ଲକ୍ଷ୍ନୌ: ସୋନଭଦ୍ରା ଗୁଳିକାଣ୍ଡ ଘଟଣାରେ ଦୀର୍ଘ 24 ଘଣ୍ଟା ଧାରଣାରେ ବସିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି ପୀଡିତଙ୍କ ପରିବାର ସଦସ୍ୟ । ପୀଡିତଙ୍କ ପରିବାର ସଦସ୍ୟ ମିର୍ଜାପୁରର ଚୁନାର ଗେଷ୍ଟ ହାଉସ ଆସି ପ୍ରିୟଙ୍କାଙ୍କୁ ଭେଟିଛନ୍ତି ।
ଭେଟିବାକୁ ଆସିଥିବା ପୀଡିତଙ୍କ ମଧ୍ୟରୁ ମାତ୍ର 2 ଜଣ ହିଁ ପ୍ରିୟଙ୍କାଙ୍କୁ ଭେଟିଥିଲେ ବୋଲି ପ୍ରିୟଙ୍କା କହିଛନ୍ତି । ଏଥିରେ ଅନ୍ୟ 15 ଜଣଙ୍କୁ ପ୍ରଶାସନ ପକ୍ଷରୁ ପ୍ରିୟଙ୍କାଙ୍କୁ ଭେଟିବାକୁ ବାରଣ କରାଯାଇଥିଲା । ଏପରିକି ତାଙ୍କୁ ମଧ୍ୟ ସେମାନଙ୍କ ସହ ଭେଟିବାକୁ ଅନୁମତି ଦିଆଯାଇ ନ ଥିଲା ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ଏମାନଙ୍କ ଉଦ୍ଦେଶ୍ୟ କ'ଣ କେବଳ ଭଗବାନ ଜାଣନ୍ତି? ଆପଣମାନେ ସେମାନଙ୍କ ଉପରେ ଚାପ ପକାନ୍ତୁ । ସେମାନଙ୍କୁ ଆସିବାକୁ ଦିଅନ୍ତୁ । ସେମାନେ ସର୍ବଦା ମୋ ପଛରେ ପଡିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରିୟଙ୍କା ପୀଡିତଙ୍କୁ ଭେଟିବାକୁ ଯିବା ସମୟରେ ପୋଲିସ ତାଙ୍କୁ ଅଟକ ରଖିଥିଲା । ପରେ ତାଙ୍କୁ ଚୁନାର ଗେଷ୍ଟ ହାଉସରେ ରଖାଯାଇଥିଲା । ସେଠାରେ ମଧ୍ୟ ପୀଡିତଙ୍କୁ ଭେଟିବାକୁ ଦାବି କରି ଧାରଣା ଦେଇଥିଲେ । ଆଜି ପର୍ଯ୍ୟନ୍ତ ଏହି ଧାରଣାକୁ ଜାରି ରଖିଥିଲେ ।