ହାଇଦ୍ରାବାଦ: ସମାଜରେ ପ୍ରତ୍ୟେକ ମଣିଷର ସ୍ବତନ୍ତ୍ରତା ଭାବେ ଜୀବନ ଜୀଇଁବାର ଅଧିକାର ଅଛି । ପୃଥିବୀ ପୃଷ୍ଠରେ ପ୍ରତ୍ୟେକ ନାଗରିକ ସମାନତା ଭାବେ ବଞ୍ଚିବା କଥା । କାହା ସହ ଭେଦଭାବ କରିବା ଉଚିତ୍ ନୁହେଁ । ଖାଲି ଆମେ ନୁହେଁ ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ମଧ୍ୟ ସମାନ କଥା କହୁଛି । ଖାସ ଏଥିପାଇଁ ଡିସେମ୍ବର 10, 1948 ମସିହାରେ ପ୍ୟାରିସରେ ଏକ ଐତିହାସିକ ପ୍ରସ୍ତାବ ପାରିତ କରାଯାଇଥିଲା । ସେହିଦିନ ଠାରୁ ଅର୍ଥାତ୍ ପ୍ରତ୍ୟେକ ବର୍ଷ ଡିସେମ୍ବର 10 ତାରିଖକୁ ସାରା ବିଶ୍ବ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ ଭାବେ ପାଳନ କରୁଛି ।
ମଣିଷ ଜନ୍ମ ହୋଇଛି ମାନେ ତାର ନିଜର କିଛି ବ୍ୟକ୍ତିଗତ ଅଧିକାର ରହିଛି । ଯାହାର ମର୍ଯ୍ୟଦା ରକ୍ଷା କରିବା ସରକାରଙ୍କ ଦାୟିତ୍ବ । କିନ୍ତୁ ଆଜିବି ଅନେକ କ୍ଷେତ୍ରରେ ନାଗରିକର ମାନବାଧିକାର ଉଲ୍ଲଂଘନ ହେଉଛି । ଜାତି-ଧର୍ମ-ବର୍ଣ୍ଣ ନାମରେ ଲୋକେ ଭେଦଭାବ କରି ମାନବାଧିକାର ଆଇନର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ମାନବ ଅଧିକାର ଉପରେ ହୋଇଥିବା ଐତିହାସିକ ଆଇନ ‘ମାଗ୍ନା କାର୍ଟା’ ସ୍ପଷ୍ଟ କରୁଛି, ମଣିଷର ଚିନ୍ତାକରିବାର ଅଧିକାରକୁ କେହି ବି ନିଷିଦ୍ଧ କରି ପାରିବେ ନାହିଁ ।
ବାରମ୍ବାର ମାନବାଧିକାର ଉଲ୍ଲଂଘନ ଖବର ସାମ୍ନାକୁ ଆସିବା ପରେ ଆମ ଦେଶ ଭାରତରେ 1993 ମସିହା ମାନବାଧିକାର ସଂରକ୍ଷଣ ଅଧିନିୟମ ପ୍ରସ୍ତାବ ଆସିବା ପରେ 1994 ମସିହାରେ ଏହାକୁ ଲାଗୁ କରାଯାଇଥିଲା । ଏହି ଅଧିନିୟମ ଅନୁସାରେ ପ୍ରତ୍ୟେକ ରାଜ୍ୟରେ ମାନବାଧିକାର ଗ୍ରୁପ ସ୍ଥାପନ କରାଯିବ । ନିୟମ ପରେ ବି ଅନେକ ସ୍ଥାନରେ ମାନବାଧିକାର ଉଲ୍ଲଂଘନ କରାଯାଇଥିବା ଘଟଣା ସାମ୍ନାକୁ ଆସିଲା । ଏନେଇ ଆମେଷ୍ଟି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ସେଥିରେ ଭାରତ ସମେତ ଅନେକ ଦେଶରେ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବା ପ୍ରକାଶ ପାଇଥିଲା ।
ରିପୋର୍ଟ ଅନୁସାରେ, ମାନବଅଧିକାର କ୍ଷୁର୍ଣ୍ଣ ମାମଲାରେ ଆମେରିକା, ବାଲାଂଦେଶ, ଇରାନ, ୟେମେନ, ତୁର୍କୀ ଓ ସିରିୟା ଆଗରେ ରହିଛନ୍ତି । ଏଥିରେ ଶିଶୁ ଅଧିକାର ଉଲ୍ଲଂଘନ, କହିବାର ସ୍ବାଧିନତା, ଦୁର୍ବ୍ୟବହାର, ଲିଙ୍ଗ ଅନୁପାତରେ ଦୁର୍ବ୍ୟବହାର, ମହିଳା ଓ ଶିଶୁ ଉପରେ ଘରୋଇ ହିଂସା ଓ ଜାତିଗତ ହିଂସାକାଣ୍ଡ ମାମଲା ଅଧିକ ରହିଥିଲା । ତେବେ ମହିଳା ଅଧିକାର ଉଲ୍ଲଂଘନ ସମ୍ବନ୍ଧରେ ଲାଲ ମୁଦ୍ରଗଲ ବନାମ ୟୁନିୟନ ଅଫ୍ ଇଣ୍ଡିଆ, ସେଲଭି ବନାମ ଷ୍ଟେଟ ଅଫ୍ କର୍ଣ୍ଣାଟକ, ମେହତା ବନାମ ଭାରତ ସଂଘ ମାମଲା ଅନ୍ୟତମ । ଦିଲ୍ଲୀର ନାଜ ଫାଉଣ୍ଡେସନ ମାନବାଧିକାର ସମ୍ପର୍କରେ କାମ କରୁଛି । ଅନ୍ୟପଟେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ , ରାଜସ୍ଥାନ ଓ ବିହାର ଆଦି ରାଜ୍ୟ ଅସୁସ୍ଥ ରାଜ୍ୟ ଭାବେ ପରିଚିତ । କାରଣ ଏଠାରେ ପାନୀୟ ଜଳ, ବିଜୁଳି, ଯାତାୟତ ଭଳି ମୌଳିକ ସୁବିଧା ଲୋକଙ୍କୁ ମିଳେ ନାହିଁ । ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ବେ ବି ଲୋକେ ମୌଳିକ ସୁବିଧାରୁ ପାଇବାରୁ ବଞ୍ଚିତ ହେବା ସହ ସାମାଜିକ ଅଧିକାର ସେମାନଙ୍କ କ୍ଷୁର୍ଣ୍ଣ ହୋଇଥିବା ଦେଖିବାକୁ ମିଳୁଛି । ସ୍ବାଧୀନତାର 70 ବର୍ଷ ପରେ ପ୍ରକୃତରେ ଲୋକେ ଅସଲ ସ୍ବାଧିନତାର ସ୍ବାଦ ଚାଖି ପାରି ନାହାନ୍ତି ।
ସାଧାରଣତଃ ମଣିଷ ଉପରେ ଔଷଧର ପରୀକ୍ଷା କରିବା ଅପରାଧ । ତଥାପି ତେଲାଙ୍ଗାନା ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଆଦିବାସୀ ସଂପ୍ରଦାୟର ମହିଳାଙ୍କ ଉପରେ ଔଷଧ ପରୀକ୍ଷାନିରୀକ୍ଷା ହେଉଥିବା ଅଭିଯୋଗ ହୋଇଛି । ସେହିପରି ନଲ୍ଲାମାଲ୍ଲା ଅଞ୍ଚଳରେ ଆଦିବାସୀ ମହିଳାଙ୍କୁ ମଦ ଓ ଟଙ୍କା ଦ୍ବାରା ପ୍ରଲୋଭିତ କରି ଠକି ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି ।
ଅଧିକାରରୁ ବଞ୍ଚିତ ହେଉଛନ୍ତି ଆଦିବାସୀ:
ପିସା ଆକ୍ଟ-1996 ଅନୁସାରେ, ଆଦିବାସୀଙ୍କ ବିଭିନ୍ନ ଅଧିକାର ରହିଛି । ହେଲେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ସେମାନଙ୍କ ବିନା ଅନୁମତିରେ ବିଭିନ୍ନ କାର୍ଯ୍ୟ କରାଯାଉଥିବା ଘଟଣା ଦେଖିବାକୁ ମିଳିଛି । ବିଶେଷ କରି ମଧ୍ୟପ୍ରଦେଶ, ଓଡିଶା ଓ ତେଲୁଗୁ ରାଜ୍ୟରେ ଆଦିବାସୀଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ଖଣିଜ ପଦାର୍ଥ ଉତ୍ତୋଳନ ନାମରେ ସେମାନଙ୍କ ଜୀବନଜୀବିକାରେ ବାଧା ସୃଷ୍ଟି କରାଯାଉଛି । ଜଙ୍ଗଲ ନଷ୍ଟ ମଧ୍ୟ କରାଯାଉଛି । ଅନ୍ୟପଟେ ପରିବେଶ ପରିବର୍ତ୍ତନ କାରଣରୁ ଦ୍ବୀପାଞ୍ଚଳରେ ରହୁଥିବା ଆଦିବାସୀ ସଂପ୍ରଦାୟ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି, ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣା । ପୂର୍ବରୁ ନିର୍ଭୟା ବର୍ତ୍ତମାନ ଦିଶା ଏହାର ସଦ୍ୟତମ ଉଦାହରଣ । ଅନ୍ୟପଟେ ମୋଟ ଜନସଂଖ୍ୟାରୁ 8 ପ୍ରତିଶତ ହେଉଛନ୍ତି ଆଦିବାସୀ ଶ୍ରେଣୀୟ । ହେଲେ ସେମାନେ ଦୁର୍ବିଶହ ଭାବେ ଜୀବନ ବିତାଉଛନ୍ତି । ନା ମିଳୁଛି ପକ୍କା ଘର ନା କୌଣସି ସରକାରୀ ସୁବିଧା ।
2017 ରାଷ୍ଟ୍ରୀୟ ଅପରାଧ ସୂଚୀ ଅନୁସାରେ, ଶିଶୁ ମାନଙ୍କ ଉପରେ ନିର୍ଯ୍ୟାତନା, ଅଙ୍ଗ ଚୋରି, ଅନଲାଇନ ଘୋଟଲା ମାମଲା ବୃଦ୍ଧି ପାଇଛି ।
ଆଦର୍ଶ ପରିବାରର ଆବଶ୍ୟକତା:
ମାନବଧିକାର ସଂରକ୍ଷଣ ମାମଲାରେ ସବୁଠାରୁ ଆଗରେ ଅଛନ୍ତି ନରୱେ, କାନଡା,ସ୍ବିଡେନ ଓ ସ୍ବିଜରଲ୍ୟାଣ୍ଡ । ସେହିପରି ଆରବିଆ, ଚୀନ, ଇରାକ୍ ଭଳି ଦେଶ ଏଥିରେ ପଛରେ ରହିଛନ୍ତି । ମଣିଷକୁ ସାଧାରଣ ମୂଲ୍ୟବୋଧ ପରିବାର ଠାରୁ ହିଁ ମିଳିଥାଏ । ଗୋଟିଏ ପରିବାର ଦେଇଥିବା ସଂସ୍କାର ବ୍ୟକ୍ତିର ଆଚାର ବ୍ୟବହାରରେ ପ୍ରତିଫଳିତ ହୋଇଥାଏ । ଏଥିପାଇଁ ସମାଜରେ ଆଦର୍ଶ ପରିବାରର ଆବଶ୍ୟକତା ଢେର ରହିଛି । ଦେଶରେ ସବୁ ଜିନିଷ ପାଇଁ ଆଇନ ରହିଛି । କେବଳ ତାହାକୁ କଡାକଡି ପାଳନ କରିବାର ଆବଶ୍ୟକତା ରହିଛି ।