ନୂଆଦିଲ୍ଲୀ: ଗତ ମାର୍ଚ୍ଚମାସ ୨୫ରେ ଅଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ କେରଳ ଜନ୍ମିତ ଆତଙ୍କବାଦୀ ମହମ୍ମଦ ମୋହସିନ ସଂପୃକ୍ତ ଥିବା ଡିଏନଏ ପରୀକ୍ଷାରୁ ସ୍ପଷ୍ଟ ହୋଇଯାଇଛି । ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଫୋରନ୍ସିକ ସାଇନ୍ସ ଲାବ୍ରୋଟେରୀରେ ହୋଇଥିବା ଡିଏନଏ ପରୀକ୍ଷା ପରେ ଏହା ଜଣାପଡ଼ିଛି । ଏହି ପରୀକ୍ଷା ସପ୍ତାହ ଆରମ୍ଭରେ ଜାତୀୟ ଅନୁସନ୍ଧାନ ଏଜେନ୍ସିରେ ଦାଖଲ କରାଯାଇଥିଲା । ଉକ୍ତ ଆକ୍ରମଣ ଘଟାଇଥିବା ଆତ୍ମଘାତୀ ଆତଙ୍କବାଦୀ ଡିଏନଏକୁ କେରଳରେ ରହୁଥିବା ତା ମା’ ମଇମୁନା ଅବଦୁଲ୍ଲାର ଡିଏନଏ ସହ ମିଳାଯିବା ପରେ ସେ ମହମ୍ମଦ ମୋହସିନ ବୋଲି ଜଣାପଡ଼ିଥିଲା ।
୧୯୯୧ରେ କେରଳର ଖୋସ୍ରାଗାଡ ନିକଟସ୍ଥ ତ୍ରିକାରପୁରଠାରେ ଜନ୍ମିତ ମହସିନ କିଛି ବର୍ଷ ପୂର୍ବେ ଆତଙ୍କବାଦୀ ସଂଗଠନ ଆଇଏସରେ ଯୋଗ ଦେଇଥିଲା । ସେ ଏହି ଆକ୍ରମଣ ଘଟାଇଥିବା ଆଇଏସ ନିଜର ସୋସିଆଲ ମିଡିଆ ଚ୍ୟାନେଲରେ ଘୋଷଣା କରିଥିଲା । ଗତ ମାର୍ଚ୍ଚମାସରେ ମଧ୍ୟ ଆଫଗାନିସ୍ତାନ କାବୁଲ ଗୁରୁଦ୍ୱାରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ କେରଳର ଜଣେ ଆତଙ୍କବାଦୀର ହାତ ଥିବା ସେତେବେଳେ ଆଫଗାନିସ୍ତାନର ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଥିଲା । ସୂଚନାମୁତାବକ, ମାର୍ଚ୍ଚ 25 ରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଶୋର୍ ବଜାର ଅଞ୍ଚଳରେ ଥିବା ଗୁରୁଦ୍ୱାରରେ ହୋଇଥିବା ଆକ୍ରମଣ ପରେ ଏଥିପାଇଁ “ଆଇଏସକେପି’ ନିଜକୁ ଦାୟୀ କରିଥିଲା । ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୪ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ । ଏହି ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା ।
ମାର୍ଚ୍ଚ 25 ହୋଇଥିବା ଆକ୍ରମଣରେ 27 ଜଣ ଶିଖଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିଲେ । ଏହା ପରେ ଏନଆଇଏ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଏନଆଇଏ ପ୍ରଥମ ଥର ପାଇଁ ଭାରତ ବାହାରେ ଘଟିଥିବା ଏକ ଘଟଣାର ତଦନ୍ତ କରିଥିଲା ।