ନିକଟରେ ନ୍ୟୁୟର୍କ ଚିଡିଆଖାନାରେ ଗୋଟିଏ ବାଘ କୋଭିଡ-୧୯ ଦ୍ବାରା ସଂକ୍ରମିତ ହେବା ଖବର ସାରା ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେହି ଚିଡିଆଖାନାରେ ହିଁ ଦୁଇଟି ବାଘ ଓ ତିନି ଆଫ୍ରିକୀୟ ସିଂହ ଭାଇରସ ଦ୍ବାରା ସଂକ୍ରମିତ ହେବା ବିଶ୍ବାସ କରାଯାଉଛି । ଏ ଘଟଣାକୁ ଛାଡିଦେଲେ ବୈଜ୍ଞାନିକମାନଙ୍କ ବିଶ୍ବାସ ଯେ, ଗୃହପାଳିତ ପଶୁଙ୍କଠାରୁ କୋରୋନା ସଂକ୍ରମଣ ହେବା ନେଇ କୌଣସି ପ୍ରମାଣ ନାହିଁ ।
ବିରାଡି ଓ କୁକୁରଙ୍କଠାରେ ଗୋଟିଏ ଦୁଇଟି ମାମଲାକୁ ଦେଖିଲେ ମଧ୍ୟ ଭାଇରସ, ମଣିଷଠାରୁ ହିଁ ସେମାନଙ୍କୁ ସଂକ୍ରମିତ ହୋଇଛି। ବେଲଜିୟମରେ ଗୋଟିଏ ପୋଷା ବିରାଡି କୋଭିଡ-୧୯ ଦ୍ବାରା ସଂକ୍ରମିତ ହୋଇଥିଲା । ସେ ବାନ୍ତି କରୁଥିଲା ଓ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରୁଥିଲା । ତା ମାଲିକଠାରୁ ହିଁ ସେ କୋରୋନା ସଂକ୍ରମିତ ହୋଇଥିବା ବିଶ୍ବାସ କରାଯାଉଛି । ହଂକଂର କୃଷି ଓ ମତ୍ସ୍ୟ ପାଳନ ବିଭାଗର ତଥ୍ୟ ଅନୁସାରେ, ଏକ ଜର୍ମାନ ସେଫାର୍ଡ ଓ ଏକ ବୁଲା କୁକୁର ମଧ୍ୟ କୋରୋନା ସଂକ୍ରମିତ ହୋଇଛି ।
ପଶୁମାନଙ୍କ ଉପରେ କୋରୋନା ଭାଇରସର ପ୍ରଭାବ ଜାଣିବା ପାଇଁ ଏକ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ରେହସସ୍ ମାକ୍ୟପ ନାମକ ଏକ ପ୍ରଜାତିର ମାଙ୍କଡ ଉପରେ ଏହି ପରୀକ୍ଷାନିରୀକ୍ଷା କରିବାକୁ ସଂପୃକ୍ତ ମାଙ୍କଡ ଦେହରେ କୋରୋନା ଭାଇରସ ଛଡାଯାଇଥିଲା । ଏହାପରେ ମାଙ୍କଡଟିର ଓଜନ କମିଗଲା । ଭାଇରସ ମାଙ୍କଡଟିର ନାକ, ଗଳା, ଫୁସଫୁସ ଓ ପେଟକୁ ବ୍ୟାପି ଯାଇଥିବା ନେଇ ଗବେଷକମାନେ ଲକ୍ଷ୍ୟ କରିଥିଲେ ।
ମାଙ୍କଡଟି ନିମୋନିଆର ଶୀକାର ମଧ୍ୟ ହେଲା । କେଉଁ ପଶୁ କୋରୋନା ଭାଇରସର ବାହକ ହୋଇପାରିବ, ତାହା ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥିଲା । ପୋଷା କୁକୁରଠାରୁ ମଣିଷକୁ କୋରୋନା ସଂକ୍ରମଣ ହୁଏ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନର ୱେବସାଇଟରୁ ସୂଚନା ମିଳିଥିଲା ।
ତେବେ, ହଂକଂରେ ଗୋଟିଏ କୁକୁର ସଂକ୍ରମିତ ହେଲା ପରେ, ଏହି ସୂଚନା ପ୍ରତ୍ୟାହାର କରିନେଇଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ହେଲେ ପଶୁମାନେ ଭାଇରସ ସଂକ୍ରମଣ କରିପାରିବା ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ୟୁଏସ ସେଣ୍ଟର ଫର୍ ଡିଜିଜ୍ କଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ ସ୍ପଷ୍ଟ କରିଛି ।
ତେବେ, ଗୃହପାଳିତ ପଶୁମାନେ ସେମାନଙ୍କ ମାଲିକମାନଙ୍କ ଠାରୁ ସଂକ୍ରମିତ ହୋଇପାରିବେ କି ନାହିଁ , ସେ ସଂପର୍କରେ ଯଥେଷ୍ଟ ଅଧ୍ୟୟନ ହୋଇନାହିଁ ବୋଲି ବେଙ୍ଗଳୁରୁର ନ୍ୟାସନାଲ ସେଣ୍ଟର ଫର୍ ବାୟୋଲୋଜିକାଲ୍ ସାଇନ୍ସରେ ଆସୋସିଏଟ ପ୍ରଫେସର ଥିବା ଉମା ରାମକ୍ରିଷ୍ଣନ କହନ୍ତି ।
ଯଦି ଆପଣ ଗୃହପାଳିତ ପଶୁର ମାଲିକ ଓ ଅସୁସ୍ଥ ଥାଆନ୍ତି , ତାହା ହେଲେ ଦୟାକରି ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ସଂପୃକ୍ତ ପୋଷାର ରକ୍ଷଣବେକ୍ଷଣ ଦାୟୀତ୍ବ ଦିଅନ୍ତୁ । ଆପଣ ଅସୁସ୍ଥ ଥିଲାବେଳେ ପୋଷା ପଶୁଙ୍କୁ ଆଉଁସିବା, ଚୁମ୍ବନ ଓ ଆଲିଙ୍ଗନରୁ ବିରତ ରହନ୍ତୁ ।
ସେମାନଙ୍କୁ ଛୁଇଁବା ଆଗରୁ ଓ ପରେ ଏବଂ ଖାଇବାକୁ ଦେବା ଆଗରୁ ଓ ପରେ ଆପଣ ହାତ ଭଲଭାବେ ଧୁଅନ୍ତୁ । ଅଧ୍ୟୟନରୁ ଜଣାପଡିଛି ଯେ, କୁକୁର ଓ ଘୁଷୁରିମାନେ ଭାଇରସ ଦ୍ବାରା ସଂକ୍ରମିତ ହୋଇପାରିବେ ନାହିଁ । କିନ୍ତୁ ବିରାଡି ଓ ମାଙ୍କଡଙ୍କ ଭଳି ପଶୁଙ୍କ କ୍ଷେତ୍ରରେ ଏହା ସମ୍ଭବ । ତେଣୁ ଆପଣଙ୍କୁ କିଛି ପଶୁଙ୍କ କ୍ଷେତ୍ରରେ ବେଶ୍ ସତର୍କତା ଅବଲମ୍ବନ କରିବାକୁ ପଡିବ ।