ପାଟନା: ନିର୍ବାଚନରେ ଅମାନତ ହରାଇବା କିଛି ନୂଆ କଥା ନୁହେଁ । ମୋଟ ଭୋଟର 6 ପ୍ରତିଶତ ଭୋଟ ନ ପାଇଲେ ପ୍ରାର୍ଥୀ ଅମାନତ ହରାଇଥାନ୍ତି । କିନ୍ତୁ ଜଣେ କୋଟିପତି ପ୍ରାର୍ଥୀ ଅମାନତ ହରାଇବା ନିଶ୍ଚିତ ଭାବେ ଏକ ଚର୍ଚ୍ଚାର ବିଷୟ ।
ଚଳିତ ନିର୍ବାଚନରେ ବିହାରର ପାଟଳିପୁତ୍ରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନରେ ଥିଲେ ରମେଶ କୁମାର ଶର୍ମା । ଏଥର ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ଧନଶାଳୀ ପ୍ରାର୍ଥୀ । ନାମାଙ୍କନ ସମୟରେ ସେ ଦେଇଥିବା ସତ୍ୟପାଠରେ ତାଙ୍କର ସମ୍ପତ୍ତି 1107 କୋଟି ଦର୍ଶାଇଥିଲେ । କୌଣସି ଦଳରୁ ଛିଡା ନ ହୋଇ ସେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ ।
ତେବେ ଏହି କୋଟିପତି ପ୍ରାର୍ଥୀଙ୍କୁ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ଏପରିକି ସେ ନାମାଙ୍କନ ସମୟରେ ଦାଖଲ କରିଥିଲା ତାଙ୍କର ନିର୍ବାଚନୀ ବଣ୍ଡ ମଧ୍ୟ ହରାଇଥିଲେ । କାରଣ ନିୟମ ଅନୁସାରେ ସେ ମୋଟ ଭୋଟର 6 ପ୍ରତିଶତ ପାଇନଥିଲେ । ତାଙ୍କୁ ମାତ୍ର 0.14 ପ୍ରତିଶତ ଭୋଟ ମିଳିଥିଲା । ସେ 26 ଜଣ ପ୍ରାର୍ଥୀଙ୍କ ମଧ୍ୟରେ 23ତମ ସ୍ଥାନରେ ଥିଲେ । ଫଳରେ ସେ ଅମାନତ ହରାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଏଥର ନିର୍ବାଚନରେ ପ୍ରଥମ 5 ଜଣ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ 3 ଜଣ ବିଜୟୀ ହୋଇଛନ୍ତି । ବାକି 2 ଜଣ ପରାଜୟର ମୁହଁ ଦେଖିଛନ୍ତି । ରମେଶଙ୍କୁ ଛାଡିଦେଲେ 2ୟ ପରାସ୍ତ କୋଟିପତି ପ୍ରାର୍ଥୀ ହେଲେ କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିୟା ।