ହାଇଦ୍ରାବାଦ: ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ କଲେ ସମ୍ପର୍କୀୟ । ବୁଧବାର ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲର ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଡାକ୍ତରଖାନା ବାହାରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏପଟେ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି ବୋଲି ଗୋପାଳପୁରମ୍ ଏସିପି କହିଛନ୍ତି ।
ସୂଚନାନୁସାରେ ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ତାଙ୍କୁ ଦୁଇ ଦିନ ଆଇସିୟୁରେ ରଖାଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଯେତେବେଳେ ଏ ବିଷୟରେ ମୃତକଙ୍କ ସମ୍ପର୍କୀୟଙ୍କୁ ଜଣାଇଦିଆଗଲା ସେମାନେ ଆମ ଉପରକୁ ଆକ୍ରମଣ କରିଥିଲେ ବୋଲି ଜଣେ ଡାକ୍ତର କହିଛନ୍ତି । ସିକ୍ୟୁରିଟିର ଅନୁପସ୍ଥିତିରେ ସେମାନେ ଉପର ମହଲାକୁ ଆସିଥିଲେ, ଯେଉଁଠାରେ COVID-19 ପଜିଟିଭ ରୋଗୀ ଚିକିତ୍ସିତ ହେଉଛନ୍ତି । ସେଠାରେ ପ୍ରତିବନ୍ଧକ ସତ୍ତ୍ବେ ସେମାନେ ମୃତକଙ୍କ ବିଷୟରେ ପଚରା ଉଚରା କରିଥିଲେ । ପରେ ଡାକ୍ତରଙ୍କ କୋଠରୀକୁ ଆସି ସେମାନଙ୍କ ଉପରକୁ ଚେୟାର ଫିଙ୍ଗିବା ଆରମ୍ଭ କରିଥିଲେ ।
@ANI