲକାତା: ଗୁଜବ ପ୍ରଚାର ଅଭିଯୋଗରେ ବିଜେପି ନେତାଙ୍କ ନାମରେ ମାମଲା ରୁଜୁ । ସୋସିଆଲ ମିଡିଆରେ କୋରୋନା ସମ୍ପର୍କିତ ଗୁଜବ ପ୍ରଚାର ଅଭିଯୋଗରେ ପଶ୍ଚିମବଙ୍ଗ ବଙ୍ଗୁରର ବିଜେପି ସାଂସଦ ସୁବାଷ ସରକାରଙ୍କ ବିରୋଧରେ ଏତଲା ।
ସରକାରୀ ହସ୍ପିଟାଲରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ପ୍ରଶାସନ ଏମାନଙ୍କର ଅନ୍ତିମ ସଂସ୍କାର କରିଥିଲା । ଯାହାକୁ ନେଇ ବିଜେପି ନେତା ସୋସିଆଲ ମିଡିଆରେ କହିଥିଲେ ଏହି 2 ଜଣ ବ୍ୟକ୍ତି କୋରୋନା ଆକ୍ରାନ୍ତ ଥିବାବେଳେ ପ୍ରଶାସନ ଏମାନଙ୍କ ରିପୋର୍ଟକୁ ଅପେକ୍ଷା ନ କରି ଅନ୍ତିମ ସଂସ୍କାର କରିଛି।
ଯାହାକୁ ନେଇ ତୃଣମୂଳ କଂଗ୍ରେସ ନେତା ଜୟଦୀନ ଚଟ୍ଟୋପାଧ୍ୟାୟ ବିଜେପି ନେତାଙ୍କ ଏଭଳି ବୟାନକୁ କୋରୋନା ସମ୍ପର୍କିତ ଗୁଜବ ପ୍ରଚାର କରୁଥିବା ନେଇ ଅଭିଯୋଗ କରିଥିଲେ । ଏହା ସହ ସେ ବଙ୍ଗୁର ସଦର ପୋଲିସ ଷ୍ଟେସନରେ ମଧ୍ୟ ମାମଲା ରୁଜୁ କରିଥିଲେ । ସାଂସଦ ଜଣେ ଡାକ୍ତର ହୋଇ ମଧ୍ୟ ସୋସିଆଲ ମିଡିଆରେ କୋରୋନାକୁ ନେଇ କିଭଳି ମିଥ୍ୟା ପ୍ରଚାର କରିପାରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଏପ୍ରିଲ 12 ମଧ୍ୟରାତ୍ରିରେ ଏକ ସରକାରୀ ହସ୍ପିଟାଲରେ 2ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । କିଛି ଲୋକେ ଏ ଦୁହିଁଙ୍କ ମୃତ୍ୟୁକୁ କୋରୋନା ଜନିତ ମୃତ୍ୟୁ ବୋଲି ଦର୍ଶାଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ