ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଏନସିଆର, ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ସମେତ ସମଗ୍ର ଉତ୍ତରଭାରତରେ ଅତ୍ୟଧିକ ଖରା କାରଣରୁ ଅସ୍ତବ୍ୟସ୍ତ ହୋଇପଡିଥିଲା ଜନଜୀବନ । କେତେକ ସ୍ଥାନରେ ତାପମାତ୍ରା 50 ଡିଗ୍ରୀ ପାର ହୋଇଥିବାବେଳେ, ପ୍ରାୟ ଅଧିକାଂଶ ସ୍ଥାନରେ 47 ଡିଗ୍ରୀ ଉପରେ ରହୁଥିଲା ତାପମାତ୍ରା । ବର୍ତ୍ତମାନ ବର୍ଷା କାରଣରୁ ଗରମ ଦାଉରୁ ସାମାନ୍ୟ ରକ୍ଷା ପାଇଛନ୍ତି ଲୋକେ ।
ବର୍ଷା ହେତୁ ଆସନ୍ତା କିଛି ଦିନ ପାଇଁ ଏହି ଅଞ୍ଚଳରେ ତାପମାତ୍ରା କମ ରହିବ ବୋଲି ଆଶା କରାଯାଉଛି । ପାଣିପାଗ ବିଭାଗ ଆସନ୍ତା 3 ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ ଓ ଦିଲ୍ଲୀର କେତେକ ଅଞ୍ଚଳରେ ଧୂଳି ଝଡ଼ ଏବଂ ବଜ୍ରପାତ ସହ ହାଲୁକା ବର୍ଷା ହେବାର ଚେତାବନୀ ଦେଇଛି ।
ଏଥିମଧ୍ୟରେ ଉତ୍ତରପ୍ରଦେଶର ସନ୍ଥ ରବିଦାସ ନାଗର, ମିର୍ଜାପୁର, ବାରାଣାସୀ, ସୋନଭଦ୍ର, ଚାନ୍ଦୌଲି, ଝାନ୍ସୀ, ମୁଜାଫରନଗର, ବାଗପାତ, ଗୌତମବୁଦ୍ଧ ନଗର, ଗାଜିଆବାଦ, କାନପୁର ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା, ବଜ୍ରପାତ ସହ ଧୂଳିଝଡ ହେବାର ଆଶଙ୍କା ରହିଛି ।
ଅନ୍ୟପଟେ ହରିୟାଣାରେ 20 ରୁ 40 କିଲୋମିଟର ବେଗରେ ପ୍ରବଳ ପବନ ସହ କର୍ଣ୍ଣଲ, ସୋନିପତ, ପାନିପାତ ଏବଂ ହରିୟାଣାରେ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏଥିସହିତ ସାଇକ୍ଲୋନିକ ଝଡ 'ନିସର୍ଗ'କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସୋମବାର ମୁମ୍ବାଇ ଏବଂ ନିକଟବର୍ତ୍ତୀ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଜୁନ 3ରେ ଏହି ଝଡ ରାଜ୍ୟ ଉପକୂଳରେ ଆସିବ ବୋଲି ଜଣାପଡିଛି । ଯାହାକୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ପୂର୍ବପ୍ରସ୍ତୁତି ମାନ ଜାରି ରହିଛି ।