ଅହମଦାବାଦ: ଆସନ୍ତା 24ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିଜ ଭାରତ ଗସ୍ତ ସମୟରେ ପ୍ରଥମେ ଗୁଜୁରାଟର ଅହମଦାବାଦ ଯାତ୍ରା କରିବେ । ଏଠାରେ ସେ ସାବରମତୀରେ ଥିବା ମହାତ୍ମା ଗାନ୍ଧୀଙ୍କ ଆଶ୍ରମ ମଧ୍ୟ ଯିବେ । ଟ୍ରମ୍ପଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ କମିଶନର ଅଜୟ ତୋମାର ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ମେଲାନିଆ ଓ ପ୍ରଧାନମନ୍ତ୍ରୀଙ୍କ ସାବରମତୀ ଆଶ୍ରମ ଗସ୍ତ ସମୟରେ ସୁରକ୍ଷା ପାଇଁ ଏସପିଜି, ଏନଏସଜି, ଏଟିଏସ ଓ ଆରଏଏଫଙ୍କୁ ନିୟୋଜିତ କରାଯିବ ବୋଲି ଅଜୟ ତୋମାର କହିଛନ୍ତି । ଏହାସହ ଡିଆରଡିଓ ଦ୍ବାରା ବିକଶିତ ଆଣ୍ଟି ଡ୍ରୋନ ଟେକ୍ନୋଲୋଜିକୁ ମଧ୍ୟ ସୁରକ୍ଷା ପାଇଁ ବ୍ୟବହାର କରାଯିବ ।
ତୋମାର କହିଛନ୍ତି ଯେ ରାଜ୍ୟ ସରକାର ଓ ପୋଲିସ ମହାନିର୍ଦ୍ଦେଶକ ମିଳିତଭାବେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ରୋଡ ଶୋ’ ହେବାକୁ ଥିବା ସମ୍ପୂର୍ଣ୍ଣ ରାସ୍ତାକୁ ବ୍ୟାରିକେଡିଂ କରାଯିବ । ଅନ୍ୟପକ୍ଷେ ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ଷ୍ଟାଡିୟମରେ ଅଗ୍ନିନିର୍ବାପକ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ଏମଏଫ୍ ଦସ୍ତୁର କହିଛନ୍ତି । ରିଂ ରୋଡରୁ ନେଇ ଷ୍ଟାଡିୟମ ପର୍ଯ୍ୟନ୍ତ 8 ଟି ସ୍ଥାନରେ ଦମକଳବାହିନୀ ନିୟୋଜିତ ରହିବେ ।
@ians_india