ହାଇଦ୍ରାବାଦ: ୟୁଜର୍ସଙ୍କ ସୁରକ୍ଷା ପାଇଁ ଆଗଭର ହୋଇଛି ଫେସବୁକ୍ । ନିକଟରେ ଏହା ବିଭିନ୍ନ ସୁରକ୍ଷାଜନିତ ପଦକ୍ଷେପ ନେଇଛି । ଏହା ମଧ୍ୟରେ ରହିଛି ସେଫଟି ନୋଟିଫିକେସନ । ଯାହା ଫେସବୁକ୍ ୟୁଜର୍ସଙ୍କୁ ସେମାନଙ୍କ ମେସେଞ୍ଜରରେ ମିଳିଯିବ ।
ବିଭିନ୍ନ ସମୟରେ ଅନେକ ଫ୍ରଡ ତଥା ଠକ କମ୍ପାନୀ ଚାଟ୍ କଲାବେଳେ ଲୋକଙ୍କୁ ଲୋଭନୀୟ ଅଫର ଦେଖାଇ ଅର୍ଥ ଲୁଟିବାକୁ ଚେଷ୍ଟା କରନ୍ତି । ଫେସବୁକ୍ ଭଳି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଲୋକ ରହିଥାନ୍ତି । ସରଳ ଓ ନିରୀହ ତଥା ଯେଉଁମାନେ ଆଞ୍ଚଳିକ ଭାଷାରେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କୁ ଲୁଟିବାକୁ ଚେଷ୍ଟା କରନ୍ତି ଅନେକ ଠକ କମ୍ପାନୀ । ମେସେଞ୍ଜରରେ ଚାଟ୍ କରି ଅର୍ଥ ମାଗିବା ସହ ଅନେକ ସମୟରେ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଏଟିଏମ ପିନ୍ ମଧ୍ୟ ମାଗିଦିଅନ୍ତି ।
ଏଥିରୁ ୟୁଜର୍ସଙ୍କୁ ବଞ୍ଚାଇବାକୁ ଫେସବୁକ୍ ଏପରି ଉପାୟ ବାହାର କରିଛି । ଏଥିରେ ଆପଣଙ୍କ ମେସେଞ୍ଜର ଉପରେ ଏକ ସେଫଟି ଟିପ୍ସ ଆସିଯିବ । ଏଥିରେ ସମସ୍ତ ପ୍ରକାର ଫ୍ରଡ ଓ ଠକ କମ୍ପାନୀଙ୍କ ସହ କିପରି ଡିଲ କରିବେ ସେ ବିଷୟରେ ସବୁ ଟିପ୍ସ ରହିଛି । କିପରି ଏହି ସ୍କାମକୁ ଦୂର କରିପାରିବେ ଅଥବା ଏହାସହ କିପରି କଥାବାର୍ତ୍ତା ହେବେ, ସେମାନଙ୍କୁ କିପରି ଅଣଦେଖା କରିବେ, ବ୍ଲ୍କକ୍ ଅବା ରିପୋର୍ଟ ମାରିବେ, ପୋଲିସରେ କିପରି ଅଭିଯୋଗ କରିବେ ଏସମସ୍ତ ଉପରେ ବିଭିନ୍ନ ପ୍ରକାର ନୋଟିଫିକେସନ ଆପଣଙ୍କ ମେସେଞ୍ଜର ଚାଟ୍ ଉପରେ ଆସିଯିବ । ଆପଣ ଯେତେବେଳେ ବି ଏହା ଖୋଲିବେ ଏହି ନୋଟିଫିକେସନ ସବୁ ପଢିପାରିବେ ।
ତେବେ ଏହି ଫିଚର ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ୟୁଜର୍ସଙ୍କ ପାଇଁ ବାହାର କରିଛି ଏହି ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ । ଲୋକଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ଯେଉଁମାନଙ୍କ ବୟସ 18ରୁ କମ ସେମାନେ ଏହାଦ୍ବାରା ଲାଭବାନ ହେବେ ବୋଲି ଫେସବୁକ୍ କହିଛି । ଆଜିର ସମୟରେ ସମସ୍ତେ ଜାଣିବା ଉଚିତ ସେମାନେ କାହାସହ ଚାଟ୍ ଅବା କଥାବାର୍ତ୍ତା କରୁଛନ୍ତି । ଏହା ସେମାନଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କମ୍ପାନୀ କହିଛି ।