ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର କ୍ରାଇମ ଏବେ ଚିନ୍ତାର ବିଷୟ ପାଲଟିଲାଣି । ସାଇବର ଅପରାଧୀ ବିଶ୍ବରେ ପ୍ରତି ବର୍ଷ ପ୍ରାୟ 2.5 ଟ୍ରିଲିୟନ ଡଲାରର କଳାକନା ବୁଲାଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ସଂଖ୍ୟା ଅନେକ ଦେଶର ଜିଡିପିଠାରୁ କେଇ ଗୁଣରେ ଅଧିକ । ତେବେ ଏହି ଅପରାଧରୁ କିପରି ରକ୍ଷା ପାଇହେବ ସେନେଇ ରାଜଧାନୀ ଦିଲ୍ଲୀରେ ଏକ ଅନ୍ତରାଷ୍ଟ୍ରୀୟ କନଫରେନ୍ସର ଆୟୋଜନ କରାଯାଇଛି ।
ସୁପ୍ରିମକୋର୍ଟର ଅଧିବକ୍ତା ତଥା ସାଇବର ଏକ୍ସପର୍ଟ ପବନ ଦୁଗ୍ଗଲ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନ ବୁଧବାର ଜମ୍ମୁ-କାଶ୍ମୀରର ମୁଖ୍ୟ ନ୍ୟାୟାଧିଶ ଗୀତା ମିତ୍ତଲ କରିଛନ୍ତି । ତେବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସାଇବର ସ୍ପେସରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ଦୁଗ୍ଗଲ କହିଛନ୍ତି । ସେ କହିଛନ୍ତି, ପ୍ରାୟତଃ ଲୋକଙ୍କୁ ଏହି ଅପରାଧ ସମ୍ପର୍କରେ ସୂଚନା ରହିନାହିଁ । ସେଥିପାଇଁ ସେମାନେ ଏହି ଅପରାଧର ଶିକାର ହୁଅନ୍ତି । ଏଭଳି ଅପରାଧରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଅନ୍ତରାଷ୍ଟ୍ରୀୟ କନଫ୍ରେନ୍ସର ଆୟୋଜନ କରାଯାଇଛି । ଏଥିରେ ସାଇବର ଲ' ସାଇବର ସିକ୍ୟୁରିଟି ଏବଂ ସାଇବର କ୍ରାଇମକୁ ନେଇ ଚର୍ଚ୍ଚା ହେବ ବୋଲି ସେ କହିଛନ୍ତି ।
ଏହି କନଫ୍ରେନ୍ସରେ ବିଶ୍ବର ଅନେକ ଦେଶର ଲୋକ ଏକତ୍ରିତ ହୁଅନ୍ତି ଏବଂ ନିଜ ଦେଶରେ ହେଉଥିବା ସାଇବର ଅପରାଧ ଏବଂ ତାଠାରୁ ରକ୍ଷା ପାଇବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅନ୍ୟ ଲୋକଙ୍କୁ ଅବଗତ କରାନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ବରେ ସାଇବର ଅପରାଧ ବିରୋଧରେ କିପରି ଲଢାଯାଇପାରିବ । ଏଥିରେ ପ୍ରାୟ 200 ରୁ ଉର୍ଦ୍ଧ୍ବ ସାଇବର ଏକ୍ସପର୍ଟ ଭାଗ ନେଇଥିବା ଜଣା ପଡିଛି । ଏହି କନଫ୍ରେନ୍ସରେ 2 ଦିନ ମଧ୍ୟରେ ପ୍ରାୟ 55 ଟି ସେସନ ଆୟୋଜିତ କରାଯାଇଛି ।