ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ପୁଣିଥରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଚ୍ଛା ପ୍ରକାଶ କରିଛନ୍ତି । ମଧ୍ୟସ୍ଥତା ମଧ୍ୟରେ ଏହି ବିବାଦର ସମାଧାନ କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । ତେବେ ଏହି ପ୍ରସ୍ତାବକୁ ଭାରତ ଏଡ଼ାଇ ଦେଇଛି ।
ଏନେଇ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୟୁନାଇଟେଡ଼ ନେସନ ଜେନେରାଲ ଆସେମ୍ଲି ବା ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଉଭୟ ରାଷ୍ଟ୍ରର ନେତାମାନଙ୍କ ସହିତ ଆଲୋଚନା ସଫଳ ରହିଛି । ସେମାନଙ୍କ ମଧ୍ୟରେ ଦୀର୍ଘ ଦିନରୁ ଲାଗି ରହିଥିବା କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ମୁଁ ମଧ୍ୟସ୍ଥତା କରିବାକୁ ତାଙ୍କୁ ପ୍ରସ୍ତାବ ଦେଇଛି । ଏହି ମାମଲାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ଟ୍ରମ୍ପ କହିଛନ୍ତି ।
କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗ । ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପର କୌଣସି ଭୂମିକା ନାହିଁ । ଟ୍ରମ୍ପଙ୍କ ଏହି ମଧ୍ୟସ୍ଥତା ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମର ଉଦ୍ଦେଶ୍ୟ ପୁରା ସ୍ପଷ୍ଟ ରହିଛି ।
ଏହା ସହିତ ମୋ ଦ୍ବାରା ଯାହା ସମ୍ଭବ ମୁଁ ତାହା କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ । ଦୁଇ ଦେଶର ନେତା ଅତ୍ୟନ୍ତ ଭଦ୍ର । ସେମାନେ ମୋର ଅତ୍ୟନ୍ତ ଘନିଷ୍ଟ ବନ୍ଧୁ ମଧ୍ୟ । ଏହା ସହିତ ସେମାନେ ପରମାଣୁ ଅସ୍ତ୍ର ରଖିଥିବା ଦେଶ ମଧ୍ୟରୁ ଅନ୍ୟତମ । ସେମାନେ ଆଲୋଚନା ମାଧ୍ୟମରେ ତାହାର ସମାଧାନ ବାହାର କରିବା ଅତ୍ୟନ୍ତ ଜରୁରୀ ଓ ସେମାନଙ୍କ ସହିତ ଆଲୋଚନା ସମୟରେ ମୁଁ ପ୍ରସ୍ତାବ ଦେଇଛି ବୋଲି ଟ୍ରମ୍ପ କହିଥିଲେ ।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପାଖାପାଖି 40 ମିନିଟ ଧରି ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । ସେହିପରି ଏହାର ଠିକ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହିତ ଟ୍ରମ୍ପଙ୍କ ମଧ୍ୟ ଆଲୋଚନା ହୋଇଥିଲା ।
ତେବେ ଦ୍ବିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି, କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗ । ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପର କୌଣସି ଭୂମିକା ନାହିଁ । ସେହିଭଳି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ ଉତ୍ତର ରଖାଯାଇଛି । ଟ୍ରମ୍ପଙ୍କ ଏହି ମଧ୍ୟସ୍ଥତା ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମର ଉଦ୍ଦେଶ୍ୟ ପୁରା ସ୍ପଷ୍ଟ ରହିଛି ।
ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭରୁ ମଧ୍ୟ ଏହା କହି ସାରିଛନ୍ତି । ବୈଦେଶିକ ସଚିବ ମଧ୍ୟ ଏହାକୁ ଦୋହରାଇଛନ୍ତି । ସେମାନଙ୍କ ଉତ୍ତରରେ ବିଭାଗ ମଧ୍ୟ ନିଜର ସହମତି ପ୍ରକାଶ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଓ୍ବିଶ କୁମାର କହିଛନ୍ତି । ରଓ୍ବିଶ କୁମାର କହିଛନ୍ତି କି, ଆପଣମାନେ ଦେଖିଥିବେ ଏହି ପ୍ରସଙ୍ଗରେ ବୈଦେଶିକ ସଚିବ କଣ କହିଛନ୍ତି । ଏହି ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଉଭୟ ରାଷ୍ଟ୍ରର ସହମତିର ଆବଶ୍ୟକତା ରହିଛି ବୋଲି ସଚିବ ସୂଚନା ଦେଇଥିବା ରଓ୍ବିଶ କହିଥିଲେ ।
ବୈଦେଶିକ ସଚିବ ବିଜୟ ଗୋଖଲେ ମୋଦି-ଟ୍ରମ୍ପଙ୍କ ବୈଠକ ପରେ ସ୍ପଷ୍ଟ କରିଥିଲେ ଯେ, ଆମେମାନେ ପାକିସ୍ତାନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ । ମାତ୍ର ଏଥିପାଇଁ ପାକିସ୍ତାନକୁ କିଛି କଠୋର ଓ ଦୃଢ ପଦକ୍ଷେପ ନେବାର ଅଛି । ମାତ୍ର ଏହି ପଦକ୍ଷେପ ନେବା ଦିଗରେ ପାକିସ୍ତାନ ପକ୍ଷରୁ କୌଣସି ଲକ୍ଷଣ ଆମେ ଦେଖିପାରୁନାହୁଁ ବୋଲି ଗୋଖଲେ କହିଥିଲେ ।
ସୂଚନା ଯୋଗ୍ୟ ଗତ ଅଗଷ୍ଟ 5 ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା 370 ହଟାଇ ଦେବା ପରେ ପାକିସ୍ତାନ ଏହି ମାମଲାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ଚେଷ୍ଟା କରୁଛି । ମାତ୍ର ଏହାକୁ ଭାରତ ନାପସନ୍ଦ କରିବା ସହିତ ଏହା ଦେଶର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି ।