ଉତ୍ପାଦିତ ଫସଲ ବିକ୍ରି ଏବଂ ସେ ବାବଦରେ ଅଗ୍ରୀମ ବୁଝାମଣା ସଂପର୍କିତ ଦୁଇଟି ଅଧ୍ୟାଦେଶ ଜାରି କରିବା ସକାଶେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଚାଷୀମାନେ ସେମାନଙ୍କ ଦ୍ବାରା ଉତ୍ପାଦିତ ଫସଲକୁ ଦେଶର ଯେ କୌଣସି ସ୍ଥାନରେ, ଯେ କୌଣସି ବ୍ୟକ୍ତି ବା ସଂସ୍ଥାକୁ ବିକ୍ରି କରିପାରିବେ ବୋଲି ସରକାର ସ୍ଥିର କରିଛନ୍ତି ।
ସଂପାଦିତ ବୁଝାମଣା ଅନୁସାରେ, ପ୍ରାପ୍ୟ ପଇଠରେ ବିଳମ୍ବ କ୍ଷେତ୍ରରେ ଅଦାଲତ ବାହାରେ ମାମଲାର ସମାଧାନ ହେବା ଉଚିତ । ଏଭଳି କ୍ଷେତ୍ରରେ ଜଣେ ଗରିବ ଚାଷୀ ବଡ଼ ବଡ଼ ବ୍ୟବସାୟୀମାନଙ୍କ ସହ କେମିତି କାରବାର କରିପାରିବେ ? କେଉଁ ସ୍ଥାନରେ ତାଙ୍କ ଉତ୍ପାଦିତ ଫସଲର ଚାହିଦା ରହିଛି ଏବଂ ସେହି ସ୍ଥାନରେ ଏହାକୁ କିପରି ବିକ୍ରି କରିପାରିବେ ବୋଲି, ଦୁଇ ତିନି ଏକର ଜମି ଥିବା ଜଣେ କ୍ଷୁଦ୍ର ଚାଷୀ କେମିତି ଜାଣିପାରିବେ ? ଚାଷୀମାନଙ୍କ ପାଇଁ ଅନ୍ଲାଇନ୍ରେ ପ୍ରଚଳିତ ଜାତୀୟ କୃଷି ବଜାର ବା ଇ-ନାମ୍ ପଦ୍ଧତି ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ, ସାରା ଦେଶର 82 ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସେମାନଙ୍କର ଉତ୍ପାଦକୁ ନିଜ ପସନ୍ଦ ମୁତାବକ ସ୍ଥାନରେ ବିକ୍ରି କରି ସେଥିରୁ ଫାଇଦା ପାଇବେ ବୋଲି ବିଶ୍ବାସ କରିବା କେବଳ ଦିବାସ୍ବପ୍ନ ଦେଖିବା ଭଳି ହିଁ ହେବ । ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ ଘୋଷଣା ଆଳରେ ଚାଷୀଙ୍କ ପ୍ରତି ନିଷ୍ଠୁର ଉପହାସ କରାଯାଇଛି ଏବଂ ଏଥିରୁ ସୁରକ୍ଷିତ ଜୀବନ ନିର୍ବାହ ପାଇଁ ସେମାନଙ୍କ ଆଶା ମରୀଚିକା ପଛରେ ଧାଇଁବା ଭଳି ମନେହେଉଛି !
ତେଣୁ, ସରକାର ଚାଷୀମାନଙ୍କର ଉତ୍ପାଦିତ ଫସଲକୁ ନିଜେ କିଣିନେବା ଉଚିତ । ଚାଷୀଙ୍କୁ ଉଚିତ ପ୍ରାପ୍ୟ ଦେଇ ସେମାନଙ୍କ ଦୁଃଖକଷ୍ଟ ଲାଘବ କରିବା ପାଇଁ ତାହା ହିଁ ଏକମାତ୍ର ପନ୍ଥା । ଚାଷୀମାନଙ୍କ କଲ୍ୟାଣ ପ୍ରତି ମୌଳିକ କର୍ତ୍ତବ୍ୟକୁ ଭୁଲିଯାଇ, ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଅବସ୍ଥାରେ ନଥିବା ଏକ ପଦ୍ଧତି ଜରିଆରେ ସେମାନଙ୍କୁ ବଜାରର ଅଙ୍କୁଶରୁ ମୁକ୍ତି ଦେବା କଥା କେବଳ ଘୋଷଣା କରିଦେବାର ଅର୍ଥ ସରକାର ତାଙ୍କ ଅତ୍ୟାବଶ୍ୟକ ଦାୟିତ୍ବରୁ ଓହରି ଯିବା ସହ ସମାନ !
ଛଅ ବର୍ଷ ତଳେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଯଥୋଚିତ ବିଶ୍ଳେଷଣ କରି ସୂଚାଇ ଦେଇଥିଲେ ଯେ ଚାଷୀମାନେ ସେମାନଙ୍କ ଉତ୍ପାଦନରୁ ନିରନ୍ତର ଆୟ ହାସଲ କରିପାରିଲେ ହିଁ ଘରୋଇ କୃଷି ଉତ୍ପାଦନ ଦ୍ବିଗୁଣିତ ହୋଇପାରିବ । ଏହାକୁ ବ୍ୟାବହାରିକ ବାସ୍ତବତାରେ ପରିଣତ କରିବାକୁ ହେଲେ ଏବଂ ଆଗାମୀ ପିଢ଼ିକୁ କ୍ଷେତରେ ଚାଷ ପ୍ରତି ଆକର୍ଷିତ କରିବାକୁ ହେଲେ, ଆମର ଏହି ପ୍ରମୁଖ କୃଷିଭିତ୍ତିକ ଦେଶ ପାଖରେ ଏକ ବିସ୍ତୃତ ଏବଂ ସୁନିଶ୍ଚିତ ଯୋଜନା ରହିବା ଆବଶ୍ୟକ । ଯଦିଓ ଚାଷଯୋଗ୍ୟ ଜମି ପରିମାଣ ବିଚାରକୁ ନେଲେ ଆମେ ଯୁକ୍ତରାଷ୍ଟ୍ର ଆମେରିକାର ଠିକ୍ ପଛକୁ ରହିଛୁ, ତଥାପି ଏକ ବିଜ୍ଞାନସମ୍ମତ ଫସଲ ଯୋଜନା ନଥିବାରୁ ଆମ ଚାଷୀମାନଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅପରପକ୍ଷରେ ଭାରତ ତୁଳନାରେ କମ୍ ଚାଷଜମି ଥିବା ଚୀନ ସେମାନଙ୍କ ଖାଦ୍ୟ ଆବଶ୍ୟକତାର 95 ପ୍ରତିଶତ ଘରୋଇ ଉତ୍ପାଦନ ବଳରେ ପୂରଣ କରିପାରୁଛି ।
ଏବେ ବି ଆମେ ଡାଲି, ତେଲ, ଏମିତିକି ପିଆଜ ମଧ୍ୟ ବିଦେଶରୁ ଆମଦାନୀ କରୁଛୁ । ଏଭଳି ଜଟିଳ ପରିସ୍ଥିତିକୁ ଅତିକ୍ରମ କରିବାକୁ ହେଲେ, ଦେଶର ବିଭିନ୍ନ ଜଳବାୟୁ ଜୋନ୍ରେ ଥିବା 125ଟି କ୍ଷେତ୍ରରେ ମୃତ୍ତିକାର ସାମର୍ଥ୍ୟ, ଉପଯୋଗିତା, ଚାଷ ପାଇଁ ପାଣିର ସମ୍ଭାବନା ଏବଂ ଅନ୍ୟ ସ୍ଥାନୀୟ ସୁବିଧା ସଂପର୍କରେ ଆକଳନ କରିବା ଲାଗି ବିସ୍ତୃତ ‘କାର୍ଯ୍ୟକ୍ଷମତା ବିଶ୍ଲେଷଣ’ ବା ମ୍ୟାପିଂ କରାଯିବା ଆବଶ୍ୟକ ।
କୌଣସି ବିଦେଶୀ ରାଷ୍ଟ୍ର ସହିତ ପୂର୍ବ ସଂପାଦିତ ବୁଝାମଣାରେ ପକ୍ଷଭୁକ୍ତ ହେବା ପୂର୍ବରୁ ସରକାର ଘରୋଇ ଆବଶ୍ୟକତା ଏବଂ ରପ୍ତାନି ସୁଯୋଗକୁ ସୂକ୍ଷ୍ମ ଭାବରେ ଆକଳନ କରିବା ଉଚିତ । ଏହା ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଉପଯୁକ୍ତ ସ୍ଥାନରେ ଏବଂ ସମୟରେ, ଉପଯୁକ୍ତ ଫସଲ କରିବାକୁ ଉତ୍ସାହିତ କରିବା ଉଚିତ । ଝଡ଼ବାତ୍ୟା, ବନ୍ୟା, ମରୁଡ଼ି, ଗ୍ରୀଷ୍ମ ପ୍ରବାହ ସବୁ କୃଷକଙ୍କ ପାଇଁ ଏକ ଆହ୍ବାନ । କୃଷି ପାଇଁ ଉପଲବ୍ଧ ଋଣରୁ ଆରମ୍ଭ କରି, ଭଲ ବିହନ, ସାର, କୀଟନାଶକ ଏବଂ ବଜାରରେ ଫସଲ ବିକ୍ରି କରିବା ପର୍ଯ୍ୟନ୍ତ ପ୍ରତିଟି ପର୍ଯ୍ୟାୟ ଚାଷୀଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରେ । ସରକାର ଏହି ସବୁ ଅସ୍ଥିରତାର ବେଡ଼ିରୁ ଚାଷୀକୁଳକୁ ମୁକୁଳାଇବା ଦରକାର । ଭାରତୀୟ କୃଷକ ପରିଶ୍ରମ କାତର ନୁହଁନ୍ତି । ସେମାନଙ୍କ ପରିଶ୍ରମର ଯେ ଉପଯୁକ୍ତ ପୁରସ୍କାର ମିଳିବ, ଏ ସଂପର୍କରେ ସେମାନଙ୍କୁ ଆଶ୍ବସ୍ତ କରାଇବା ଆବଶ୍ୟକ ।
ପ୍ରଫେସର ସ୍ବାମୀନାଥନ୍ଙ୍କ କହିବା ଅନୁସାରେ, ବାସ୍ତବ କ୍ଷେତ୍ରରେ କୃଷିକାର୍ଯ୍ୟର ସମସ୍ତ ଦିଗକୁ ବିଚାର କରି ଏବଂ କୃଷି ବାବଦ ସମସ୍ତ ଖର୍ଚ୍ଚକୁ ହିସାବକୁ ନେଇ ମୋଟ ଖର୍ଚ୍ଚରେ ପଚାଶ ପ୍ରତିଶତ ଯୋଗ କରି କୃଷକଙ୍କୁ ଦିଆଗଲେ, ତାହା ହିଁ ବାସ୍ତବିକ ସମର୍ଥନ ମୂଲ୍ୟ ହେବ । ଅସହାୟ କୃଷକଙ୍କୁ ବିକଳ୍ପ ରାସ୍ତା ବାଛି ନେବାରୁ ବିରତ କରା ନଗଲେ, ଦିନେ ଏ ଦେଶ ଖାଦ୍ୟ ସଂକଟର ସମ୍ମୁଖୀନ ହେବ । କୃଷି ପାଇଁ ପଣ୍ୟାଗାର ସ୍ଥାପନ, ବଜାର କାରବାର ଏବଂ ଆବଶ୍ୟକ ଭିତ୍ତିଭୂମି ଉପରେ ଧ୍ୟାନ ନିୟୋଜିତ କରି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମ୍ମିଳିତ ଭାବରେ ଏକ ବିସ୍ତୃତ ଚାଷ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ବଦ୍ଧପରିକର ହେଲେ ହିଁ ଚାଷୀମାନଙ୍କର ଅବସ୍ଥା ସୁଧୁରିବ ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ !!