ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରେ ସେଠାରେ ଜମି କିଣାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶର ଅନ୍ୟାନ୍ୟ ନାଗରିକଙ୍କ ପାଇଁ ସେଠାରେ ଜମି କିଣିବା ଖୁବ୍ ସହଜ ହେବ । ଜମିର ମୂଲ୍ୟ ମଧ୍ୟ ଖୁବ୍ କମ୍ ରହିବ ବୋଲି ଆଲୋଚନା କରାଯାଉଛି । କିନ୍ତୁ ଆପଣ ଜାଣନ୍ତି କି କାଶ୍ମୀରର ସାଧାରଣ ଜନତାଙ୍କ ପାଖରେ ଖୁବ୍ କମ ପରିମାଣରେ ଜମି ରହିଛି ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଜମ୍ମୁ-କାଶ୍ମୀରର ପ୍ରାୟ ୬୩ ପ୍ରତିଶତ ଲୋକଙ୍କ ପାଖରେ ଅଧା ହେକ୍ଟର କିମ୍ବା ତାଠାରୁ କମ୍ ପରିମାଣର ଜମି ରହିଛି । କିନ୍ତୁ ଏଠାରେ ଏଭଳି ଅନେକ ନେତା ଅଛନ୍ତି ଯାହା ପାଖରେ ୨୦ ହେକ୍ଟର୍ରୁ ଅଧିକ ଚାଷ ଜମି ରହିଛି । ଏଥିରେ ସର୍ବୋଚ୍ଚରେ ରହିଛନ୍ତି କଂଗ୍ରେସ ନେତା କରନ୍ ସିଂହ । କରନ୍ ସିଂହଙ୍କର ଶ୍ରୀନଗରରେ ୧୧ ଓ ୩୧ ଏକର ବିଶିଷ୍ଟ ଦୁଇଟି ଜମି ରହିଛି । ସେହିପରି ଜମ୍ମୁରେ ୭୮ ଏକର ଓ ପହଲଗାମରେ ୪ ଏକର ଜମି ରହିଥିବା ଜଣା ପଡିଛି । ତେବେ ତାଙ୍କର ଏହି ସବୁ ଜମିର ମୂଲ୍ୟ ୯୫ କୋଟି ୨୧ ଲକ୍ଷ ହେବ ବୋଲି ଆକଳନ କରାଯାଉଛି ।
ସେହିପରି ନ୍ୟାସନାଲ କନ୍ଫରେନ୍ସ (ଏନସି) ନେତା ଫାରୁଖ ଅବଦୁଲ୍ଲାଙ୍କ ନିକଟରେ ୧.୧୨ ଏକର ଚାଷ ଜମି ରହିଛି । ଯାହାର ମୂଲ୍ୟ ପାଖାପାଖି 10.60 କୋଟି ହେବ ବୋଲି ଆକଳନ କରାଯାଉଛି । ଏନ୍ସି ନେତା ମେହମ୍ମଦ ଅକବରଙ୍କ ପାଖରେ ମଧ୍ୟ ୫୯.୬୦ କୋଟି ଟଙ୍କାର ଜମି ରହିଛି । ବାରମୂଲା ସଂସଦୀୟ କ୍ଷେତ୍ରରେ ତାଙ୍କର ୩୬00 ବର୍ଗ ଫୁଟ୍ର ଏକ ବିଳାସପୂର୍ଣ୍ଣ କୋଠା ରହିଛି ।
ପିଡିପି ନେତ୍ରୀ ମେହବୁବା ମୁଫତି ମଧ୍ୟ ଏହି ସୂଚିରେ ସାମିଲ ଅଛନ୍ତି । ତାଙ୍କ ପାଖରେ 55 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ୨୦୧୯ ନିର୍ବାଚନରେ ଶପଥ ପାଠରେ ସେ ଏହାର ବିବରଣୀ ଦେଇଥିଲେ । ଏହା ବ୍ୟତିତ ତାଙ୍କର ୫୪୪୦ ବର୍ଗ ଫୁଟ୍ର ଚାଷ ଜମି ଅଛି ଏବଂ ୫ ହଜାର ବର୍ଗ ଫୁଟ୍ର ଏକ ଘର ରହିଛି ।
ସେହିପରି କଂଗ୍ରେସ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ସ୍ତ୍ରୀଙ୍କ ନାମରେ ଶ୍ରୀନଗରରେ ୬୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଘର ଅଛି । କିନ୍ତୁ ନିଜ ଶପଥପାଠରେ ସେ କାଶ୍ମୀରରେ କିଛି ବି ସମ୍ପତ୍ତି ନଥିବା କହିଥିଲେ ।