ନିଷ୍ଠାପର ଭାବେ ଆମେ ହାତ ଧୋଉଛୁ। କହୁଣିରେ ଛିଙ୍କିବା ଅଭ୍ୟାସ କରୁଛୁ। ମୁହଁକୁ ବି ଆଉ ଛୁଉଁନୁ। ସବୁବେଳେ ମାସ୍କ ପିନ୍ଧୁଛୁ ଆଉ ସାମାଜିକ ଦୂରତା ରକ୍ଷା କରୁଛୁ। ଗୋଟିଏ କି ଦୁଇଟି ନୂହେଁ କୋଭିଡ-୧୯କୁ ଦୂରେଇବା ଲାଗି ଆମେ ଶହଶହ ସଂଖ୍ୟାରେ ସତର୍କତାମୂଳକ ପଦକ୍ଷେପ ନେଉଛୁ। କିନ୍ତୁ ଏହି ସମୟରେ ଯେତେବେଳେ ମହାମାରୀ ହଜାର ହଜାର ସଂଖ୍ୟାରେ ଜୀବନ ନେଉଛି ସେତେବେଳେ ଆମେ ଏହି ସଂକ୍ରମଣରୁ ବର୍ତ୍ତିବା ଲାଗି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଅଛି। ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କାରଣ ବୟସ ଅନୁସାରେ ଆମର ପ୍ରତିରୋଧକ ଶକ୍ତି ବି ବଦଳୁଛି।
ଯେତେବେଳ ରୋଗ ପ୍ରତିରୋଧକ ଶକ୍ତି ନେଇ ପ୍ରଶ୍ନ ଉଠେ ସେତେବେଳେ ଅନ୍ୟ ସବୁ ଜିନିଷ ପଛକୁ ଠେଲି ହୋଇଯାଏ। ବିଶେଷକରି ସଂକ୍ରମଣ କ୍ଷେତ୍ରରେ ଏହାର ଅଧିକ ସତ୍ୟତା ରହିଛି। ଯଦି ପ୍ରତିରୋଧ କରିବାର ଶକ୍ତି ଆମ ଭିତରେ ଅଛି ତେବେ କୌଣସି ଆଣ୍ଟିଜେନ୍ ଆମ ଶରୀରକୁ ଆକ୍ରମଣ କରିପାରିବ ନାହିଁ। ବୟସ୍କଙ୍କ ଭିତରୁ ଅନେକ ଏବେ ନୋଭେଲ୍ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହେଉଛନ୍ତି। ଏହି ବୟସର ଲୋକଙ୍କ କ୍ଷେତ୍ରରେ କୋଭିଡ୍ ସଂକ୍ରମଣ ମାରାତ୍ମକ ରୂପ ନେବା ଦେଖା ଦେଇଛି। ଏଣୁ ସମସ୍ତଙ୍କ ଆଖି ଏବେ ଦେହର ପ୍ରତିରୋଧକ ଶକ୍ତି ଉପରେ। ବାସ୍ତବରେ ଆମେ ଆମ ମା’ ପେଟରେ ଥିବା ବେଳେ ଇମ୍ୟୁନୋଗ୍ଲୋବିନ ଦ୍ଵାରା ହିଁ ଏହି ଶକ୍ତି ହାସଲ କରିଥାଉ। ଏଣୁ ମା’ର ସ୍ଵାସ୍ଥ୍ୟ ଉପରେ ସବୁକିଛି ନିର୍ଭର କରୁଛି। ମା’ କେତେ ରୋଗକୁ ମୁକାବିଲା କରିଛି, କେତେ ଟୀକା ସେ ନେଇଛନ୍ତି ତାହା ଉପରେ ଛୁଆର ରୋଗ ପ୍ରତିରୋଧକ ଶକ୍ତି ନିର୍ଭର କରିଥାଏ। ପୁଣି କ୍ଷୀର ଖାଇବା ସମୟରେ କିଛି ଇମ୍ୟୁନୋଗ୍ଲୋବିନ୍ ପିଲା ଶରୀରରେ ପ୍ରବେଶ କରିଥାଏ। କିଛିଦିନ ଯାଏ ଏହା ରହେ। ତା’ପରେ ଦେହରେ ସଂକ୍ରମଣ ଟୀକା ଓ ଜୀବାଣୁ ମନକୁ ମନ ଶରୀର ପାଇଁ ପ୍ରତିରୋଧକ ଶକ୍ତି ତିଆରି କରିଥାନ୍ତି। କିନ୍ତୁ ପିଲାଟି କିଶୋର ଅବସ୍ଥାରେ ପହଞ୍ଚିବା ପରେ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ କମିବା ଆରମ୍ଭ କରେ। ୬୦ ବର୍ଷରେ ପହଞ୍ଚିବା ପରେ ଏହି ଅବନତି କ୍ଷୀପ୍ରଗତିରେ ହୁଏ। ତଥାପି ଭଲ କଥା ଏହା ଯେ, ବୟସ ବଢ଼ିଥିଲେ ମଧ୍ୟ କିଛି ଲୋକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ ଏବଂ କିଛି ଲୋକଙ୍କ କ୍ଷେତ୍ରରେ ତାହା ନଥାଏ। କିଛି ସରଳ ଉପାୟ ଗ୍ରହଣ କଲେ ରୋଗ ପ୍ରତିରୋଧକ ଶକ୍ତିକୁ ଆମେ ନିରନ୍ତର ରଖିପାରିବା। ୧୯୧୮ରେ ବ୍ୟାପିଥିବା ସ୍ପାନିଶ ଫ୍ଲୁ ପରେ ଏହି ନୋବେଲ କୋରୋନା ଭୁତାଣୁ ରୋଗକୁ ବିଶାଳ ମହାମାରୀ ଭାବେ ବିଶ୍ଵ ଗ୍ରହଣ କରୁଛି। ଏଯାଏ ଏହି ଭୁତାଣୁ ଜନିତ ରୋଗକୁ ଚିକିତ୍ସା କରିବା ପାଇଁ କୌଣସି ଔଷଧ ବା କୌଣସି ଟୀକା ବାହାରି ନାହିଁ। ଏଣୁ ରୋଗ ପ୍ରତିରୋଧକ ଶକ୍ତି ହିଁ ଆପଣଙ୍କୁ ଏହି ଭୁତାଣୁ କବଳରୁ ରକ୍ଷା କରିପାରିବ। ହେଲେ ଗୋଟିଏ ଦିନରେ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ବିକାଶ କରିହେବ ନାହିଁ। ଏହା ଏକ ନିରନ୍ତର ବ୍ୟାପାର। ଯଦି ଆମେ ନିରନ୍ତର ଭାବେ ନିୟମିତପଦକ୍ଷେପ ଗ୍ରହଣ କରିବା ତେବେ ଆଗକୁ ଆମ ଆଗରେ ଆଶଙ୍କିତ ରୋଗକୁ ଟାଳି ପାରିବା।
ଆମ ଶରୀର ସ୍ତନ ଅସ୍ଥି ପଛପଟେ ଥିବା ଥାଇମସ୍ ଗ୍ରନ୍ଥୀ ରୋଗ ପ୍ରତିରୋଧ ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥାଏ। ଏହିଠାରେ ଟି ଲିମ୍ଫୋସାଇଟ୍ସକୁ ସଂକ୍ରମଣ ସହ ଲଢ଼ିବା ଶିଖାଯାଇଥାଏ। ଛୋଟ ବୟସରେ ଏହି ଗ୍ରନ୍ଥୀର ଆକାର ବଡ଼ ଥାଏ ଓ ବୟସ ଅନୁସାରେ ଏହା କମି କମି ଯାଏ। ବୁଢ଼ା ହେବା ବେଳକୁ ଏହା ଉଭାନ ହୋଇଯାଏ। ଏକ ଆକଳନରୁ ଜଣାପଡ଼ିଛି ଯେ, କିଶୋର ବୟସ ପରେ ପ୍ରତିବର୍ଷ ୩% ହାରରେ ଏହି ଗ୍ରନ୍ଥୀ ସଙ୍କୁଚିତ ହୋଇଥାଏ। ଯେହେତୁ ବୁଢ଼ା ବେଳକୁ ଗ୍ରନ୍ଥୀର ଆକାର କମିଯାଇ ଏହା ରୋଗ ସହ ଲଢ଼ିବା ପାଇଁ ଶରୀରକୁ କ୍ଷମତା ଦିଏ ନାହିଁ। ଏଣୁ ସେଠାରେ ସଂକ୍ରମଣ ଅଧିକ ହୋଇଥାଏ। ବୋଧହୁଏ ଥାଇମସ୍ ଗ୍ରନ୍ଥୀ ହେଉଛି ଏକ କାରଣ ଯେଉଁଥିଲାଗି ଛୁଆମାନେ କମ କୋଭିଡ-୧୯ର ଶିକାର ହୋଇଥାନ୍ତି। ପୁଣି ଶରୀରର ଦ୍ଵିତୀୟ ଜଟିଳ ବ୍ୟବସ୍ଥା ହେଉଛି ଏହି ରୋଗ ପ୍ରତିରୋଧକ ବା ଇମ୍ୟୁନ ସିଷ୍ଟମ। ଏହା ଶହେରୁ ଅଧିକ ପ୍ରକାରର କୋଷ, ଜୈବିକ ବ୍ୟବସ୍ଥା ଏବଂ ୮୦୦୦ ଜିନ ଯାହା ତାକୁ ପରିଚାଳନା କରନ୍ତି। ଏହା ଦୁଇ ପ୍ରକାର ପ୍ରତିରୋଧକ ଶକ୍ତି ଉତ୍ପନ୍ନ କରିଥାଏ। ପ୍ରଥମ ହେଉଛି ଆମର ଅନ୍ତର୍ନିହିତ ରୋଗ ପ୍ରତିରୋଧକ ଶକ୍ତି, ଯାହାକୁ ନେଇ ଆମେ ଜନ୍ମ ହୋଇଛୁ। ଏହା ବ୍ୟବସ୍ଥା ଦ୍ଵାରା ନ୍ୟୁଟ୍ରୋଫାଇଲ୍ସ ଏବଂ ମାକ୍ରୋଫେଜେସ ସୃଷ୍ଟି ହୋଇ ତାହା ସଙ୍ଗେ ସଙ୍ଗେ ସଂକ୍ରମଣ ସହ ଲଢ଼ି ତାହାକୁ ମାରି ଥାଏ। ଦ୍ଵିତୀୟ ରୋଗ ପ୍ରତିରୋଧକ ବ୍ୟବସ୍ଥା ହେଉଛି ଆମେ ଆହରଣ କରିଥିବା ଶକ୍ତି। ଏହା ଯେତେବେଳେ ଆମ ଶରୀର କୌଣସି ମାକ୍ରୋବ୍ସ ବା ମାଇକ୍ରୋବଙ୍କ ଦ୍ଵାରା ସୃଷ୍ଟି ରସାୟନ ସଂସ୍ପର୍ଶରେ ଆସେ ସେତେବେଳେ ସୃଷ୍ଟି ହୋଇଥାଏ। ଏହା ଟି-ସେଲ, ବି-ସେଲ ଏବଂ ଆଣ୍ଟିବଡିକୁ ନେଇ ଗଠିତ ହୋଇଥାଏ। ବି-ସେଲଙ୍କ ସ୍ମରଣଶକ୍ତି ଥାଏ। ଅର୍ଥାତ ଯେଉଁ ସଂକ୍ରମଣ ଥରେ ଶରୀରକୁ ଆକ୍ରମଣ କରିଥିଲା ତାହା ଆଉଥରେ ଆକ୍ରମଣ କଲେ ସେମାନେ ଆଣ୍ଟିବଡି ତିଆରି କରି ତା’ ବିରୋଧରେ ମୁତ୍ତୟନ କରିଥାଆନ୍ତି। ଯାହାକି ସଂକ୍ରମଣକୁ ଦ୍ଵିତୀୟଥର ପ୍ରସାରିତ ହେବାରେ ପ୍ରତିରୋଧ କରିଥାଏ। ଇନଫ୍ଲୁଏଞ୍ଜା ଭଳି ଭୁତାଣୁ ନିଜର ଜେନେଟିକ ଗଣିତକୁ ବଦଳାଇ ବି-ସେଲକୁ ହଟାଇବା ଚେଷ୍ଟା କରିଥାଆନ୍ତି। ପ୍ରାଥମିକ ଅବସ୍ଥାରୁ ନୋବେଲ କୋରୋନା ମଧ୍ୟ ସେହି ଗୁଣ ଧରି ସମାନ ଢାଞ୍ଚାରେ କାର୍ଯ୍ୟ କରୁଥିବା ଜଣାପଡ଼ୁଛି। ଏହାଦ୍ଵାରା ଆମର ରୋଗ ପ୍ରତିରୋଧ ଶକ୍ତି ଭାରାକ୍ରାନ୍ତ ହୋଇଛି।
ଅଧିକାଂଶ ଲୋକ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତିର ଅବନତୀ ନେଇ କୌଣସି ବିପଦ ଅନୁଭବ କରନ୍ତି ନାହିଁ। ବାସ୍ତବରେ ରୋଗ ପ୍ରତିରୋଧକ ଶକ୍ତି କିଶୋର ଅବସ୍ଥା ପରଠୁ ହିଁ ହ୍ରାସ ପାଇପାରେ ଲାଗିଥାଏ। ପୁଣି କେଉଁ ଶରୀରରେ ଦ୍ରୁତ ଗତିରେ ଅବନତି ହୁଏ ତ ଆଉ କେଉଁ ଶରୀରେ ମନ୍ଥର ଗତିରେ। ବିଶେଷକରି ଯେଉଁମାନେ ସିଗାରେଟ ଖାଆନ୍ତି, ମଦ ପିଅନ୍ତି ସେମାନଙ୍କ କ୍ଷେତ୍ରରେ ପ୍ରତିରୋଧକ ଶକ୍ତି ନିମ୍ନ ଥାଏ। ସାଧାରଣତଃ ଯେତେବେଳେ କୌଣସି ବାହ୍ୟ ସଂକ୍ରମଣ ଦେହରେ ପ୍ରବେଶ କରେ ସେତେବେଳେ ଶରୀରର ଶ୍ଵେତକଣିକାରେ ମହଜୁଦ ନ୍ୟୁଟ୍ରୋଫାଇଲ୍ ଆଗ ସାମ୍ନାକୁ ଆସିଥାଏ। ନ୍ୟୁଟ୍ରୋଫାଇଲ ପୁରୁଣା ହେଲେ ତାହା କମ ମୁକାବିଲା କରିଥାଏ। ଏହାଦ୍ଵାରା ପ୍ରତିରୋଧ ଶକ୍ତି କମେ ଏବଂ ସଂକ୍ରମଣ ବଢ଼େ। ପୁଣି ନ୍ୟୁଟ୍ରୋଫାଇଲ୍ସର ଅସ୍ଵାଭାବିକ ପ୍ରତିକ୍ରିୟା ବିପଜ୍ଜନକ ପରିସ୍ଥିତିସୃଷ୍ଟି କରିଥାଏ। ଏହା କ୍ରିୟାଶୀଳ ନ୍ୟୁଟ୍ରୋଫାଇଲ୍ସକୁ ମଧ୍ୟ ଅବରୋଧ କରନ୍ତି। ଏହାଦ୍ଵାରା ବୃଦ୍ଧ ବୟସରେ କୋଭିଡ-୧୯ ବିପଦ ଯଥେଷ୍ଟ ରହିଛି। ଏଣୁ ସବୁବେଳେ ନ୍ୟୁଟ୍ରୋଫାଇଲ୍ସର ସଂଶୋଧନ ଆବଶ୍ୟକ। ଏହାକୁ କିପରି ନିୟନ୍ତ୍ରଣ କରିବା। ଶରୀରର ନିର୍ଗତ ଏନ୍ଜାଇମ୍କୁ ନିୟନ୍ତ୍ରଣ କରିବା ଦ୍ଵାରା ନ୍ୟୁଟେଆଫାଇଲର ନିୟନ୍ତ୍ରଣ ସମ୍ଭବ। କୋଲେଷ୍ଟେରୋଲ କମାଉଥିବା ଷ୍ଟାଟିନ ଏ ଦିଗରେ ବେଶ ଉପାଦେୟ ଭାବେ ଗ୍ରହଣ କରାଯାଏ। ଏହି ପ୍ରକାର ଔଷଧ ସବୁ ଏନଜାଇମ ନିୟନ୍ତ୍ରଣ କରିଥାଏ କିନ୍ତୁ ଏହାର ପାଶ୍ଵର୍ର୍ ପ୍ରତିକ୍ରିୟା ବି ରହିଛି। ଏଣୁ ପ୍ରାାକୃତିକ ଉପା୍ରରେ ଦେହର ପ୍ରତିରୋଧକ ଶକ୍ତି ବଢ଼ାଇବା ସବୁଠାରୁ ଭଲ ଉପାୟ। ଏଥିଲାଗି କିଛି କଠିନ ପରିଶ୍ରମ ଆବଶ୍ୟକ। ବାସ୍ତବରେ ଯଦି ଆମେ ଏକ ସୁସ୍ଥ, ନିରୋଗ ଲମ୍ବା ଜୀବନ ବଞ୍ଚିବାକୁ ଚାହୁଁଛୁ ତେବେ ଏହି ପରିଶ୍ରମ ଆଦୌ କଠିନ ହୋଇ ନପାରେ।
ବ୍ୟାୟାମ
ପ୍ରଥମ ଉପାୟ ହେଉଛି ନିୟମିତ ବ୍ୟାୟାମ। ଏହାଦ୍ଵାରା ଆମ ଶରୀରରେ ରକ୍ତ ସଞ୍ଚରଣ ବୃଦ୍ଧି ପାଇଥାଏ। ରକ୍ତରେ ଥିବା ଶ୍ଵେତରକ୍ତ କଣିବା ଏବଂ ଇମ୍ୟୁନୋଗ୍ଲୋବିନ ଯାହା ଶରୀରରୁ କ୍ଷତିକାରକ ଜୀବାଣୁକୁ ବାହାରେ ରଖିବାରେ ସହାୟକ ହୋଇଥାଏ ତାହାକୁ ଶରୀରର ବିଭିନ୍ନ ସ୍ଥାନକୁ ପହଞ୍ଚାଇବାରେ ବ୍ୟାୟମ ସହାୟକ ହୋଇଥାଏ। ଯେଉଁମାନେ ସବୁଦିନ ବ୍ୟାୟମ କରନ୍ତି ସେମାନଙ୍କ ଶରୀରରେ ନ୍ୟୁଟ୍ରୋଫାଇଲ୍ସ ଭଲ ଭାବେ କାମ କରିଥାଏ। ନ୍ୟୁଟ୍ରୋଫାଇଳ୍ସ ଭଭୁତାଣୁକୁ ସମ୍ପୂଣ୍ଣ ଭାବେ ଅବରୋଧ କରିଥାଏ ବୋଲି କୁହାଯାଇ ନପାରେ କିନ୍ତୁ ଯଦି କେବେ ଶରୀରରେ ସଂଗ୍ରମଣ ଚଢ଼େ, ତାହାକୁ ଦ୍ଵିତୀୟ ପର୍ଯ୍ୟାୟକୁ ଯିବାକୁ ଦିଏ ନାହିଁ। ନୋଭେଲ କୋରୋନା ସଂକ୍ରମଣର ସବୁଠାରୁ ବିପଜ୍ଜନକ କଥା ହେଉଛି ନିମୋନିଆ। ଏହା ଏକ ବ୍ୟାକ୍ଟେରିଆଜନିତ ସଂକ୍ରମଣ। ଯାହା ଆମ ପଲ୍ମନାରୀ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ନିୟମିତ ବ୍ୟାୟାମ ଆମ ଶରୀରରେ ଥାଇମସ୍ ହାନୀକୁ କମାଇଥାଏ। ଏହା ମଧ୍ୟ ଅଧିକ ସଂଖ୍ୟାରେ ମାକ୍ରୋଫେଜ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ମାଇକ୍ରୋଫେଜ୍ ଅବରୋଧ କରିବା ପ୍ରକ୍ରିୟାକୁ ରୋକ ଦେଇଥାଏ। ଏଣୁ ପ୍ରତିଦିନ 10 ହଜାର ପାଦ ଚାଲିବାକୁ ଆବଶ୍ୟକ।
ଆହାର
ଆମେ କ’ଣ ଖାଇବା? ଏହା ନିର୍ଭର କରୁଛି ଆପଣଙ୍କ ହଜମ ଶକ୍ତି ଉପରେ। ଯଦି ଶରୀରରେ ପ୍ରୋବାୟୋଟିକ ବ୍ୟାକ୍ଟେରିଆ ରହିଛନ୍ତି ତେବେ ତାହା ଭଲ ସୂଚନା। ଏହା ଆମ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ଆମ ଜୀବନକୁ ଲମ୍ବା କରିବାରେ ସହାୟକ ହୋଇଥାଏ। କିନ୍ତୁ ଆମେ ଏହାକୁ କିପରି ବଢ଼ାଇବା? ଦହି, ଚହ୍ଲା ପରି ଫର୍ମେଣ୍ଟେଡ ଖାଦ୍ୟ ଆମ ଇଣ୍ଟେଷ୍ଟାଇନରେ ଭଲ ଜୀବାଣୁଙ୍କ ରକ୍ଷା ଓ ବୃଦ୍ଧିରେ ସହାୟକ ହୋଇଥାଏ। ଫଳ ଓ ପନିପରିବା ଏଥିଲାଗି ଖାଇବା ଭଲ। ସବୁଜ ପତ୍ରରେ ଥିବା ଫାଇବର ସୁସ୍ଥ ବ୍ୟାକ୍ଟେରିଆକୁ ବୃଦ୍ଧି କରିଥାଏ। ଏହା ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଏବଂ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯୋଗାଇଥାଏ। ଧନିଆପତ୍ର, ଅମୃତଭଣ୍ଡା, ପାଳଙ୍ଗ ଶାଗ, ଲେମ୍ବୁ ଓ କମଳା, ଅଦା, ଗୋଲମରିଚ, ହଳଦୀ ମଧ୍ୟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
ଉପାସ ରହିବା
ଆମେ ଉପାସ ଦ୍ଵାରା ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରିବା। ଉପାସ ରହିବା ଦ୍ଵାରା ଶରୀରର କ୍ୟାଲୋରୀ ନେବା କମ ହୋଇଥାଏ। ଯେଉଁମାନେ ନିୟମିତ ଭାବେ ଉପାସ ରଖନ୍ତି ସେମାନଙ୍କ ଶରୀର ଫିଟ ରହେ, ସେମାନଙ୍କ ମାନସିକ ଅବସ୍ଥା ସନ୍ତୁଳିତ ଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ଭଲ ଥାଏ। ଅନିୟମିତ ତଥା ମଝିରେ ମଝିରେ ଉପାସ ରଖିବା ଦ୍ଵାରା ମଧ୍ୟ ଆମ ଶରୀରର କ୍ୟାରୋରୀ ଗ୍ରହଣ କମିଥାଏ। ଉଦାହରଣ ଆମେ 16 ଘଣ୍ଟା ପାଇଁ ଉପାସ ରଖିବାରିବା ଏବଂ ବାକି 8 ଘଣ୍ଟାରେ ଖାଇବା।
ଓଜନ ନିୟନ୍ତ୍ରଣ:
ଅଧିକ ଓଜନ ବା କମ ଓଜନ ଉଭୟ ଶରୀର ପାଇଁ କ୍ଷତିକାରକ। ଆମେ ଜାଣୁ ଯେ ବ୍ରସ ଅନୁସାରେ ବି-ସେଲର କ୍ରିୟାଶୀଳତା କମିଥାଏ। ଶରୀର ଆବଶ୍ୟକ ପରିମାଣରେ ଆଣ୍ଟିବଡି ନିର୍ଗତ କରିପାରେ ନାହିଁ। ଏହି ସମୟରେ ଟୀକା ବି ଠିକଣା କାମ ଦିଏ ନାହିଁ। ଗବେଷଣାରୁ ଜଣାପଡ଼ିଛି ଯେ, ଏହି ସବୁ ସମସ୍ୟା ମୋଟାପଣ ବଢ଼ିବା ଦ୍ଵାରା ମଧ୍ୟ ହୋଇଥାଏ। କାରଣ ଆଣ୍ଟିବଡିର କ୍ରିୟାଶୀଳତାରେ ଆଡିପୋଜ ଟିସୁ ହାନୀ ପହଞ୍ଚାଇଥାଏ। ଏଣୁ ଆମକୁ ଓଜନରେ ଭାରସାମ୍ୟ ରକ୍ଷା କରିବାକୁ ହେବ। ମୋଟାପଣ ବଢ଼ିଲେ ତାହା ଅନେକ ଲାଇଫଷ୍ଟାଇଲ ରୋଗ ସୃଷ୍ଟି କରେ। ଏହାର ଉାହରଣ ହେଉଛି ମଧୁମେହ। ପୁଣି ଏହା ଜାଣିବା ନିହାତି ଅବାଶ୍ୟକ ଯେ, ମଧୁମେହ ରୋଗୀ ନୋଭେଲ କୋରୋନା ଭୂତାଣୁର ଅଧିକ ଶିକାର ହୋଇଥାଆନ୍ତି।
ଭିଟାମିନ
ନ୍ୟୁଟ୍ରୋଫାଇଲରୁ ଆବଶ୍ୟକ ପ୍ରତିକ୍ରିୟା ନମିଳିଲେ ଏବଂ ଶ୍ଵାସ ଅବରୋଧ ସୃଷ୍ଟିକାରୀ ଏଜେଣ୍ଟ ସବୁ ଟି-ସେଲର କ୍ରିୟାଶୀଳତାକୁ କମାଇ ଦେଇଆନ୍ତି। ଭିଟାମିନ-ଇ ଏ ଦିଗରେ ଯଥେଷ୍ଟ କାର୍ଯ୍ୟକାରୀ ହୋଇଥାଏ। ଏହି ପ୍ରକାର ଅବ୍ୟବସ୍ଥାକୁ ଭିଟାମିନ-ଇ ଦୂର କରିଥାଏ। ଏଣୁ ଠିକଣା ପରିମାଣରେ ଭିଟାମିନ-ଇ (୨୦୦ ଆଇୟୁ) ଗ୍ରହଣ କରିବା ଦ୍ଵାରା ଏହା ବରିଷ୍ଠ ନାଗରିକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଭିଟାମିନ-ଡି ମଧ୍ୟ ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ। ଏହା ମଧ୍ୟ ଶ୍ଵେତ ରକ୍ତ କଣିକାର କ୍ରୀୟାଶୀଳତାକୁ ଉତ୍ସାହିତ କରିଥାଏ। ୧୦୦୦ ଆଇୟୁ ମାତ୍ରାରେ ଏହାକୁ ଗ୍ରହଣ କରିହେବ। ଅଧିକ ପରିମାଣରେ ଖାଇଲେ ତାହା ଟି-ସେଲର କ୍ରିୟାଶୀଳତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ଜିଙ୍କ
ଶରୀରର ପ୍ରତିରୋଧ ବ୍ୟବସ୍ଥାକୁ ଠିକଣା ଭାବେ ପରିଚାଳିତ କରିବା ଲାଗି ଜିଙ୍କ ଏକ ଗୁରୁତ୍ଵପୂଣ୍ଣ ଖଣିଜ ଭାବେ ଗ୍ରହଣ କରାଯାଏ। ଏହା ଭୁତାଣୁ ସଂକ୍ରମଣରୁ ଶରୀରକୁ ବଞ୍ଚାଇଥାଏ। କିନ୍ତୁ ଦୈନିକ ସୀମା ଯାହା ରହିଛି ତା’ଠୁ ଅଧିକ ଜିଙ୍କ ଖାଇବାକୁ ପରାମର୍ଶ ଦେବା ଅନୁଚିତ। ଦିନକୁ ୫୦ମିଲିଗ୍ରାମ୍ ଯଥେଷ୍ଟ। ଚୁଚୁମାଯାଇପାରୁଥିବା ଜିଙ୍କ ଉପାଦାନ ସବୁଠାରୁ ଅଧିକ ଗ୍ରହଣୀୟ।