ଭୁବନେଶ୍ବର: କଳ୍ପନା ଜଳ୍ପନାର ଅନ୍ତ । ପଦ୍ମ ଧରିଲେ ଜୟ ପଣ୍ଡା । ବିଜେପି ମୁହାଁ 'ହେଇଯାଉ' । ଭାରତୀୟ ଜନତା ପାର୍ଟିରେ ମିଶିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ବୈଜୟନ୍ତ । ରାଜ୍ୟ ରାଜନୀତିରେ ସୃଷ୍ଟି ହେଲା ନୂଆ ସମୀକରଣ । ରାଜ୍ୟ ନା କେନ୍ଦ୍ର, ଏବେବି ସସପେନ୍ସ । ବିଜେପିରେ କ'ଣ ରହିବ ବିଜେଡିରୁ 2ଥର ଲୋକସଭା ଓ 2 ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବୈଜୟନ୍ତଙ୍କ ଭୂମିକା, ଚର୍ଚ୍ଚା ସରଗରମ ।
ତେବେ ବିଜେପିରେ ସାମିଲ ପରେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ । 'ଆତ୍ମନିରିକ୍ଷକ ଓ ବ୍ୟାପକ ପରାମର୍ଶ ସହ ଗତ 9 ମାସ ଧରି ସହକର୍ମୀ ଓ ସମର୍ଥକଙ୍କ ଠାରୁ ସହଯୋଗ ପାଇଥିବାରୁ ସେମାନଙ୍କ ନିକଟରେ କୃତଜ୍ଞ । ଶୁଭ ମହା ଶିବରାତ୍ରୀ ଉପଲକ୍ଷେ ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ ଓ ଦେଶର ସେବା କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କାମ କରିବି' ।
2018 ମେ 28 । ବିଜେଡିରୁ ନିଲମ୍ବିତ ଥିବା ତତ୍କାଳୀନ ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦିଅନ୍ତି । କେଉଁ ଦଳକୁ ଯିବେ, କିଛି କୁହନ୍ତି ନାହିଁ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ନିଜର କ୍ଷୋଭ ହିଁ ପ୍ରକାଶ କରନ୍ତି । ବୈଜୟନ୍ତ ଯେ ବିଜେପିରେ ଯୋଗ ଦେବେ, ସେ ସମୟରେ ସମସ୍ତ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ହୁଏତ ଏକଥା ଗ୍ରହଣ କରିସାରିଥାନ୍ତି । ହେଲେ ବୈଜୟନ୍ତ ମାନିବାକୁ ପୁରା ନାରାଜ । ବୈଜୟନ୍ତ କହୁଥାନ୍ତି ଯେ ଜନତା ଯାହା କହିବେ, ସେ ତାହା ହିଁ କରିବେ ।

2019 ମାର୍ଚ୍ଚ 4 ଅର୍ଥାତ ଆଜି । ସତ ସାବ୍ୟସ୍ତ ହୋଇଛି ପ୍ରାରମ୍ଭିକ ଅନୁମାନ । ବିଜେପିର ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ବୈଜୟନ୍ତ । ଭୁବନେଶ୍ବରରେ ନୁହେଁ ଦିଲ୍ଲୀରେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ । ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ, ଦଳର ରାଜ୍ୟ ପ୍ରଭାରୀ ଏବଂ ରାଜ୍ୟ ସଭାପତିଙ୍କ ଗହଣରେ । ବିଜେପି ଝଣ୍ଡା ତଳେ ଝିଡା ହୋଇଛନ୍ତି ପଣ୍ଡା । ସମୀକ୍ଷକଙ୍କ ପ୍ରଥମ ଗଣିତ ଯେ ଠିକଥିଲା, ସ୍ପଷ୍ଟ ହୋଇଯାଇଛି ।
2018 ମେ ୨୮ରୁ 2019 ମାର୍ଚ୍ଚ 4 । ବ୍ୟବଧାନ 9ମାସ 6 ଦିନ । ଥିଲା ଭାବିବା ଓ ବୁଲିବାର ସମୟ । 'ହେଇଯାଉ'ର ସମୟ । ୨୦୧୮ ଜୁନ୍ ୧୨ରେ ସାଂସଦ ପଦରୁ ଇସ୍ତଫା । ଏହାରି ମଧ୍ୟରେ ବୈଜୟନ୍ତଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ହୁଏ । ପ୍ରଥମେ କୁହାଯାଉଥିବା ବୈଜୟନ୍ତ ବିଜେପିରେ ମିଶିବା ସୁନିଶ୍ଚିତ । ପରେ କୁହାଗଲା ଦାମଙ୍କ ଦଳରେ ସାମିଲ ହେବେ ସେ । କିଛି କହୁଥିଲେ ନୂଆଦଳ ଗଠନ କରିପାରନ୍ତି ବୈଜୟନ୍ତ । ଆଉ କିଛି ଦିନ ପରେ ତାଙ୍କ ହାବହାବ କଂଗ୍ରେସ ଆଡକୁ ମୁହାଁଇଥିବା ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ବୈଜୟନ୍ତ ସିଧାସଳଖ ନହେଲେ ବି କଂଗ୍ରେସ ସମର୍ଥନରେ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବୋଲି କେହି କେହି ଆକଳନ କରୁଥିଲେ । ହେଲେ ସତ ହୋଇଛି ପ୍ରଥମ ଅଙ୍କ ।
ଖୋଲାଖୋଲି ଦଳ ବିରୋଧି ମନ୍ତବ୍ୟ ଏବଂ ତୃତୀୟ ମହଲାକୁ ଟାର୍ଗେଟ କରି 2018 ଜାନୁଆରୀ 24ରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ବୈଜୟନ୍ତ । ନିଜ ଆଡୁ ଦଳରୁ ଇସ୍ତଫା ଦେବାକୁ ସମୟ ନେଇଥିଲେ 4 ମାସ 4 ଦିନ । ଆଉ ବିଜେଡିରୁ ଇସ୍ତଫା ପରେ ବିଜେପିରେ ମିଶିବାର ନିଷ୍ପତ୍ତି ପାଇଁ ଲାଗିଲା 9ମାସ 6 ଦିନ । କୁହାଯାଇପାରେ ଏକ ପରିପକ୍ବ ନିଷ୍ପତ୍ତି । ଉଭୟ କେନ୍ଦ୍ରୀୟ ଦଳ ବୈଜୟନ୍ତଙ୍କୁ ଦଳରେ ସାମିଲ କରିବାକୁ ବେଶ ଆଶାବାଦୀ ଥିଲେ । ହେଲିକପ୍ଟର ସିଜ ବେଳେ ଉଭୟ ବିଜେପି ଓ କଂଗ୍ରେସ ବୈଜୟନ୍ତଙ୍କ ସପକ୍ଷରେ ବାହାରିବା ଘଟଣାରୁ ଏକଥା ଅନୁମାନ କରାଯାଇପାରେ । ମାତ୍ର ପ୍ରଥମ ଚର୍ଚ୍ଚାକୁ ଶେଷ ସିଦ୍ଧାନ୍ତ କରିଛନ୍ତି ବୈଜୟନ୍ତ ପଣ୍ଡା । ଭୁବନେଶ୍ବରରେ ତାଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଛି ଭବ୍ୟ ଆୟୋଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ