ନୂଆଦିଲ୍ଲୀ: ପଳାତକ ହିରା ବ୍ୟବସାୟୀ ମେହୁଲ ଚୋକସିକୁ ଭାରତ ଆଣିବା ପାଇଁ ଅଣ୍ଟା ଭିଡିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭାରତ ନଫେରିବା ପାଇଁ ସ୍ବାସ୍ଥ୍ୟ ଖରାପର ବାହାନା କରୁଥିବା ଚୋକସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୋର୍ଟରେ ପ୍ରସ୍ତାବ ଦେଇଛି ଇଡି ।
ଚୋକସିକୁ ଆଣ୍ଟିଗୁଆରୁ ଆଣିବା ପାଇଁ ଏୟାର ଆମ୍ବୁଲାନ୍ସର ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତିତ ତାଙ୍କ ସହ ମେଡିକାଲ ବିଶେଷଜ୍ଞଙ୍କ ଏକ ଟିମ୍ ମଧ୍ୟ ରହିବେ ବୋଲି ଏହି ପ୍ରସ୍ତାବରେ କୁହାଯାଇଛି ।
ତେବେ ଚୋକ୍ସି ଭାରତ ଫେରିବା ପରେ ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଇଡି କହିଛି । ମେହୁଲ ଚୋକସି ଓକିଲ ମୁମ୍ବାଇ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଚୋକସି ଭାରତ ଫେରିବାକୁ ଚାହୁଁନଥିବା କହିଥିଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଭାରତ ଫେରିପାରିବେ ନାହିଁ ବୋଲି ଏହି ସତ୍ୟପାଠରେ ଦର୍ଶାଇଥିଲେ । ତେବେ ମେହୁଲଙ୍କ ଏହି ସତ୍ୟପାଠର ଜବାବରେ ଇଡି ଶନିବାର ମୁମ୍ବାଇ ହାଇକୋର୍ଟରେ ଆଉ ଏକ ସତ୍ୟପାଠ ଦାଖଲ କରିଛି ।
ସୂଚନାଯୋଗ୍ୟ ଯେ, ମେହୁଲ ଚୋକସି ଏବଂ ତା ଭଣଜା ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ 14 ହଜାର କୋଟି ଋଣ ନେଇ ଦେଶଛାଡି ପଳାଇଛନ୍ତି । ନୀରବ ମୋଦି ବର୍ତ୍ତମାନ ଲଣ୍ଡନର ଏକ ଜେଲରେ ବନ୍ଦୀ ଥିବା ବେଳେ ମେହୁଲ ଚୋକସି ଆଣ୍ଟିଗୁଆରେ ଲୁଚି ରହିଛି ।