କଂଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ଲୋକଙ୍କୁ ଆଜିକାଲି ଟିକେ ସାବଧାନ ରହିବାକୁ ହେବ । କୋରୋନା ଭାଇରସ କଂଟାକ୍ଟ ଲେନ୍ସ ଭେଦିପାରେ ନେଇ ଚର୍ଚ୍ଚା ହେଉଛି । ଅବଶ୍ୟ ଏ ନେଇ କିଛି ସ୍ପଷ୍ଟ ଜଣାପଡିନାହିଁ । ଏ ବାବଦରେ ନ୍ୟୁଜର୍ସିର ରଟଜେର୍ସ ମେଡିକାଲ ସ୍କୁଲରେ ଅପଥଲାମୋଲୋଜି ବିଭାଗର ସହକାରୀ ପ୍ରାଧ୍ୟାପକ ଡେଭିଡ୍ ଚୁ ଆଲୋକପାତ କରିଛନ୍ତି । କଂଟାକ୍ଟ ଲେନ୍ସ ଜରିଆରେ କୋରୋନା ବ୍ୟାପିବା ନେଇ କୌଣସି ପ୍ରମାଣ ମିଳି ନଥିଲେ ମଧ୍ୟ ଏହାର ବ୍ୟବହାରକାରୀ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ଆଖି ପକ୍ଷେ ଲେନ୍ସ ଲଗାଇବା ଅଧିକାଂଶ ସମୟରେ ବିରକ୍ତି ଜନକ ହୋଇଥାଏ । ଲେନ୍ସ ବ୍ୟବହାର କରୁଥିବା ଲୋକେ ସେମାନଙ୍କ ଆଖିକୁ ସ୍ପର୍ଶ କରିବା ନିଶ୍ଚିତ । ଏହି ଅଭ୍ୟାସ ସଂକ୍ରମଣର ବିପଦ ସୃଷ୍ଟି କରେ । ଲେନ୍ସ ବ୍ୟବହାର ବେଳେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ ପଡିବ । ଲେନ୍ସ ଲଗାଇବା ପୂବର୍ରୁ ହାତକୁ ୨୦ ସେକେଣ୍ଡ ଧରି ସାବୁନରେ ଭଲ ଭାବେ ଧୋଇବାକୁ ପଡିବ । ଶୁଖିଲା ହାତରେ ହିଁ ଲେନ୍ସକୁ ସ୍ପର୍ଶ କରିବା ଦରକାର । ଆସନ୍ତୁ ଜାଣିବା କୋରୋନା ସମୟରେ କଂଟାକ୍ଟ ଲେନ୍ସ ବ୍ୟବହାର ନେଇ କିଛି ଜରୁରୀ ସୂଚନା ।
୧. ବର୍ତମାନ ସମୟରେ କଂଟାକ୍ଟ ଲେନ୍ସ ବଦଳରେ ଚଷମା ପିନ୍ଧିବା ପାଇଁ ସେଭଳି କିଛି ସୁପାରିଶ କରାଯାଇନାହିଁ । କିନ୍ତୁ ଯାହାଙ୍କୁ ଭାଇରସ ଶୀଘ୍ର ଆକ୍ରମଣ କରିବା ଆଶଙ୍କା ରହିଛି ବା ଯେଉଁମାନେ ସଂକ୍ରମିତଙ୍କ ସହ ରହିଆସୁଛନ୍ତି,ସେମାନେ ଚଷମା ପିନ୍ଧିଲେ ଭଲ ।
୨. ଲୁହରେ ବି କୋରୋନା ଭାଇରସ ଦେଖାଯାଏ । କିନ୍ତୁ ଏହା କ୍ୱଚିତ । ଲୁହ ଜରିଆରେ ଭାଇରସ ବ୍ୟାପିବା ନେଇ କୌଣସି ପ୍ରମାଣ ନାହିଁ ।
୩. ସାଧାରଣତଃ କଞ୍ଜକ୍ଟିଭିଟିସ୍ ଦ୍ୱାରା ଆଖି ଗୋଲାପୀ ରଂଗର ହୋଇଯାଏ । ଆଲର୍ଜି ଓ ଟିସୁ ସ୍ୱେଲିଂ ଦ୍ୱାରା ଏଭଳି ହୋଇଥାଏ । ତେବେ, କଞ୍ଜକ୍ଟିଭିଟିସ , କୋରୋନା ଭାଇରସ୍ ର ବିରଳ ବୈଶିଷ୍ଟ୍ୟ ।
୪. ଆଖି ଯନ୍ତ୍ରଣା ହେଲେ ଲେନ୍ସ ବ୍ୟବହାର ତୁରନ୍ତ ବନ୍ଦ କରିବା ଉଚିତ । ଏହା ନ ହେଲେ କର୍ଣ୍ଣିଆଗତ ସମସ୍ୟା ବୃଦ୍ଧି ସହ ସଂକ୍ରମଣ ଓ ଦୃଷ୍ଟିହୀନତାର ଆଶଙ୍କା ରହିଛି ।
୫. ଲେନ୍ସ ନିର୍ମାଣକାରୀ ଓ ଚକ୍ଷୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ମାନିବା ଜରୁରୀ । ଶୋଇବା ଆଗରୁ ଲେନ୍ସ କାଢିନେବା ଉଚିତ । ଲେନ୍ସ ହଟାଇବା ଓ ପୁଣି ବ୍ୟବହାର ବେଳେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ଜରୁରୀ । ଲେନ୍ସକୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ସେଗୁୁଡିକୁ ଏକ ନିରାପଦ ସ୍ଥାନରେ ରଖିବାକୁ ହେବ ।